୩ ଲକ୍ଷ ନେଇ ଜେଲ ଗଲେ ଶାଖା ପରିଚାଳକ

ଦିଗପହଣ୍ଡି,୨ା୪(ଡି.ଏନ.ଏ.): ଟଙ୍କା ଠକେଇ ଅଭିଯୋଗରେ ଗଞ୍ଜାମ ଜିଲା ଦିଗପହଣ୍ଡିରେ ଥିବା ଏକ ଅଣ ବ୍ୟାଙ୍କିଙ୍ଗ୍‌ ସଂସ୍ଥାର ଶାଖା ପରିଚାଳକ ଏବଂ ଅନ୍ୟ ଜଣେ କର୍ମଚାରୀଙ୍କୁ ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ କଟକ ଜିଲା ଗୁରୁଣ୍ଡିଝାଟିଆ ଥାନା ଅଧୀନ ଗୋବରା ମଣ୍ଡପସାହିର ନଗେନ ନାୟକ ଏବଂ ଶିବ ବାରିକ। ଏନେଇ ପୋଲିସ ଏକ ମାମଲା (ନଂ.୧୧୮/୨୨) ରୁଜୁ କରିଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାତତକୁ ପଠାଇ ଦିଆଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ତଦନ୍ତକାରୀ ପୋଲିସ ଅଧିକାରୀ ଏସ୍‌.ଆଇ ଗୌତମ ସାହୁଙ୍କ ସୂଚନା ମୁତାବକ, ବ୍ରହ୍ମପୁର ଗାନ୍ଧୀନଗର ସ୍ଥିତ ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ଦିଗପହଣ୍ଡିରେ ଶାଖା କାର୍ଯ୍ୟାଳୟ ଖୋଲି ଗଣିଆନାଳ, ଫାସିଗୁଡା, ପୋଡ଼ାମାରି, ଦେଉଳିଆପଡ଼ା ଆଦି ବିଭିନ୍ନ ଅଞ୍ଚଳରୁ ମହିଳାମାନଙ୍କୁ ଗ୍ରୁପ୍‌ ଲୋନ ପ୍ରଦାନ କରିବା ସହ ପରବର୍ତ୍ତୀ ପର୍ଯ୍ୟାୟରେ ଚୁକ୍ତି ମୁତାବକ ଋଣ ସହ ସୁଧ ଆଦାୟ କରି ଆସୁଥିଲେ।

ଦିଗପହଣ୍ଡି ଶାଖା ପରିଚାଳକ ନଗେନ ଏବଂ ତାଙ୍କ ସହଯୋଗୀ ଶିବଙ୍କ ସମେତ ଅନ୍ୟ କିଛି କର୍ମଚାରୀ ଯୋଜନା ମୁତାବକ ସଂସ୍ଥାର ୩,୨୩,୯୯୯ ଟଙ୍କା ଆତ୍ମସାତ କରି ଫେରାର ହୋଇଯାଇଥିଲେ। ଏନେଇ ବ୍ରହ୍ମପୁର ସ୍ଥିତ ସଂସ୍ଥାର ଆଞ୍ଚଳିକ ପରିଚାଳକ ଚନ୍ଦ୍ରକାନ୍ତ ରାଉତ ଶାଖା ପରିଚାଳକଙ୍କ ସମେତ ଅନ୍ୟ ୩ କର୍ମଚାରୀଙ୍କ ନାମରେ ମାର୍ଚ୍ଚ ୧୬ରେ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଦିଗପହଣ୍ଡି ପୋଲିସ ତଦନ୍ତ ପରେ ଅଭିଯୁକ୍ତମାନଙ୍କୁ ଧରିଥିଲା।