ବଡ଼ଗାଁ,୨୦ା୭(ଅଶୋକ ଷଢ଼ଙ୍ଗୀ): ଚୋରି କରିବାକୁ ଆସି ଘରେ ପଶିଲେ। ହେଲେ ଘରେ କେହି ନ ଥିବା ନିଶ୍ଚିତ ହେବା ପରେ ଚୋରମାନେ ସେଠାରେ ଭୋଜି କରି ଖାଇବାକୁ ସ୍ଥିର କଲେ। ଘରେ ଥିବା ଅଣ୍ଡା ସିଝାଇ ତରକାରି କଲେ। ଡାଲି ବି ରାନ୍ଧିଲେ। ହାଣ୍ଡିରେ ଥିବା ଭାତ ସହିତ ଏ ସବୁକୁ ଖାଇ ଚାଲିଗଲେ। ଏହିଭଳି ଘଟଣା ସୁନ୍ଦରଗଡ଼ ଜିଲା ବଡ଼ଗାଁ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ବଡ଼ଗାଁ ଥାନା ସବ୍ ଇନ୍ସପେକ୍ଟର ଖଗପତି ବିଶ୍ୱାଳଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ବଡ଼ଗାଁ ଡିଗ୍ରୀ କଲେଜର ଅଧ୍ୟାପିକା ବନଜା ରାଣୀ ଷଡ଼ଙ୍ଗୀ କିଛି ଦିନ ହେଲା ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ଶୁକ୍ରବାର ରାତିରେ କଲେଜ ନିକଟରେ ସେ ରହୁଥିବା ଷ୍ଟାଫ କ୍ୱାର୍ଟରରେ ଚୋରମାନେ ତାଲାଭାଙ୍ଗି ପଶିଥିଲେ। ଘରେ ଥିବା ଆସବାବପତ୍ର, ବିଭିନ୍ନ ସାମଗ୍ରୀ ଫିଙ୍ଗା ଫୋପଡ଼ା କରିଥିଲେ ମଧ୍ୟ କିଛି ନେଇ ନ ଥିଲେ।
ଶନିବାର କଲେଜ କର୍ମଚାରୀମାନେ କବାଟ ତାଲା ଭଙ୍ଗା ଯାଇଥିବା ଦେଖି ଅଧ୍ୟାପିକାଙ୍କୁ ଫୋନ କରି ଜଣାଇଥିଲେ। ଅଧ୍ୟାପିକା ଏହି ସମ୍ପର୍କରେ ବଡ଼ଗାଁ ପୋଲିସକୁ ଜଣାଇବା ପରେ ସବ୍ ଇନ୍ସପେକ୍ଟର ବିଶ୍ୱାଳ ତଦନ୍ତ କରିଥିଲେ। ତଦନ୍ତ ସମୟରେ ଚୋରମାନେ ଭୋଜି କରି ଖାଇଥିଲେ ମଧ୍ୟ କିଛି ଜିନିଷ ନେଇ ନ ଥିବା ଜଣାପଡିଥିଲା। ସେହିପରି ଗତ ସପ୍ତାହ ମଙ୍ଗଳବାର ରାତିରେ ଚୋରମାନେ ଧୁମାଗଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ତାଲା ଭାଙ୍ଗି ପଶି ଥିଲେ। ମଧ୍ୟାହ୍ନଭୋଜନ ପାଇଁ ବତୁରା ଯାଇଥିବା ଚଣା ସିଝାଇ ଖାଇଥିଲେ ମଧ୍ୟ କୌଣସି ସାମଗ୍ରୀ ନେଇ ନ ଥିଲେ।


