ବାଙ୍କୀ,୧୨ା୧୦(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ନିର୍ବାଚନକୁ ନେଇ ରବିବାର ରାତିରେ ବୋମାମାଡ଼ ହୋଇଛି। ବୋମାମାଡ଼ ଫଳରେ କଲେଜ ଆସବାବପତ୍ର ସହ ଝରକା ଏବଂ କବାଟ ଭାଙ୍ଗି ନଷ୍ଟ ହୋଇଯାଇଛି । କୌଣସି ପ୍ରକାର ଅପ୍ରୀତିକର ସ୍ଥିତି ଏଡ଼ାଇବା ପାଇଁ ସେଠାରେ ପୂର୍ବରୁ ପୋଲିସ ଫୋର୍ସ ମୁତୟନ ଥିବାବେଳେ ଏଭଳି ବୋମାମାଡ଼ କରାଯିବା ଘଟଣା ସମସ୍ତଙ୍କୁ ଚକିତ କରିଛି। ଏହି ଘଟଣା ପରେ କଲେଜ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି। ଅପରପକ୍ଷରେ କଲେଜର ପ୍ରିନ୍ସିପାଲ ପ୍ରମୋଦ କୁମାର ପଣ୍ଡାଙ୍କୁ
ଏନେଇ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ଦୀର୍ଘ ୯ ବର୍ଷ ପରେ କଲେଜରେ ଛାତ୍ର ସଂସଦ ନିର୍ବାଚନ ହେଉଥିବାରୁ ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଦେଇଛି। ବାଙ୍କୀ ସ୍ବୟଂଶାସିତ ମହାବିଦ୍ୟାଳୟରେ କିନ୍ତୁ ଅଶାନ୍ତି ଦେଖା ଦେଇଛି। ଯେଉଁ ଇଚ୍ଛୁକ ଛାତ୍ରୀଛାତ୍ରମାନେ ନାମାଙ୍କନପତ୍ର ଦାଖଲ କରିପାରି ନାହାନ୍ତି କିମ୍ବା ଯାହାର ନାମାଙ୍କନପତ୍ର ଖାରଜ ହୋଇଯାଇଛି, ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଶନିବାର ଚୂଡ଼ାନ୍ତ ପ୍ରାର୍ଥତ୍ପତ୍ର ଘୋଷଣା ହେବା ପରେ କେତେକ ପ୍ରାର୍ଥୀ ହୋହଲ୍ଲା ଏବଂ ନାରାବାଜି କରିବା ସହ ଅଧ୍ୟକ୍ଷ ପଣ୍ଡାଙ୍କୁ ଘେରିଥିଲେ। ଏପରି କି କଲେଜ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରିଥିଲେ। ଶନିବାର ରାତିରେ କଲେଜ ପରିସର ମଧ୍ୟରେ ବାଣ ଫୁଟିଥିବାବେଳେ ବୋମାମାଡ଼ ହେବାର ଆଶଙ୍କା ରହିଥିଲା। କିନ୍ତୁ ଘଟଣାସ୍ଥଳରେ ପୋଲିସ ପହଞ୍ଚତ୍ବା ପରେ କୌଣସି ଅଘଟଣ ଘଟି ନ ଥିଲା। ରବିବାର ରାତି ପ୍ରାୟ ସାଢ଼େ ୮ଟା ସମୟରେ ବାଙ୍କୀ ସ୍ବୟଂଶାସିତ ମହାବିଦ୍ୟାଳୟ ପ୍ରାଣୀବିଜ୍ଞାନ ବିଭାଗ ଗୃହକୁ କେହି ବୋମାମାଡ଼ କରିଛନ୍ତି। ବୋମା ମାଡ଼ରେ ଝରକା ଭାଙ୍ଗିଯାଇଥିବାବେଳେ ଆସବାବପତ୍ର ନଷ୍ଟ ହେବା ସହ କାନ୍ଥ ଫାଟିଥିବା ଦେଖିବାକୁ ମିଳିଛି। ତେବେ ବୋମା କିଏ ପକାଇଛନ୍ତି ଏବଂ କେଉଁ କାରଣରୁ ପକାଇଛନ୍ତି, ତାହା ସ୍ପଷ୍ଟ ଜଣାପଡ଼ି ନ ଥିବାବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ବୋଲି ବାଙ୍କୀ ଆରକ୍ଷୀ ଅଧିକାରୀ ବାଳକୃଷ୍ଣ କହଁର ପ୍ରକାଶ କରିଛନ୍ତି।