ଚଣ୍ଡିଗଡ଼,୨୦ା୮: ପଞ୍ଜାବର ଫିରୋଜପୁରରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ବିବାହ ସମୟରେ ବରକୁ ଦେଖିବା ପରେ କନ୍ୟା ସ୍ପଷ୍ଟ ଭାବେ ବିବାହ କରିବାକୁ ମନା କରିଦେଲେ । ଫଳରେ ରାଜସ୍ଥାନରୁ ଆସିଥିବା ବରଯାତ୍ରୀଙ୍କୁ ଖାଲି ହାତରେ ଫେରିବାକୁ ପଡ଼ିଥିଲା। ଘଟଣାଟି ଫିରୋଜପୁର ଜିଲାର ଗୁରୁହରସହାୟ ଅଞ୍ଚଳର ଟିଟୁ ଖେଡ଼ା ଗାଁରେ ଘଟିଛି ।
କନ୍ୟାଙ୍କ ଅଭିଯୋଗ ଅନୁସାରେ, ବିବାହ ପୂର୍ବରୁ ତାଙ୍କୁ ଅନ୍ୟ ଜଣେ ଯୁବକଙ୍କ ଫଟୋ ଦେଖାଯାଇଥିଲା। କିନ୍ତୁ ବିବାହ ପାଇଁ ଅନ୍ୟ ଜଣେ ଯୁବକ ବର ବେଶରେ ଆସିଥିଲେ । ଏହା ଦେଖି ସେ ବିବାହ କରିବାକୁ ମନା କରିଥିଲେ । କନ୍ୟା କହିଥିଲେ, “ମୁଁ ଏହି ଯୁବକଙ୍କ ସହ ବିବାହ କରିବାକୁ ଚାହୁଁନି । ଏହା ମୋ ଜୀବନର ପ୍ରଶ୍ନ । ମୋତେ ସାରା ଜୀବନ ତାଙ୍କ ସହ ରହିବାକୁ ପଡ଼ିବ, ତେଣୁ ମୁଁ ବିବାହ କରିପାରିବି ନାହିଁ।” କନ୍ୟା ବିବାହ ପାଇଁ ରାଜି ନହେବାରୁ ଉଭୟ ପକ୍ଷରେ ଉତ୍ତେଜନା ସୃଷ୍ଟି ହୋଇଥିଲା।
ଅନ୍ୟପକ୍ଷରେ ରାଜସ୍ଥାନର ଛତରଗଡ଼ ଅଞ୍ଚଳରୁ ଆସିଥିବା ବର ଓ ତାଙ୍କ ପରିବାରର କହିବା ଅନୁସାରେ, ଉଭୟ ପରିବାରର ସହମତିରେ ହିଁ ବିବାହ ଠିକ୍ ହୋଇଥିଲା। ମୋବାଇଲ୍ ଫୋନ୍ରେ ମଧ୍ୟ ଉଭୟ ପକ୍ଷ ମଧ୍ୟରେ କଥାବାର୍ତ୍ତା ହେଉଥିଲା। ବରଙ୍କ ବାପା ଅଭିଯୋଗ କରିଛନ୍ତି ଯେ, ଝିଅର ମା’, ଝିଅ ଏବଂ ଜଣେ ମଧ୍ୟସ୍ତି ତାଙ୍କୁ ଟଙ୍କା ମାଗିଥିଲେ। ତାଙ୍କ କହିବା ଅନୁସାରେ, ଯଦି ପୁଅକୁ ପସନ୍ଦ କରାଯାଏ, ତେବେ ଲକ୍ଷ ଲକ୍ଷ ଟଙ୍କା ଦେବାକୁ କୁହାଯାଇଥିଲା। ସେ ଅଭିଯୋଗ କରିଛନ୍ତି ଯେ, ବରପକ୍ଷ ବିବାହ ପାଇଁ ଆସିବା ପରେ କିଛି ସମୟ ପରେ ବିବାହ ଭାଙ୍ଗିଦିଆଗଲା। ଏହାକୁ ସେ ନିଜ ପରିବାର ସହ ହୋଇଥିବା ଧୋକା ବୋଲି କହିଛନ୍ତି। ବର ଗୁରସେବକ ସିଂ କହିଛନ୍ତି ଯେ, ସେ ନିଜ ସମ୍ପର୍କୀୟଙ୍କ ମାଧ୍ୟମରେ ବିବାହ ପାଇଁ ଆସିଥିଲେ। କିନ୍ତୁ ଶେଷରେ ବିବାହ ହୋଇପାରିଲା ନାହିଁ। ତାଙ୍କ ଅଭିଯୋଗ ହେଉଛି, ତାଙ୍କ ସହ ଠକେଇ କରି ଟଙ୍କା ନେବାର ଚେଷ୍ଟା କରାଯାଇଥିଲା।ଘଟଣାକୁ ନେଇ ଏବେ ଉଭୟ ପକ୍ଷ ମଧ୍ୟରେ ବିବାଦ ଦେଖାଦେଇଛି । ପୋଲିସରେ ଅଭିଯୋଗ କରାଯିବା ନେଇ ମଧ୍ୟ ଆଲୋଚନା ଚାଲିଛି। ଏହି ଅଜବ ବିବାହ ଘଟଣାଟି ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।