ରାସ୍ତାକଡରେ ଆବର୍ଜନା ପଡିବାରୁ ରାସ୍ତା ଅବରୋଧ

କେନ୍ଦୁଝର,୧।୧୨ (ସ୍ବ.ପ୍ର.): କେନ୍ଦୁଝର ଜିଲା ପଣ୍ଡାପଡା ଥାନା ଅନ୍ତର୍ଗତ ନରଣପୁର-ଡୁବୁରି ରାସ୍ତାର ଉକୁଚାବେଡା ନିକଟରେ କେନ୍ଦୁଝର ସହରରୁ ବାହାରୁଥିବା ମଇଳା ଆବର୍ଜନା ଫିଙ୍ଗା ଯାଉଥିବା ପ୍ରତିବାଦରେ ଗୁରୁବାର ସ୍ଥାନୀୟ ଲୋକେ ପ୍ରତିବାଦ କରି ରାସ୍ତା ଅବରୋଧ କରିଛନ୍ତି। ଫଳରେ ଉକ୍ତ ରାସ୍ତାରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ପଣ୍ଡାପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ଉଠିଥିଲା।
ପ୍ରକାଶ ଯେ, କେନ୍ଦୁଝର ସହରର ଦୋକାନ ବଜାର ଏବଂ ହୋଟେଲରୁ ବାହାରୁଥିବା ଦୈନିକ ୧୫ ଟ୍ରିପରୁ ଉର୍ଦ୍ଧ୍ୱ ମଇଳା ବାହାରୁଥିଲେ ହେଁ ସେସବୁର ପରିଚାଳନା ପାଇଁ କୌଣସି ଡମ୍ପିଂ ୟାର୍ଡ ନ ଥିବାରୁ ଏଣେ ତେଣେ ଫିଙ୍ଗାଯାଉଛି। ଫଳରେ ଢାଙ୍ଗରପଡା ଶ୍ମଶାନ ଏବେ ଡମ୍ପିଂ ୟାର୍ଡ ପାଲଟି ପ୍ରଦୂଷଣ ସୃଷ୍ଟି କରୁଛି। ସେହିପରି ହଳଦିଆଟାଙ୍ଗିରୀ ମନ୍ଦିର ରାସ୍ତା, ଘୁଟୁର ଆଦି ଅଞ୍ଚଳରେ ମଇଳା ଆବର୍ଜନା ପକାଯାଉଥିବାରୁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ସେହିପରି କିଛି ଦିନ ହେଲା ମଇଳା ଆବର୍ଜନା ଉକୁଚାବେଡା ରାସ୍ତାକଡରେ ପକାଯାଉଥିବାରୁ ଜନସାଧାରଣ ପ୍ରତିବାଦ କରି ଆସୁଥିଲେ। କେହି ନ ଶୁଣିବାରୁ ଲୋକେ ରାସ୍ତାକୁ ଓହ୍ଲାଇଥିଲେ। ତେବେ କେନ୍ଦୁଝରଗଡ ପୌରପାଳିକା ପକ୍ଷରୁ ଅଳିଆ ଆବର୍ଜନା ଉଠାଇବା ପରେ ସ୍ଥାନୀୟ ଗ୍ରାମବାସୀ ରାସ୍ତାରୋକୋରୁ ଉଠିଥିଲେ।