ସୀମା ବିବାଦକୁ ନେଇ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

କେନ୍ଦୁଝର,୨୯ା୪(ସ୍ବ.ପ୍ର.): ହାଟଡିହି ବ୍ଲକ ଓରାଳି ଗ୍ରାମ ଓ ଭଦ୍ରକ ଜିଲାର ଆପଣ୍ଡା ଗ୍ରାମ ସୀମାର ନାମକରଣକୁ ନେଇ ଦେଖାଦେଇଥିବା ବିବାଦ ସମାଧାନ ହେଉ ନ ଥିବାରୁ ଏହାର ସମାଧାନ ପାଇଁ ସ୍ଥାନୀୟ ଲୋକେ ଶନିବାର ଜିଲାପାଳ ଆଶିଷ ଠାକରେଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଛକର ନାମକରଣକୁ ନେଇ କିଛିଦିନ ତଳେ ହିଂସାକାଣ୍ଡ ଘଟି ଜଳାପୋଡ଼ା ହୋଇଥିଲା। ଫଳରେ ଗଣ୍ଡଗୋଳକୁ ରୋକିବା ପାଇଁ ଉକ୍ତ ସୀମାରେ ଭଦ୍ରକ ଜିଲା ପ୍ରଶାସନ ୧୪୪ ଧାରା ଲଗାଇବାକୁ ପଡ଼ିଥିଲା।

ଏହି ଛକଟି ଓରାଳି ଗ୍ରାମରୁ ମାତ୍ର ୧୫୦ ମିଟର ଦୂରରେ ରହିଥିବା ବେଳେ ଆପଣ୍ଡା ଗ୍ରାମରୁ ଏହାର ଦୂରତ୍ୱ ପ୍ରାୟ ଦେଢ଼ କିଲୋମିଟର ହେବ। ତେବେ ଏହି ଛକଟି ହାଟଡିହି ବ୍ଲକରେ ଯାଉଥିବା ବେଳେ ୧୧ ପଞ୍ଚାୟତର ୫୦ହଜାର ଲୋକଙ୍କ ଗମନାଗମନ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ଛକ ଉପରେ ହାଟଡିହି ବ୍ଲକର ଲୋକମାନେ ନିର୍ଭରଶୀଳ। ଏଣୁ ବହୁ ବର୍ଷ ଆଗରୁ ଏହାର ନାମ ଓରାଳି ଛକ ଭାବରେ ନାମିତ ହୋଇ ଆସୁଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ସମସ୍ତ ସରକାରୀ ଫଳକରେ ମଧ୍ୟ ସ୍ଥାନ ଓରାଳି ବୋଲି ଉଲ୍ଲେଖ ଥିବା ବେଳେ ଏହାକୁ କେତେକ ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ଏହି ସବୁ ଫଳକକୁ ଭାଙ୍ଗି ନୂତନ ନାମକରଣ କରି ଫଳକ ମାରିବା ଉଦ୍ୟମରୁ ଗଣ୍ଡଗୋଳ ପରିସ୍ଥିତି ଉପୁଜିଥିଲା ବୋଲି ସେମାନେ କହିଛନ୍ତି। ଏଣୁ ଜିଲାବାସୀଙ୍କ ସୁବିଧା ଓ ସୁରକ୍ଷା କରିବା ସହ ସ୍ବାଭିମାନ ରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ହସ୍ତକ୍ଷେପ କରିବାକୁ ସେମାନେ ଦାବି କରିଛନ୍ତି। ଦାବିପତ୍ର ପାଇ ଜିଲାପାଳ ଆବଶ୍ୟକ ପଦକ୍ଷେପ ନେବେ ବୋଲି ଆଶ୍ୱାସନା ଦେଇଥିବା ଗ୍ରାମବାସୀଙ୍କ ନେତୃତ୍ୱ ଦେଇ ଆସିଥିବା ଭାଜପା ନେତା ଆଲୋକ ସେଠୀ କହିଛନ୍ତି। ଶଶୀକାନ୍ତ ରାଉତ, ସତ୍ୟଜିତ ପରିଡ଼ା, ଗୋଲକ ପୁହାଣ, ଏଚ୍‌.ସି.ଜେନା, ବିଦ୍ୟାଧର ନାୟକ, ଜ୍ଞାନରଞ୍ଜନ ଖିଲାର, ଭାଗିରଥୀ ପହିଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି।