Categories: ଖେଳ

ପ୍ରଥମ ସଂସ୍କରଣରେ ଭାରତକୁ ବ୍ରୋଞ୍ଜ୍‌

ହକି ବିଶ୍ୱକପ୍‌ର ପ୍ରଥମ ସଂସ୍କରଣ ୧୯୭୧ ମସିହାରେ ଆରମ୍ଭ ହୋଇଥିଲା। ଆୟୋଜକ ଦେଶ ଥିଲା ସ୍ପେନ୍‌ ଏବଂ ପ୍ରତିଯୋଗିତା ବାର୍ସିଲୋନାରେ ଅନୁଷ୍ଠିତ ହୋଇଥିଲା। ଅକ୍ଟୋବର ୧୫ରୁ ୨୪ ପର୍ଯ୍ୟନ୍ତ ଏହି ଟୁର୍ନାମେଣ୍ଟ ଆୟୋଜିତ ହୋଇଥିଲା। ଏଥିପାଇଁ କୌଣସି ଯୋଗ୍ୟତା ପର୍ଯ୍ୟାୟ ଟୁର୍ନାମେଣ୍ଟ ହୋଇ ନ ଥିଲା। ଏହା ଏକ ଆମନ୍ତ୍ରଣୀୟ ଟୁର୍ନାମେଣ୍ଟର ରୂପ ନେଇଥିଲା। ଅନ୍ତର୍ଜାତୀୟ ହକି ଫେଡେରେଶନ(ଏଫ୍‌ଆଇଏଚ୍‌) ପକ୍ଷରୁ ୫ଟି କନ୍‌ଫେଡେରେଶନରୁ ଶ୍ରେଷ୍ଠ ୧୦ ଦଳକୁ ଆମନ୍ତ୍ରଣ କରାଯାଇଥିଲା। ଅଲିମ୍ପିକ୍ସ ପ୍ରଦର୍ଶନ ଭିତ୍ତିରେ ଦଳଗୁଡ଼ିକ ଚୟନର ମାନଦଣ୍ଡ ନିର୍ଦ୍ଧାରଣ କରାଯାଇଥିଲା। ୧୦ ଦଳ ଭାଗ ନେଇଥିବାରୁ ଏହାକୁ ୨ଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଥିଲା। ରାଉଣ୍ଡ ରବିନ ଲିଗ୍‌ ପରେ ପ୍ରତି ଗ୍ରୁପ୍‌ରୁ ଶ୍ରେଷ୍ଠ ୨ ଦଳ ସେମିଫାଇନାଲକୁ ଉନ୍ନୀତ ହେବା ନିୟମ ରହିଥିଲା। ୧୯୬୮ ଅଲିମ୍ପିକ୍‌ ଚାମ୍ପିୟନ ପାକିସ୍ତାନ, ରନରଅପ୍‌ ଅଷ୍ଟ୍ରେଲିଆ, ଆୟୋଜକ ସ୍ପେନ୍‌, ନେଦରଲାଣ୍ଡ୍ସ ଓ ଜାପାନ ଗ୍ରୁପ୍‌ ‘ବି’ରେ ସ୍ଥାନ ପାଇଥିଲେ। ଗ୍ରୁପ୍‌ ‘ଏ’ରେ ଭାରତ ସମେତ ଆର୍ଜେଣ୍ଟିନା, ଫ୍ରାନ୍ସ, କେନିୟା ଓ ପଶ୍ଚିମ ଜର୍ମାନୀ ରହିଥିଲେ। ପ୍ରାରମ୍ଭିକ ଗ୍ରୁପ୍‌ ପର୍ଯ୍ୟାୟ ପରେ ଗ୍ରୁପ୍‌ ‘ଏ’ରୁ ଭାରତ ୮ ଓ କେନିୟା ୬ ପଏଣ୍ଟ ପାଇ ସେମିଫାଇନାଲରେ ପ୍ରବେଶ କରିଥିଲେ। ପଶ୍ଚିମ ଜର୍ମାନୀ ଓ ଫ୍ରାନ୍ସ ୪ ପଏଣ୍ଟ ଲେଖାଏ ପାଇ ଏବଂ ଆର୍ଜେଣ୍ଟିନା ପଏଣ୍ଟ ଖାତା ଖୋଲି ନ ପାରି ବିଦାୟ ନେଇଥିଲେ। ସେହିପରି ପୁଲ୍‌ ‘ବି’ରେ ସ୍ପେନ୍‌ ଓ ପାକିସ୍ତାନ ୫ ପଏଣ୍ଟ ଲେଖାଏ ପାଇ ସେମିଫାଇନାଲ ଯୋଗ୍ୟତା ଲାଭ କରିଥିଲେ। ଅନ୍ୟପକ୍ଷରେ ନେଦରଲାଣ୍ଡ୍ସ ୪ ଏବଂ ଅଷ୍ଟ୍ରେଲିଆ ଓ ଜାପାନ ୩ ପଏଣ୍ଟ ଲେଖାଏ ପାଇ ଅଭିଯାନ ଶେଷ କରିଥିଲେ। ସେମିଫାଇନାଲ ପର୍ଯ୍ୟାୟରେ ଅତିରିକ୍ତ ସମୟ ଗୋଲ ବଳରେ କେନିୟାକୁ ସ୍ପେନ୍‌ ଏବଂ ଭାରତକୁ ହରାଇ ପାକିସ୍ତାନ ଫାଇନାଲରେ ପ୍ରବେଶ କରିଥିଲା। ଫାଇନାଲରେ ସ୍ପେନ୍‌କୁ ହରାଇ ପାକିସ୍ତାନ ଚାମ୍ପିୟନ ହୋଇଥିଲା। ତୃତୀୟ ସ୍ଥାନ ପାଇଁ ଭାରତ ଓ କେନିୟା ମ୍ୟାଚ୍‌ ନିର୍ଦ୍ଧାରିତ ସମୟରେ ୧-୧ରେ ବରାବର ରହିଥିଲା। ଅତିରିକ୍ତ ସମୟରେ ମୋଲେରା ପୁଭାୟା ଗଣେଶଙ୍କ ଗୋଲ ବଳରେ ଭାରତ ବ୍ରୋଞ୍ଜ ପଦକ ହାସଲ କରିଥିଲା। ମୋଟ୍‌ ୩୦ ମ୍ୟାଚ ଖେଳାଯାଇଥିବାବେଳେ ୬୭ ଗୋଲ ସ୍କୋର ହୋଇଥିଲା।

Share