ବିକ୍ରିହେଲା ବଲିଉଡ୍‌ର ଶୋ’ମ୍ୟାନ୍‌ ରାଜ କପୁରଙ୍କ ଘର

ମୁମ୍ବାଇ: ବଲିଉଡ୍‌ର ଶୋ’ ମ୍ୟାନ୍‌ ତଥା ଦିବଂଗତ ଅଭିନେତା ରାଜ କପୁରଙ୍କ ଐତିହାସିକ ବଙ୍ଗଳା ବିକ୍ରି ହୋଇଛି। ମୁମ୍ବାଇର ଚେମ୍ବୁରସ୍ଥିତ ଏହି ବଙ୍ଗଳାକୁ ଗୋଦରେଜ୍‌ ପ୍ରପର୍ଟିଜ୍‌ ଏଲ୍‌ଟିଡି ୧୦୦ କୋଟିରେ କିଣିଛି। ଏନେଇ କମ୍ପାନୀର ଚେୟାରମ୍ୟାନ ଫିରୋଜଶା ଗୋଦରେଜ୍‌ ସୂଚନା ଦେଇଛନ୍ତି। କମ୍ପାନୀ ଉକ୍ତ ସ୍ଥାନରେ ଏକ ବିଳାସପୂର୍ଣ୍ଣ ଆବାସିକ ପ୍ରକଳ୍ପ ତିଆରି କରିବାକୁ ଯୋଜନା କରିଥିବା ସୂଚନା ରହିଛି। ପ୍ରାୟ ୧ ଏକର ଜମିରେ ବିସ୍ତୃତ ଏହି ବଙ୍ଗଳାକୁ ରାଜ କପୁରଙ୍କ ଆଇନଗତ ଉତ୍ତରାଧିକାରୀ କପୁର ପରିବାରଠାରୁ କିଣାଯାଇଥିବା କମ୍ପାନୀ କହିଛି। ବଙ୍ଗଳାଟି ଥିବା ଅଞ୍ଚଳ ସବୁଠୁ ପ୍ରିମିୟମ ରେସିଡେନ୍ସି ଅଞ୍ଚଳ ବୋଲି କୁହାଯାଏ। ତେବେ ବଙ୍ଗଳାର ଦାମ ୫୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଥିଲା। କିନ୍ତୁ କପୁର ପରିବାର ଏହି ବଙ୍ଗଳାର ଦେଖାଶୁଣା କରିବାରେ ବିଫଳ ହେବାରୁ ଏହାକୁ ବିକ୍ରି କରିବାକୁ ନିଷ୍ପତ୍ତି ନେଇଥିଲେ। ୧୯୪୬ରେ ରାଜ କପୁର ଏହି ବଙ୍ଗଳାକୁ ତିଆରି କରିଥିଲେ। ସେଠାରେ ସେ, ତାଙ୍କ ସ୍ତ୍ରୀ ଏବଂ ପିଲାମାନେ ରହୁଥିଲେ। ଏହା ପୂର୍ବରୁ ମଧ୍ୟ ଗୋଦରେଜ୍‌ କମ୍ପାନୀ କପୁର ପରିବାରଠାରୁ ୨୦୧୯ ମେ’ରେ ଆର୍କେ ଷ୍ଟୁଡିଓ କିଣିଥିଲା।

Share