ଗର୍ଲଫ୍ରେଣ୍ଡଙ୍କ ବିବାହ ସ୍ଥିର ହୋଇଯିବାରୁ ରାଗିକି ଏମିତି ନିଷ୍ପତ୍ତି ନେଲେ ବୟଫ୍ରେଣ୍ଡ: ଭାବି ସ୍ବାମୀଙ୍କୁ ପଠାଇଦେଲେ…

ବେଙ୍ଗାଲୁରୁ,୧୪।୪: ପ୍ରେମ ଯେବେ ପାଗଳାମୀରେ ପରିଣତ ହୁଏ, ଏହା କେବଳ ସମ୍ପର୍କକୁ ନଷ୍ଟ କରିଦିଏ ନାହିଁ ବରଂ ଜୀବନ ମଧ୍ୟ ନେଇଯାଏ। କର୍ନାଟକର ବିଜୟପୁରା ଜିଲାରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ପ୍ରେମିକଙ୍କପ୍ରତିଶୋଧପରାୟଣ ମନୋଭାବ ୨୨ ବର୍ଷୀୟା ଯୁବତୀଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲା। ଏହି ଘଟଣାଟି ସିନ୍ଦଗି ତାଲୁକର ବନ୍ଦାଲ ଗାଁରେ ଘଟିଛି। ଏହି ଗାଁର ବାସିନ୍ଦା ଜୟଶ୍ରୀ ବୀରାଦର (୨୨)ଙ୍କୁ ତାଙ୍କ ପରିବାର ବିବାହ ସ୍ଥିର କରିଥିଲେ।

ନିର୍ବନ୍ଧ ରୀତିନୀତି ସମାପ୍ତ ହୋଇଥିଲା ଏବଂ ବିବାହର ତାରିଖ ଥିଲା ଏପ୍ରିଲ ୨୭। ଘରେ ଆନନ୍ଦର ପରିବେଶ ଥିଲା ଏବଂ ବିବାହ ପ୍ରସ୍ତୁତି ଜୋରସୋରରେ ଚାଲିଥିଲା। କିନ୍ତୁ ଜୟଶ୍ରୀଙ୍କ ଅତୀତର ଏକ ଅଧ୍ୟାୟ ଏହି ଖୁସିକୁ ଶୋକରେ ପରିଣତ କରିଥିଲା।

ଜୟଶ୍ରୀ ପୂର୍ବରୁ ଶ୍ରୀଶୈଲ ବଦନୁର ନାମକ ଜଣେ ଯୁବକଙ୍କ ସହିତ ସମ୍ପର୍କରେ ଥିଲେ। ଶ୍ରୀଶୈଲ ଜାଣିଲେ ଯେ ଜୟଶ୍ରୀଙ୍କ ବିବାହ ଅନ୍ୟତ୍ର ସ୍ଥିର ହୋଇଛି, ସେ ଏହାକୁ ସହ୍ୟ କରିପାରିଲେ ନାହିଁ। ଜୟଶ୍ରୀଙ୍କୁ ଖୋଜିବା କିମ୍ବା ବୁଝାଇବା ପରିବର୍ତ୍ତେ ସେ ତାଙ୍କୁ ବଦନାମ କରିବାକୁ ବାଛିଲେ। ଶ୍ରୀଶୈଲ ଜୟଶ୍ରୀଙ୍କ ସହିତ ତାଙ୍କର କିଛି ବ୍ୟକ୍ତିଗତ ଫଟୋ ସେହି ଯୁବକଙ୍କ ପରିବାରକୁ ପଠାଇଥିଲେ, ଯାହାକୁ ସେ ବିବାହ କରିବାକୁ ଯାଉଥିଲେ। ଫଟୋଗୁଡ଼ିକ ତାଙ୍କ ଶ୍ୱଶୁର ଘର ଲୋକଙ୍କ ପାଖରେ ପହଞ୍ଚିବା ମାତ୍ରେ, ସେମାନେ ତୁରନ୍ତ ବିବାହ ଭାଙ୍ଗି ଦେଇଥିଲେ। ବାତିଲ ହେବାର ଖବର ଜୟଶ୍ରୀଙ୍କୁ ସାମାଜିକ ଏବଂ ମାନସିକ ଭାବରେ ଭାଙ୍ଗି ପକାଇଥିଲା।
ଅପମାନ ଏବଂ ଲଜ୍ଜାରେ ଜୟଶ୍ରୀ ଗାଁର ମଦିନା ମସଜିଦ ପାଖରେ ଥିବା ଏକ କୂଅରେ ଡେଇଁ ପଡ଼ିଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଗାଁ ଲୋକ ପହଞ୍ଚିବା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ପୋଲିସ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି।
ଏହି ଘଟଣା ପରଠାରୁ ଜୟଶ୍ରୀଙ୍କ ପରିବାର ଅସହାୟ ହୋଇପଡ଼ିଛନ୍ତି। ସେମାନେ ଅଭିଯୁକ୍ତ ଶ୍ରୀଶୈଳ ବଦନୁରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସିନ୍ଦଗି ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଖୋଜୁଛି। ଏହି ଘଟଣା ପୁଣି ଥରେ ମନେ ପକାଇ ଦେଉଛି ଯେ, ସାମାଜିକ ଗଣମାଧ୍ୟମ ଏବଂ ଡିଜିଟାଲ ତଥ୍ୟ କିପରି ଜୀବନ ନଷ୍ଟ କରିପାରେ।

 

Dharitri – Odisha’s No.1 Odia Daily