ଭୟଙ୍କର! ମନ୍ତ୍ରୀଙ୍କ ଘରେ ପାଣି ପଶିବା ପରେ ବାଲି ପକାଇବାକୁ ଯାଉଥିଲେ ଶ୍ରମିକ, ମଝି ନଦୀରେ ଓଲଟିଲା ଡଙ୍ଗା, ୨୨ ଶ୍ରମିକ…

ପାଟନା,୨୬।୮: ବିହାରର ଭାଗଲପୁରରେ ଗଙ୍ଗା ନଦୀରେ ଏକ ବଡ଼ ଅଘଟଣ ଘଟିଛି । ନବଗଛିଆ ଅନ୍ତର୍ଗତ ଖରୀକ ବ୍ଲକର ରାଘୋପୁର ତଟବନ୍ଧ ନିକଟରେ ୨୨ ଜଣ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ଓଲଟି ପଡ଼ିଛି । ଡଙ୍ଗାରେ ଥିବା ୨୧ ଜଣ ଶ୍ରମିକ ନଦୀରେ ପହଁରି ନିଜ ଜୀବନ ବଞ୍ଚାଇବାରେ ସଫଳ ହୋଇଥିବା ବେଳେ ଜଣେ ଶ୍ରମିକ ଏବେ ବି ନିଖୋଜ ଅଛନ୍ତି।

ଘଟଣାର ସୂଚନା ପାଇ ଏସ୍‌ଡିଆର୍‌ଏଫ୍‌ ଟିମ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ୨୧ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି । ନିଖୋଜ ଶ୍ରମିକଙ୍କୁ ଖୋଜିବା ପାଇଁ ଏବେ ମଧ୍ୟ ରେସ୍କ୍ୟୁ ଅପରେସନ୍‌ ଜାରି ରହିଛି। ସୂଚନା ଅନୁସାରେ, ଏହି ଶ୍ରମିକମାନେ ଗଙ୍ଗା ନଦୀର କ୍ଷୟକୁ ରୋକିବା ପାଇଁ କାମରେ ନିୟୋଜିତ ଥିଲେ । ଡଙ୍ଗାରେ ବହୁ ସଂଖ୍ୟାରେ ବାଲି ବସ୍ତା ମଧ୍ୟ ଲଦା ଯାଇଥିଲା। ନଦୀର ପ୍ରବାହ ପରିବର୍ତ୍ତନ ଏବଂ ବିପରୀତ ଧାରାର ଚାପ ବଢ଼ିବାରୁ ଡଙ୍ଗାଟି ହଠାତ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ପ୍ରାଥମିକ ଭାବେ କୁହାଯାଉଛି।

ଡଙ୍ଗା ଓଲଟିବା ସହିତ ସମସ୍ତ ୨୨ ଜଣ ଶ୍ରମିକ ଗଙ୍ଗା ନଦୀକୁ ଖସି ପଡ଼ିଥିଲେ। ତେବେ ୨୧ ଜଣ ନିଜେ ପହଁରି କୂଳକୁ ଆସିବାରେ ସଫଳ ହୋଇଥିଲେ। ଉଲ୍ଲେଖଯୋଗ୍ୟ, ଦୁଇ ଦିନ ପୂର୍ବରୁ ରାଘୋପୁର ଗାଁ ନିକଟରେ ଗଙ୍ଗା ତଟବନ୍ଧ ଭାଙ୍ଗିଯିବାରୁ ଅଞ୍ଚଳରେ ପାଣି ପଶିଥିଲା। ବିହାର ସରକାରଙ୍କ ଶକ୍ତିମନ୍ତ୍ରୀ ବୁଲୋ ମଣ୍ଡଳଙ୍କ ବାସଭବନ ସମେତ ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି। ପରିସ୍ଥିତିର ଗମ୍ଭୀରତାକୁ ଦେଖି ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ନିକଟରେ ଆକାଶମାର୍ଗରୁ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିଥିଲେ । ଏଥିସହ ଜିଲା ପ୍ରଶାସନକୁ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ୍ ଓ ରେସ୍କ୍ୟୁ ଅପରେସନ୍ ଚଳାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲାପାଳ ଅଳଙ୍କୃତା ପାଣ୍ଡେଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ରହି ପରିସ୍ଥିତି ଉପରେ ନଜର ରଖିଛନ୍ତି।

 

Dharitri – Odisha’s No.1 Odia Daily

Share