ରେଳଧାରଣାରୁ ଯୁବକଙ୍କ ମୃତଦେହ ଜବତ

ବ୍ରହ୍ମପୁର ଅଫିସ,୧୭ା:  ଗଞ୍ଜାମ ଜିଲା ଗୋପାଳପୁର ଲେବଲକ୍ରସିଂ ନିକଟ ରେଳଧାରଣାରୁ ଜିଆରପି ପୋଲିସ ଶୁକ୍ରବାର ଜଣେ ଯୁବକଙ୍କ ମୃତଦେହ ଜବତ କରିଛି। ମୃତକ ଜଣଙ୍କ ଗୋପାଳପୁର ଥାନା ଅନ୍ତର୍ଗତ ଭଞ୍ଜବିହାରର କୈଳାସ ଗୌଡ଼ଙ୍କ ପୁଅ ଦୀପକ କୁମାର (୨୬)। ପୋଲିସ ମୃତ ଦୀପକଙ୍କ ପକେଟରୁ ଏକ ମନିପର୍ସ ଜବତ କରିଛି। ସେଥିରେ ୧୧୦୦ ଟଙ୍କା, ଅନ୍ୟାନ୍ୟ କାଗଜପତ୍ର ଥିବା ପୋଲିସ କହିଛି। ସେହିପରି ଏକ ମୋବାଇଲ ମଧ୍ୟ ଜବତ ହୋଇଥିବା ଜଣାପଡ଼ିଛି। ଖବର ପାଇ ଦୀପକଙ୍କ ଭାଇ ରାଜେଶ ଗୌଡ଼ ଓ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ ମୃତଦେହ ଜବତ କରି ୧୬/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ପ୍ରାଥମିକ ଅନୁସନ୍ଧାନରୁ ଦୀପକ କୌଣସି ଏକ ଘରୋଇ ଅଶାନ୍ତିକୁ କେନ୍ଦ୍ରକରି ମାନସିକ ଚାପରୁ ଟ୍ରେନ୍‌ ଆଗକୁ ଆସି ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି।

ଘଟଣାରୁ ପ୍ରକାଶ, ଦୀପକ ଜଣେ ଅଟୋ ଚାଳକ ଅଟନ୍ତି। କୌଣସି କାରଣରୁ ସେ ଗୁରୁବାର ରାତିରେ ଘରକୁ ଫେରି ନ ଥିଲେ। ଏନେଇ ପରିବାର ଲୋକେ ଚିନ୍ତିତ ଥିଲେ। ଗୋପାଳପୁର ଲେବଲ କ୍ରସିଂ ରେଳଧାରଣାରେ ମୃତଦେହ ପଡ଼ିଥିବା ଖବର ପାଇ ତାଙ୍କ ପରିବାର ଲୋକେ ସେଠାରେ ପହଞ୍ଚିଥିଲେ। ସେଠାରେ ପୋଲିସ ଉପସ୍ଥିତିରେ ମୃତ ଦୀପକଙ୍କୁ ତାଙ୍କ ଭାଇ ରାଜେଶ  ଚିହ୍ନଟ କରିଥିବା ପୋଲିସ ଠାରୁ ସୂଚନା ମିଳିଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଥିବା କହିଛି।