ସ୍କୁଲ ପଛ ନାଳରୁ ଛାତ୍ରଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ସୋମବାରଠାରୁ ଥିଲେ ନିଖୋଜ

କୋରାପୁଟ,୨୬।୮(ଅମିତାଭ ବେହେରା): ବୋରିଗୁମ୍ମା ବ୍ଲକ ଗୁମୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ପଛପଟ ନାଳରୁ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି । ମୃତ ଛାତ୍ର ହେଲେ ହରଡ଼ାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ମାରାଡ଼ ମାଲିଗୁଡ଼ା ଗ୍ରାମର ଗୁରୁନାଥ। ସେ ବିଦ୍ୟାଳୟ ହଷ୍ଟେଲରେ ରହି ପାଠ ପଢ଼ୁଥିଲେ। ପରିବାର ଲୋକେ ଏହାକୁ ହତ୍ୟା ବୋଲି ସନ୍ଦେହ କରିଛନ୍ତି।

ସୂଚନା ଅନୁଯାୟୀ, ଗତ ସୋମବାରଠାରୁ ଗୁରୁନାଥ ବିଦ୍ୟାଳୟ ପରିସରରୁ ନିଖୋଜ ଥିଲେ। ତିନି ଦିନ ପରେ ଆଜି ସ୍କୁଲ ପଛପଟ ନାଳରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ଛାତ୍ର ନିଖୋଜ ହେବା ସମ୍ପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଥାନା କିମ୍ବା ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରିନଥିବା ଅଭିଯୋଗ ହୋଇଛି। ଏପରିକି ମୃତ ଛାତ୍ରଙ୍କ ପରିବାରକୁ ମଧ୍ୟ ବିଦ୍ୟାଳୟ ପକ୍ଷରୁ କୌଣସି ସୂଚନା ଦିଆଯାଇନଥିବା ପରିବାର ଲୋକେ କହିଛନ୍ତି।

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଛାତ୍ରାବାସ ପରିଚାଳନା ଉପରେ ଏହି ଘଟଣା ପ୍ରଶ୍ନ ଉଠାଇଛି। ଛାତ୍ରୀ ଛାତ୍ରଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବା ଏବଂ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସରକାର ରହିବା, ଖାଇବା, ପୋଷାକ ସହ ବିଭିନ୍ନ ସୁବିଧା ଯୋଗାଇ ଦେଉଛନ୍ତି । ତଥାପି କେତେକ ବିଦ୍ୟାଳୟରେ ଦାୟିତ୍ୱହୀନତା ଓ ବିଭାଗୀୟ ଅଧିକାରୀଙ୍କ ତଦାରଖ ଅଭାବରୁ ଛାତ୍ରାବାସରେ ଛାତ୍ରମୃତ୍ୟୁ ଘଟଣା ସାମ୍ନାକୁ ଆସୁଥିବା ଅଭିଯୋଗ ହୋଇଛି।

ଘଟଣାକୁ ନେଇ ସ୍ଥାନୀୟ ଜିଲା ପରିଷଦ ସଦସ୍ୟ ନୃସିଂହ ନାଥ ଶତପଥୀ କ୍ଷୋଭ ପ୍ରକାଶ କରିଛନ୍ତି। ଏଭଳି ଘଟଣା ଦୁର୍ଭାଗ୍ୟଜନକ ବୋଲି କହିବା ସହ ଏଥିପାଇଁ ଦାୟୀ ସମସ୍ତଙ୍କ ବିରୋଧରେ ଜିଲା ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି। ଘଟଣା ସମ୍ପର୍କରେ ବିଦ୍ୟାଳୟ କିମ୍ବା ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିନଥିବା ବେଳେ ବି. ସିଂହପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ନ୍ୟାୟ ଦାବିରେ ବିଦ୍ୟାଳୟ ସମ୍ମୁଖରେ ମୃତଦେହ ରଖି ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ ବିକ୍ଷୋଭ ଜାରି ରହିଛି ।

 

Dharitri – Odisha’s No.1 Odia Daily

Share
Tags: koraput news