ମୁମ୍ବାଇ,୩୦ା୮: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ଚେମ୍ବୁର ଅଞ୍ଚଳରୁ ୨୪ ବର୍ଷୀୟ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ଏହି ମାମଲାରେ ପୋଲିସ ମହିଳାଙ୍କ ପ୍ରେମିକଙ୍କୁ ଗିରଫ କରିଛି। ମହିଳାଙ୍କୁ ତାଙ୍କ ପ୍ରେମିକ ବିଷ ମିଶା କୋଲ୍ଡ ଡ୍ରିଙ୍କ ପିଆଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତଙ୍କର ସନ୍ଦେହ ଥିଲା ଯେ ମହିଳା ଅନ୍ୟ ଜଣେ ଯୁବକଙ୍କ ସହ ସମ୍ପର୍କରେ ଥିଲେ ।
ମୃତକଙ୍କ ପରିଚୟ ବିଷ୍ଣୁମାୟା ବୋଲି ଜଣାପଡ଼ିଛି। ପୋଲିସ ଅନୁସାରେ, ଅଗଷ୍ଟ ୨୫ରୁ ୨୬ ତାରିଖ ମଧ୍ୟରାତିରେ ଚେମ୍ବୁରର ମୈସୁର କଲୋନୀସ୍ଥିତ ବଙ୍ଗଳା ନମ୍ବର ୫୭-ଏରେ ବିଷ୍ଣୁମାୟା ଅଚେତ ଅବସ୍ଥାରେ ମିଳିଥିଲେ। ପରିବାର ଲୋକେ ତାଙ୍କୁ ତୁରନ୍ତ ହସ୍ପିଟାଲ ନେଇଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣାର ତଦନ୍ତ ଆରମ୍ଭ କରି ଆରସିଏଫ୍ ପୋଲିସ ପରିବାର ସଦସ୍ୟ ଓ ଘଟଣା ସହ ଜଡ଼ିତ ଅନ୍ୟମାନଙ୍କୁ ପଚରାଉଚରା କରିଥିଲା। ପରିସ୍ଥିତିଜନିତ ପ୍ରମାଣ ଯାଞ୍ଚ ସମୟରେ ପୋଲିସଙ୍କ ସନ୍ଦେହ ଆଶିଷ ମଗରଙ୍କ ଉପରେ ଯାଇଥିଲା।
ପୋଲିସର ଅଭିଯୋଗ ଅନୁସାରେ, ଆଶିଷ ବିଷ୍ଣୁମାୟାଙ୍କୁ ବିଷ ମିଶା କୋଲ୍ଡ ଡ୍ରିଙ୍କ ପିଆଇଥିଲେ। ତାଙ୍କର ସନ୍ଦେହ ଥିଲା ଯେ ବିଷ୍ଣୁମାୟା ଅନ୍ୟ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କରେ ଅଛନ୍ତି। ଆଶିଷ ପ୍ରଥମେ ଘଟଣାକୁ ଭିନ୍ନ ଦିଗକୁ ନେବାକୁ ଚେଷ୍ଟା କରିଥିଲେ। ମହିଳାଙ୍କ ମୃତ୍ୟୁକୁ ସାଧାରଣ କିମ୍ବା ସ୍ୱାଭାବିକ ମୃତ୍ୟୁ ବୋଲି ଦର୍ଶାଇବାକୁ ଚେଷ୍ଟା କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି ।