ରୋଶଣି ନେଇ ବରଘରକୁ ଗଲେ କନିଆ: ପଛର କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

କେନ୍ଦୁଝର,୧୫ା୫(ନରେଶ ଚନ୍ଦ୍ର ପଟ୍ଟନାୟକ):ସାଧାରଣତଃ ହିନ୍ଦୁ ବିବାହରେ ବର ରୋଶଣିକରି ବ୍ୟାଣ୍ଡ୍‌ ବାଜା ସହ ନାଚଗୀତକରି ଓ ବାଣ ଫୁଟାଇ କନ୍ୟାଘରକୁ ଯାଇଥାଏ। ସେଠାରେ ରୀତିନୀତିରେ ବାହାଘର ପରେ କନ୍ୟାକୁ ଧରି ବର ଘରକୁ ଫେରିଥାଆନ୍ତି। ମାତ୍ର କେନ୍ଦୁଝର ଜିଲା ତେଲକୋଇ ବ୍ଲକ୍‌ ଛାମୁଣ୍ଡା ଗ୍ରାମରେ ଏକ ନିଆରା ବିହାଘର ଦେଖିବାକୁ ମିଳିଛି। ଏହି ଗ୍ରାମରେ ଥିବା ବରଘରକୁ କନ୍ୟାଘର ଲୋକେ ବାଜା ବଜାଇ ରୋଶଣି କରି ଆସିଥିଲେ। ବାହାଘର ପରେ ବରପକ୍ଷରୁ ଜାନିଯୌତୁକ ପ୍ରଦାନ କରାଯାଇଥିଲା। ପରେ ବରଙ୍କୁ ଧରି କନ୍ୟା ଘରକୁ ଫେରିଥିବା ଜଣାପଡ଼ିଛି। ଏଭଳି ବାହାଘର ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନା ଅନୁଯାୟୀ, ଛାମୁଣ୍ଡା ଗ୍ରାମର ପଞ୍ଚୁ ପ୍ରଧାନଙ୍କ ପୁଅ ବସନ୍ତଙ୍କ ସହିତ ବାଂଶପାଳ ବ୍ଲକ୍‌ର ରୟା ଦେହୁରୀଙ୍କ ଝିଅ ଲକ୍ଷ୍ମୀ ଦେହୁରୀଙ୍କ ସହ ବିବାହ ସ୍ଥିର ହୋଇଥିଲା। ଏଥିପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ତେବେ ଆଲୋଚନା ସମୟରେ କନ୍ୟାଘର ପକ୍ଷ କହିଥିଲେ, ବର ରୋଶଣିକରି ଆସି ବିବାହ କରିବ ଏବଂ ବିବାହ ପରେ କନ୍ୟାଘରେ ରହିବ। କିନ୍ତୁ ଏଥିରେ ପଞ୍ଚୁ ପ୍ରଧାନ ରାଜି ହୋଇ ନ ଥିଲେ। ପରେ ରୟା ଦେହୁରୀଙ୍କ ପୁଅ ନ ଥିବାରୁ ବାହାଘର ପରେ ବସନ୍ତ କନ୍ୟା ଘରେ ରହିବେ ବୋଲି ଉଭୟ ପକ୍ଷ ସହମତି ପ୍ରକାଶ କରିଥିଲେ। ନିର୍ଦ୍ଧାରିତ ସମୟ ଅନୁଯାୟୀ, ବୁଧବାର କନ୍ୟା ପକ୍ଷରୁ ରୋଶଣିକରି ବର ଘରକୁ ଯାଇଥିଲେ। ସେଠାରେ ରୀତିନୀତିରେ ବିବାହ ସମ୍ପନ୍ନ ହୋଇଥିଲା। ଏଥିସହ ବସନ୍ତଙ୍କ ଘର ଲୋକେ କନ୍ୟା ପକ୍ଷକୁ ଜାନିଯୌତୁକ ପ୍ରଦାନ କରିଥିଲେ। ବାହାଘର ଶେଷହେବା ପରେ ଗୁରୁବାର କନ୍ୟା ନିଜ ସହ ବରକୁ ନେଇ ବାପଘରକୁ ଫେରିଛନ୍ତି।

 

Dharitri – Odisha’s No.1 Odia Daily

 

Share