କୁତ୍ରା, ୧୪।୧୦(ଦେବାଶିଷ ସାହୁ): ସୁନ୍ଦରଗଡ଼ ଜିଲା କୁତ୍ରା ଥାନାଠାରୁ ମାତ୍ର ୨୦୦ ମିଟର ଦୂରରେ ଥିବା ଏକ ପେଟ୍ରୋଲ ପମ୍ପ ନିକଟ ରାସ୍ତାକଡ଼ରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଠାବ କରାଯାଇଛି। ଗତ ରାତିରେ କୌଣସି ଭାରୀଯାନ ତାଙ୍କ ଉପରେ ଚଢ଼ିଯିବା ଫଳରେ ମୃତ୍ୟୁ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି। ସକାଳେ ରାସ୍ତାକଡ଼ରେ ମୃତଦେହ ପଡ଼ିଥିବା ନେଇ ସୂଚନା ପାଇବା ପରେ କୁତ୍ରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ମୃତ ବ୍ୟକ୍ତିଙ୍କ ପରିଚୟ ଏଯାବତ୍ ମିଳିପାରି ନାହିଁ। ସେ କୌଣସି ଗାଡ଼ିର ଚାଳକ କିମ୍ବା ହେଲପର ଭାବେ କାମ କରୁଥାଇପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି।
ସୂଚନାଯୋଗ୍ୟ, ମୃତଦେହ ମିଳିଥିବା ପେଟ୍ରୋଲ ପମ୍ପ ନିକଟ ରାସ୍ତାକଡ଼ରେ ରାତିସାରା ଅନେକ ଗାଡ଼ି ପାର୍କିଂ କରାଯାଇଥାଏ। ଏହି ପରିସ୍ଥିତିରେ କିପରି ଓ କେଉଁ ପରିସ୍ଥିତିରେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଲା, ତାହା ଜାଣିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି।