ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ ସେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଥିବା ନେଇ ତାଙ୍କ ପତ୍ନୀ ସୁନୀତା ଆହୁଜା ବଡ଼ ଖୁଲାସା କରିଛନ୍ତି। ଯାହାକୁ ନେଇ ଏବେ ସିନେମା ଜଗତରେ ବଡ଼ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ନିକଟରେ ମୁମ୍ବାଇରେ ଡ୍ରାମା କୁଇନ୍ ରାଖୀ ସାୱନ୍ତଙ୍କ ସହ ଫୋନ୍ରେ କଥା ହେବା ସମୟରେ ସୁନୀତା ଏହି ବଡ଼ ଖୁଲାସା କରିଥିଲେ। ଫୋନ୍ଟି ସ୍ପିକରରେ ଥିବାରୁ ସେଠାରେ ଉପସ୍ଥିତ ଥିବା ମିଡିଆ ପ୍ରତିନିଧିମାନେ ଏହା ଶୁଣିବାକୁ ପାଇଥିଲେ।
ସୁନୀତାଙ୍କ କହିବା ଅନୁଯାୟୀ, ଗୋବିନ୍ଦା ଓ ତାଙ୍କ ଅପକମିଂ ଫିଲ୍ମ ‘ରୂପା’ର ସହ-ଅଭିନେତ୍ରୀ କୋମଲ ରାନୀ ସ୍ବର୍ଣ୍ଣକାର ବିବାହ କରିବାକୁ ଯୋଜନା କରୁଥିବାରୁ ସେ କୋର୍ଟରୁ ନିଜର ଛାଡ଼ପତ୍ର ଆବେଦନ ଫେରାଇ ନେଇଛନ୍ତି। ଏହି କଥୋପକଥନ ସମୟରେ ରାଖୀ ସୁନୀତାଙ୍କୁ ପରାମର୍ଶ ଦେଇଥିଲେ ଯେ ସେ ବାକି ସବୁ ବିବାଦ ଛାଡ଼ି ଗୋବିନ୍ଦାଙ୍କ ଅନୁମାନିକ ୨୦୦ କୋଟି ଟଙ୍କାର ସମ୍ପତ୍ତିକୁ ନିଜ ନାଁରେ କରିବା ଉପରେ ଧ୍ୟାନ ଦିଅନ୍ତୁ, ନଚେତ୍ ଅନ୍ୟ କେହି ଆସି ସବୁ ହଡ଼ପ କରିନେବ।
ଗୋବିନ୍ଦାଙ୍କ ସହ ନାଁ ଯୋଡ଼ା ଯାଉଥିବା ଅଭିନେତ୍ରୀ କୋମଲ ରାନୀ ବଲିଉଡରେ ଜଣେ ନୂଆ ଚେହେରା। ଉତ୍ତର ପ୍ରଦେଶର ବାସିନ୍ଦା କୋମଲଙ୍କୁ ଗୋବିନ୍ଦା ଗତ ଜୁଲାଇ ମାସରେ ‘ରୂପା’ ଫିଲ୍ମର ମୁଖ୍ୟ ନାୟିକା ଭାବେ ମିଡିଆ ସାମ୍ନାରେ ପରିଚିତ କରାଇଥିଲେ। ନିକଟରେ ଦୁହିଁଙ୍କୁ ଏୟାରପୋର୍ଟରେ ଏକାଠି ଦେଖାଯିବା ପରେ ଦୁହେଁ ଡେଟିଂ କରୁଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା।
ସୋସିଆଲ ମିଡିଆରେ ବେଶ ସକ୍ରିୟ ଥିବା କୋମଲଙ୍କର ୧୫ ହଜାରରୁ ଅଧିକ ଫଲୋଅର୍ସ ଅଛନ୍ତି, ଯଦିଓ ତାଙ୍କ ପରିବାର ଓ ବ୍ୟକ୍ତିଗତ ଜୀବନ ବିଷୟରେ ବେଶି କିଛି ତଥ୍ୟ ସାମ୍ନାକୁ ଆସିନାହିଁ। ଏହା ପୂର୍ବରୁ ମଧ୍ୟ ଜାନୁଆରୀର ଏକ ସାକ୍ଷାତକାରରେ ସୁନୀତା ‘କୋମଲ’ ନାମକୁ ନେଇ କ୍ଷୋଭ ପ୍ରକାଶ କରିବା ସହ ଫିଲ୍ମ ଇଣ୍ଡଷ୍ଟ୍ରିରେ ’ସୁଗାର୍ ଡ୍ୟାଡି’ ଖୋଜୁଥିବା ନୂଆ ନାୟିକାଙ୍କୁ କଟାକ୍ଷ କରିଥିଲେ। ପରବର୍ତ୍ତୀ ସମୟରେ ଗୋବିନ୍ଦା କୋମଲଙ୍କ ସହ ନିଜ ଫିଲ୍ମର ଘୋଷଣା କରିବାରୁ ପ୍ରଶଂସକମାନେ ସୁନୀତାଙ୍କ ପୁରୁଣା ମନ୍ତବ୍ୟକୁ ଏହା ସହ ଯୋଡ଼ିଥିଲେ।
ଅପରପକ୍ଷରେ ଗୋବିନ୍ଦା ଏକ ଭିଡିଓ ବାର୍ତ୍ତା ଜାରି କରି ସୁନୀତାଙ୍କ କଟୁ ଭାଷା ବ୍ୟବହାରକୁ ସମାଲୋଚନା କରିଥିଲେ ଏବଂ ନିଜର ସାର୍ବଜନୀନ ଚେହେରାକୁ ଧ୍ୟାନରେ ରଖି କଥାବାର୍ତ୍ତାରେ ସଂଯମତା ରକ୍ଷା କରିବାକୁ ପରାମର୍ଶ ଦେଇଥିଲେ। ତେବେ ଗୋବିନ୍ଦାଙ୍କ ମ୍ୟାନେଜର ସୁନୀତାଙ୍କ ଦ୍ୱିତୀୟ ବିବାହ ଦାବିକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ମିଥ୍ୟା ବୋଲି କହି ପ୍ରତ୍ୟାଖ୍ୟାନ କରିଛନ୍ତି।
Dharitri – Odisha’s No.1 Odia Daily