୮୦ ସ୍ପେଶାଲ ଟ୍ରେନ୍‌ ପାଇଁ ବୁକିଂ ଆରମ୍ଭ

ନୂଆଦିଲ୍ଲୀ, ୧୦।୯: ସେପ୍ଟେମ୍ବର ୧୨ରୁ ଯାତ୍ରା ଆରମ୍ଭ କରୁଥିବା ନୂଆ ୮୦ ସ୍ପେଶାଲ ଟ୍ରେନ୍‌ ପାଇଁ ଟିକଟ ବୁକିଂ ଗୁରୁବାରଠାରୁ ଆରମ୍ଭ ହୋଇଛି। ଏହାଦ୍ୱାରା ଭାରତୀୟ ରେଳ ବିଭାଗର ସ୍ପେଶାଲ ଟ୍ରେନ୍‌ ସଂଖ୍ୟା ୩୧୦ ହୋଇଛି ବୋଲି ରେଲଓ୍ବେ ବୋର୍ଡ ପକ୍ଷରୁ କୁହାଯାଇଛି। ସ୍ପେଶାଲ ଟ୍ରେନ୍‌ ପାଇଁ ବୁକିଂ ଆରମ୍ଭ ହେବା ନେଇ ପୂର୍ବରୁ ବୋର୍ଡ ଅଧ୍ୟକ୍ଷ ବି.କେ. ଯାଦବ ସୂଚନା ଦେଇଥିଲେ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସୁଦ୍ଧା ୨୩୦ ସ୍ପେଶାଲ ଟ୍ରେନ୍‌ ଚଳାଚଳା କରୁଛି। ଯାତ୍ରା ପାଇଁ ଯାତ୍ରୀଙ୍କ ଲାଗି ରେଲଓ୍ବେ ବୋର୍ଡ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଯାତ୍ରୀମାନେ ମାସ୍କ ଅବା ଫେସ୍‌ କଭର ପିନ୍ଧିବା ବାଧ୍ୟତାମୂଳକ। ସମସ୍ତଙ୍କର ଥର୍ମାଲ୍‌ ସ୍କ୍ରିନିଂ କରାଯାଉଥିବାରୁ କମ୍‌ ସେ କମ୍‌ ୯୦ ମିନିଟ୍‌ ପୂର୍ବରୁ ଷ୍ଟେଶନରେ ଯାତ୍ରୀମାନଙ୍କୁ ପହଞ୍ଚିବାକୁ ହେବ। କରୋନା ଲକ୍ଷଣ ନ ଥିବା ଯାତ୍ରୀଙ୍କୁ ଯାତ୍ରା ଲାଗି ଅନୁମତି ଦିଆଯିବ। ବଗିରେ ସାମାଜିକ ଦୂରତା ଉପରେ ଗୁରୁତ୍ୱାରୋପ କରାଯିବ ବୋଲି ରେଲଓ୍ବେ ବୋର୍ଡ ପକ୍ଷରୁ ଜାରି ହୋଇଥିବା ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି। ଆଇଆର୍‌ସିଟିସି ଓ୍ବେବସାଇଟ୍‌ ସହାୟତାରେ ଯାତ୍ରୀ ବୁକିଂ କରିପାରିବେ। ସେହିପରି ରିଜର୍ଭଶନ୍‌ କାଉଣ୍ଟରରେ ମଧ୍ୟ ବୁକିଂ କରିହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।

Share