ଭାଙ୍ଗିଲା ପୋଲ ସୁରକ୍ଷା ବାଡ଼

ମ.ରାମପୁର,୧୫ା୭(ଶଶିଭୂଷଣ ପ୍ରହରାଜ): କଳାହାଣ୍ଡି ଜିଲା ଛକିଗୁଡ଼ା -ନର୍ଲା-ମ.ରାମପୁର ଯାଇଥିବା ରାଜ୍ୟ ରାଜପଥ ଛକରେ ଥିବା ଜାମପଦର ଗ୍ରାମ ନିକଟରେ ନଦୀ ପୋଲ ସଂଲଗ୍ନ ସଡ଼କ ସୁରକ୍ଷା ବାଡ଼ ଭଗ୍ନ ଅବସ୍ଥାରେ ପଡ଼ିରହିଛି। ବିପଦପୂର୍ଣ୍ଣ ଅବସ୍ଥାରେ ଲୋକେ ଯାତାୟାତ କରୁଛନ୍ତି। ନଦୀର ଉଭୟ ପାର୍ଶ୍ୱରେ ରାସ୍ତା ମୋଡ଼ ନେଇଥିବା ବେଳେ ଉକ୍ତ ପୋଲ ଉପରେ ସଡ଼କ ସୁରକ୍ଷା ବାଡ଼ର ମହତ୍ତ୍ୱ ଅଧିକ ରହିଛି। ଉକ୍ତ ପୋଲର ସଂଲଗ୍ନ ଡାହାଣ ପାର୍ଶ୍ୱ ବାଡ଼ ପାଖାପାଖି ୧୦ରୁ ୧୫ମିଟର ଭାଙ୍ଗିପଡ଼ିଛି। ଏହି ଘଟଣା ଘଟିବାର ପାଖାପାଖି ଏକ ବର୍ଷ ହେଲାପରେ ମଧ୍ୟ ତାହାର ପୁନଃ ନିର୍ମାଣ, ମରାମତି କରାଯାଇନାହିଁ। ଏହି ସମ୍ପର୍କରେ ପୂର୍ତ୍ତବିଭାଗ ଯନ୍ତ୍ରୀମାନଙ୍କୁ ଯୋଗାଯୋଗ କରିବାରୁ ସେମାନେ କହିଛନ୍ତି, ଏହି ସପ୍ତାହରେ ମରାମତି କାର୍ଯ୍ୟ, ପୁନଃନିର୍ମାଣ କାମ ଆରମ୍ଭ କରାଯିବ। ସେହିପରି ଗଗରବାହାଲି ଜୋର୍‌ ପୋଲର ଅନତିଦୂରରେ ବୁଲାଣି ଅବସ୍ଥିତ ବକ୍ସେଲ ପୋଲର ସଂପ୍ରସାରଣର ଅତ୍ୟବଶ୍ୟକତା ଦେଖାଦେଇଛି। ତେଣୁ କାର୍ଯ୍ୟାନୁଷ୍ଠାନ ପାଇଁ ପୂର୍ତ୍ତବିଭାଗ ପାଖରେ ଦାବି କରିଛନ୍ତି।