କୋକସରା,୧୨ା୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକର ଡୋକାରୀଦର ଜଳପ୍ରପାତରେ ବୁଡ଼ି ନିଖୋଜ ଥିବା ଯୁବକଙ୍କ ମୃତଦେହ ମଙ୍ଗଳବାର ଜବତ ହୋଇଛି। ସୂଚନା ଅନୁସାରେ ଗତ ରବିବାର ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ଡୁମେରମୁଣ୍ଡା ଗ୍ରାମର ୨ ଜଣ ଯୁବକ ବୁଲିବାକୁ ଆସି ଡୋକାରୀଦର ଜଳପ୍ରପାତ ଉପରୁ ସେଲଫି ନେଉଥିବା ବେଳେ ଅସାବଧାନତା କାରଣରୁ ଅଭିନାଶ ପରଜା (୨୧) ଜଳପ୍ରପାତ ଗଭୀର ଜଳରେ ବୁଡି ନିଖୋଜ ହୋଇଯାଇଥିଲେ। ତାଙ୍କ ସାଙ୍ଗ ଦିଲେଶ୍ୱର ଭତରା ଓ ଅନ୍ୟମାନେ ଖୋଜାଖୋଜି କରିଥିଲେ ମଧ୍ୟ ସନ୍ଧାନ ମିଳି ନ ଥିଲା। ପରେ କୋକସରା ଦମକଳ ବାହିନୀ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ବି ସୁଫଳ ମିଳି ନ ଥିଲା। ମଙ୍ଗଳବାର ସକାଳୁ ଅଗ୍ନିଶମ କର୍ମଚାରୀ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଗଭୀର ପାଣିରୁ ଅଭିନାଶଙ୍କ ମୃତଦେହ ଠାବ କରିଥିଲେ। ଆମପାଣି ପୋଲିସ କୋକସରା ହସ୍ପିଟାଲରେ ମୃତଦେହ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏ ସଂକ୍ରାନ୍ତରେ ଆମପାଣି ଥାନାରେ ଏକ ଅପମୃତ୍ୟୁ ମାଲା (ନଂ.୧/୨୫) ରୁଜୁ ହୋଇଛି। ସୂଚନାଯୋଗ୍ୟ ଯେ, ବିଗତ ବର୍ଷରେ ମଧ୍ୟ ଏହି ଜଳପ୍ରପାତରେ ଜଣେ ଯୁବକ ସେଲଫି ନେବା ବେଳେ ଓ ଅନ୍ୟ ଜଣେ ଗାଧୋଇବା ବେଳେ ବୁଡିଯାଇ ପ୍ରାଣ ହରାଇଥିଲେ।


