ଓ୍ବେଲିଂଟନ, ୮ା୩: ନ୍ୟୁଜିଲାଣ୍ଡର ଭେଟେରାନ ଫାଷ୍ଟ ବୋଲର ଲିଆ ଟାହୁହୁ ରବିବାର ଅନ୍ତର୍ଜାତୀୟ ମହିଳା ଦିନିକିଆ କ୍ରିକେଟରୁ ତାଙ୍କର ଅବସର ଘୋଷଣା କରିଛନ୍ତି। ଫଳରେ ୩୫ ବର୍ଷୀୟାଙ୍କ ଦୀର୍ଘ ୧୫ ବର୍ଷ କ୍ୟାରିୟରର ଅନ୍ତ ଘଟିଛି। ସେ ନ୍ୟୁଜିଲାଣ୍ଡ ଅନ୍ତର୍ଜାତୀୟ ମହିଳା ଦିନିକିଆ ଦଳ ତରଫରୁ ୧୦୩ ମ୍ୟାଚ ଖେଳି ୧୨୫ ଉଇକେଟ ଅକ୍ତିଆର କରିଛନ୍ତି। ସେ ୨୦୧୧ ଜୁନ୍ରେ ଅଷ୍ଟ୍ରେଲିଆ ବିପକ୍ଷରେ ତାଙ୍କ ପଦାର୍ପଣ ମ୍ୟାଚ ଖେଳିଥିଲେ। ଟାହୁହୁ ଚାରୋଟି ଦିନିକିଆ ବିଶ୍ୱକପ୍ (୨୦୧୩, ୨୦୧୭, ୨୦୨୨ ଓ ୨୦୨୫) ଖେଳିଛନ୍ତି।
ନ୍ୟୁଜିଲାଣ୍ଡ ପକ୍ଷରୁ ସେ ତାଙ୍କର ଶେଷ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଗତବର୍ଷ ବିଶ୍ୱକପ୍ରେ ଇଂଲଣ୍ଡ ବିପକ୍ଷରେ ଖେଳିଥିଲେ। ଟାହୁହୁ କେବଳ ବିଶ୍ୱକପ୍ରେ ୩୬ ଉଇକେଟ ଅକ୍ତିଆର କରିଥିଲେ, ଯାହାକି ନ୍ୟୁଜିଲାଣ୍ଡ ପାଇଁ ଏକ ରେକର୍ଡ ଏବଂ ଏହା ତାଙ୍କୁ ସର୍ବକାଳୀନ ତାଲିକାରେ ୯ମ ସ୍ଥାନରେ ରଖିଛି।

