Categories: ଖେଳ

ବୋଟାସ ଜିତିଲେ ଅଷ୍ଟ୍ରିଆନ ଗ୍ରାଁ ପ୍ରି

ସ୍ପେଲବର୍ଗ(ଅଷ୍ଟ୍ରିଆ), ୬।୭: ରବିବାର ଅନୁଷ୍ଠିତ ସିଜନ ଆରମ୍ଭ ଅଷ୍ଟ୍ରିଆନ ଗ୍ରାଁ ପ୍ରି ଫର୍ମୁଲାଓ୍ବାନ ମୋଟରରେସିଂରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ମର୍ସିଡିଜ୍‌ ଡ୍ରାଇଭର ଭାଲ୍‌ଟେରି ବୋଟାସ। ପୋଲ୍‌ ପୋଜିଶନରୁ ରେସ୍‌ ଆରମ୍ଭ କରିଥିବା ବୋଟାସ ୧:୩୦:୫୫.୭୩୯ ସେକେଣ୍ଡ ସମୟ ନେଇ ବାଜି ମାରିଛନ୍ତି। ତାଙ୍କ ଟିମ୍‌ମେଟ୍‌ ଲୁଇସ ହାମିଲଟନ ୨ୟ ଡ୍ରାଇଭରଭାବେ ରେସ୍‌ ଫିନିଶ୍‌ କରିଥିଲେ ହେଁ ପୋଡିୟମ ଫିନିଶ୍‌ କରିପାରି ନାହାନ୍ତି। ୬୭ତମ ଲ୍ୟାପ ଅବସରରେ ସେ ରେଡ୍‌ବୁଲ୍‌ ଡ୍ରାଇଭର ଆଲେକ୍ସ ଆଲବନଙ୍କ ସହ ଧକ୍କା କରିଥିବାରୁ ୫ ସେକେଣ୍ଡ ପେନାଲ୍ଟି ପାଇଥିଲେ। ଫଳରେ ହାମିଲଟନଙ୍କୁ ଏଠାରେ ୪ର୍ଥ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଫଳରେ ଫେରାରୀର ଚାଲର୍‌ସ ଲେକ୍‌ରେକ୍‌ ଦ୍ୱିତୀୟ ଏବଂ ମ୍ୟାକ୍‌ଲରେନର ଲାନ୍‌ଡୋ ନୋରିସ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। କରୋନା ଭାଇରସ ସଂକ୍ରମଣ ଯୋଗୁ ଚଳିତ ସିଜନର ଅନେକ ରେସ୍‌ ବାତିଲ କିମ୍ବା ସସପେଣ୍ଡ ରହିଥିବାବେଳେ ଏଠାରୁ ଡ୍ରାଇଭରମାନେ ଅଭିଯାନ ଆରମ୍ଭ କରିଛନ୍ତି।
ସିଜନର ପ୍ରଥମ ରେସ୍‌ରେ ୨୦ ଡ୍ରାଇଭରଙ୍କ ମଧ୍ୟରୁ ମାତ୍ର ୧୧ ଜଣ ରେସ୍‌ ଫିନିଶ୍‌ କରିପାରିଥିଲେ। ଇଞ୍ଜିନ୍‌ରେ ସମସ୍ୟା ଯୋଗୁ ହେଉ କିମ୍ବା ଟାୟାର ପଙ୍କଚ୍‌ର ୯ ଜଣ ଡ୍ରାଇଭର ରେସ୍‌ ଅଧାରୁ ଓହରି ଯାଇଥିଲେ। ବୋଟାସ, ଲେକ୍‌ରେକ୍‌ ଓ ନୋରିସ ପୋଡିୟମ ମଣ୍ଡନ କରିଥିବାବେଳେ ହାମିଲଟନ ଦୁର୍ଭାଗ୍ୟଜନକଭାବେ ୪ର୍ଥ ସ୍ଥାନରେ ରହିଛନ୍ତି। ଟପ୍‌-୧୦ ଫିନିଶ୍‌ କରିଥିବା ଅନ୍ୟ ଡ୍ରାଇଭରମାନେ ହେଲେ ମ୍ୟାକଲରେନର କାର୍ଲୋସ ସିଞ୍ଜ୍‌ ଜୁନିୟର, ରେସିଂ ପଏଣ୍ଟର ସର୍ଗିଓ ପେରେଜ, ଆଲ୍‌ଫା ଟୌରୀର ପିଏରେ ଗାସ୍‌ଲେ, ରେନଲ୍ଟର ଏଟେବନ ଓକନ, ଆଲ୍‌ଫା ରୋମିଓର ଆଣ୍ଟୋନିଓ ଜିଓଭିନାଜି ଓ ଫେରାରୀର ସେବାଷ୍ଟିଆନ ଭେଟେଲ। ରେସ୍‌ ଶେଷ କରି ୧୧ତମ ସ୍ଥାନରେ ରହିଥିବା ଅନ୍ୟ ଡ୍ରାଇଭର ଜଣକ ହେଲେ ଓ୍ବିଲିୟମ୍ସର ନିକୋଲାସ ଲାଟିଫି। ରେସ୍‌ ଅଧାରୁ ଓହରି ଯାଇଥିବା ଡ୍ରାଇଭରମାନେ ହେଲେ ମ୍ୟାକ୍ସ ଭର୍ଷ୍ଟାପେନ, ଡାନିଏଲ ରିକାର୍ଡୋ, ଲାନ୍ସ ଷ୍ଟ୍ରୋଲ୍‌, କେଭିନ ମ୍ୟାଗ୍ନୁସେନ, ଜର୍ଜ ରସେଲ, ରୋମାଇନ୍‌ ଗ୍ରସଜେନ, କିମି ରାଇକୋନେନ, ଆଲେକଜାଣ୍ଡର ଆଲ୍‌ବନ ଓ ଡାନିଏଲ କ୍ୟାଟ। ପ୍ରଥମ ୧୦ ସ୍ଥାନ ଅଧିକାର କରିଥିବା ଡ୍ରାଇଭରମାନେ ଯଥାକ୍ରମେ ୨୫, ୧୮, ୧୬, ୧୨, ୧୦, ୮, ୬, ୪, ୨, ୧ ପଏଣ୍ଟ ପାଇଛନ୍ତି।

Share