ଥୁଆମୂଳ ରାମପୁର, ୨୮ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ମାଛ ଧରିବାକୁ ଯାଇଥିବା ବେଳେ ଭାରସାମ୍ୟ ହରାଇ ଏକ ଦେଶୀ ଡଙ୍ଗା ଓଲଟି ପଡ଼ିବାରୁ ଜଣେ ବ୍ୟକ୍ତି ନିଖୋଜ ହୋଇଯାଇଥିବା ବେଳେ ଅନ୍ୟ ଦୁଇଜଣ ସୌଭାଗ୍ୟବଶତଃ ପହଁରି ପହଁରି କୂଳକୁ ଫେରିଛନ୍ତି। ନିଖୋଜ ବ୍ୟକ୍ତିଜଣକ ହେଲେ ବ୍ରାହ୍ମଣୀ ଚଞ୍ଚରା ଗ୍ରାମର ହର ବେହେରୁକ୍ (୪୫)।
ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୧୧.୩୦ ମିନିଟ ସମୟରେ ବ୍ରାହ୍ମଣୀ ଚଞ୍ଚରା ଗ୍ରାମର ତିନିଜଣ ବ୍ୟକ୍ତି—ହର ବେହେରୁକ୍, ରବି ପୁଝାରୀ (୪୫) ଏବଂ ଚନ୍ଦ୍ର ବେହେରା (୩୨) ଏକ ଦେଶୀ ଡଙ୍ଗା ସାହାଯ୍ୟରେ ସିକାତୁଜି ଗାଁ ନିକଟସ୍ଥ ଜୁରଘାଟରୁ ମାଛ ଧରିବା ପାଇଁ ଜଳଭଣ୍ଡାର ଭିତରକୁ ଯାଇଥିଲେ। ତେବେ ଗଭୀର ଜଳରାଶି ମଧ୍ୟରେ ହଠାତ୍ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏହି ସମୟରେ ରବି ଓ ଚନ୍ଦ୍ର ଜୀବନ ବିକଳରେ ପହଁରି କୂଳକୁ ଆସିବାରେ ସକ୍ଷମ ହୋଇଥିବା ବେଳେ ହର ବେହେରୁକ୍ ନିଖୋଜ ହୋଇଯାଇଥିଲେ। ଘଟଣା ସମ୍ପର୍କରେ ଜଳଭଣ୍ଡାର କୂଳକୁ ଫେରିଥିବା ବ୍ୟକ୍ତିମାନେ ସୂଚନା ଦେବା ପରେ ଗ୍ରାମବାସୀ ତୁରନ୍ତ ସ୍ଥାନୀୟ ପ୍ରଶାସନ, ଥୁଆମୂଳ ରାମପୁର ଥାନା ପୋଲିସ ଏବଂ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଏବଂ ଅଗ୍ନିଶମ ବିଭାଗର ଓଡ୍ରାଫ (ODRAF) ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଶେଷ ସୂଚନା ସୁଦ୍ଧା ନିଖୋଜ ହର ବେହେରୁକ୍ଙ୍କ କୌଣସି ପତ୍ତା ମିଳିପାରି ନାହିଁ। ଜଳଭଣ୍ଡାର କୂଳରେ ଗ୍ରାମବାସୀଙ୍କ ଭିଡ଼ ଜମିଥିବା ବେଳେ ଅଗ୍ନିଶମ ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

