ଗଞ୍ଜାମ,୧୨ା୧(ବିଦ୍ୟାଧର ସାହୁ): ବାପାଙ୍କର ଦୁର୍ଘଟଣାଜନିତ ମୃତ୍ୟୁ ପରେ କ୍ୟାନ୍ସରରେ ମା’ଙ୍କ ଅକାଳ ବିୟୋଗରେ ବେସାହାରା ହୋଇ ପଡ଼ିଛନ୍ତି ଭଉଣୀ ଭାଇ। ଏପରି ଏକ ହୃଦୟବିଦାରକ ଘଟଣା ଗଞ୍ଜାମ ବ୍ଲକର କାଇଁଚପୁର ପଞ୍ଚାୟତ ଅଧୀନ ଝରପଦର ଗାଁରେ ଦେଖିବାକୁ ମିଳିଛି। ଏକ ଭୂମିହୀନ ପରିବାରରେ ୯ ମାସ ମଧ୍ୟରେ ମା’ ବାପାଙ୍କ ଅକାଳ ବିୟୋଗରେର ଝିଅ ସୁଇଟି (୧୭) ଓ ପୁଅ କାଳିଆ (୧୪) ରି ଅସହାୟ ହୋଇପଡିଛନ୍ତି। ପରିବାରର ମୁଖ୍ୟ ରୋଜଗାରିଆ ରବି ମହାକୁଡ (୪୫) ଋଣଭାର ଓ ଆର୍ଥିକ କଷ୍ଟରୁ ମୁକ୍ତି ପାଇବା ପାଇଁ ୯ ମାସ ତଳେ ଖଲିକୋଟ ଅଞ୍ଚଳର ଏକ ଠିକାଦାରଙ୍କ ସହାୟତାରେ ହାଇଦ୍ରାବାଦର ଏକ ଘୋରେଇ କମ୍ପାନୀରେ ଶ୍ରମିକ ଭାବେ କାମକୁ ଯାଇଥିଲେ। କାମ କରୁଥିବା ସମୟରେ ପାଣି ଟାଙ୍କି ଭୁଶୁଡ଼ି ପଡ଼ିଯିବାରୁ ସେ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ। ସ୍ବାମୀଙ୍କ ମୃତ୍ୟୁ ପରେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିପଡ଼ିଥିବା ଝୁନୁ ମହାଙ୍କୁଡ (୩୯) ଆନ୍ତ୍ର କ୍ୟାନ୍ସରରେ ପୀଡ଼ିତ ହୋଇଥିବା ଜାଣିବାକୁ ମିଳିଲା। ବ୍ରହ୍ମପୁର ବଡ଼ ମେଡିକାଲରେ ଦୀର୍ଘଦିନ ଚିକିତ୍ସାଧୀନ ରହିବା ପରେ ଗତକାଲି ସେ ମୃତ୍ୟୁବରଣ କରିଛନ୍ତି। ରବି ଓ ଝୁନୁ ଭୂମିହୀନ ଥିଲେ। ନିଜ ଘର ନ ଥିବାରୁ ଭଡ଼ାଘରେ ରୁହିଥିଲେ। ଗାଁଗାଁ ବୁଲି ଚୁଡ଼ି ବିକି ପରିବାର ପୋଷଣ କରୁଥିଲେ। ଦୁଇଜଣଙ୍କ ଅକାଳ ମୃତ୍ୟୁ ପରେ ପରିବାର ସମ୍ପୂର୍ଣ୍ଣ ଭାବେ ମୁରବୀ ଶୂନ୍ୟ ଓ ଆଶ୍ରୟ ବିହୀନ ହୋଇପଡ଼ିଛି। ଝିଅ ସୁଇଟି ଦଶମ ଶ୍ରେଣୀ ପାସ୍ କରିଛନ୍ତି l ଉଚ୍ଚଶିକ୍ଷା ପାଇଁ ଇଚ୍ଛା ଥିଲେ ମଧ୍ୟ ଅର୍ଥାଭାବ ଯୋଗୁ ପଢ଼ା ବନ୍ଦ କରିବାକୁ ବାଧ୍ୟ ହୋଇଛି। ପୁଅ ବର୍ତ୍ତମାନ ଦଶମ ପରୀକ୍ଷା ଦେବ। କିନ୍ତୁ ମା ବାପାଙ୍କ ଅନୁପସ୍ଥିତି ଓ ଅର୍ଥ ଅଭାବରୁ ତାଙ୍କର ଭବିଷ୍ୟତ ଅନ୍ଧକାରମୟ। ପରିବାର ଏତେ ଆର୍ଥିକ ସ୍ଥିତି ଦୟନୀୟ ଯେ ପାରମ୍ପରିକ ରୀତିନୀତି ଅନୁସାରେ ମା’ଙ୍କ ଶବଦାହ କରିବା ପାଇଁ ପାଖରେ ଟଙ୍କାଟିଏ ନାହିଁ l ଶେଷ ଦାହ ସଂସ୍କାର ଓ ପରବର୍ତ୍ତୀ କାର୍ଯ୍ୟ ନିମନ୍ତେ ଖର୍ଚ୍ଚ ଯୋଗାଡ଼ କରିବାର ସମ୍ବଳ ନ ଥିବାରୁ ଦୁଇ ପିଲା ବର୍ତ୍ତମାନ ଭାଙ୍ଗିପଡ଼ିଛନ୍ତି। ଏହି ଭଳି ପରିସ୍ଥିତିରେ ଦୁଇ ପିଲା ଆର୍ଥିକ ସହାୟତା, ଶିକ୍ଷା ସୁବିଧା, ଆଶ୍ରୟ, ମୃତ୍ୟୁ ଅନୁଗ୍ରହ, ଦାହ ସଂସ୍କାର ସହାୟତା ପାଇଁ ସରକାରୀ ହସ୍ତକ୍ଷେପ ଓ ମାନବିକ ସହାୟତା ଅପେକ୍ଷାରେ ଅଛନ୍ତି। ସ୍ଥାନୀୟ ଗ୍ରାମବାସୀ ସହ ଅଞ୍ଚଳବାସୀ ଜିଲା ପ୍ରଶାସନକୁ ଶୀଘ୍ର କାର୍ଯ୍ୟକାରୀ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଛନ୍ତି।


