୩ ଦଫା ଦାବିରେ ରାସ୍ତା ଅବରୋଧ

ନିରାକାରପୁର,୩୦ା୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଜି. ଉଦୟଗିରି ଥାନା ଏସ୍‌ଆଇ ସ୍ବାଗତିକା ବେହେରା ଗତ ଶନିବାର ସରକାରୀ କ୍ୱାର୍ଟର୍ସରେ ଆତ୍ମହତ୍ୟା କରିଥିଲେ। ଆଇଆଇସି ରେବତୀ ଶବର ମାନସିକ ନିର୍ଯାତନା ଦେଇଥିବାରୁ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ସୋମବାର ତାଙ୍କ ମୃତଦେହ ଜନ୍ମମାଟି ଖୋର୍ଦ୍ଧା ଜିଲା ନିରାକାରପୁରରେ ପହଞ୍ଚିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ୩ ଦଫା ଦାବିରେ ସ୍ଥାନୀୟ ଗ୍ରାମବାସୀ ଏବଂ ମୃତକଙ୍କ ସମ୍ପର୍କୀୟ କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖ ନୂଆ ଜଗନ୍ନାଥ ସଡ଼କ ଉପରେ ସକାଳ ୮ଟାରୁ ମୃତଦେହ ରଖି ରାସ୍ତା ଅବରୋଧ କରିଥିଲେ। ଫଳରେ ଉଭୟ ପଟୁ ଆସୁଥିବା ଯାନବାହନ ଅଟକି ରହିଥିଲା। ମୃତ ଏସ୍‌ଆଇ ବେହେରାଙ୍କ ଘରର ଜଣଙ୍କୁ ଚାକିରି, ଫ୍ୟାମିଲି ପେନ୍‌ସନ୍‌ ଓ ଉଚ୍ଚସ୍ତରୀୟ ଅଧିକାରୀଙ୍କୁ ତଦନ୍ତ ଭାର ଦେବା ଆଦି ଦାବି ରହିଛି। ଖବରପାଇ ଟାଙ୍ଗୀ ତହସିଲଦାର ଦାୟିତ୍ୱରେ ଥିବା ବିଡିଓ ଐଶ୍ୱର୍ଯ୍ୟା ସାମନ୍ତରାୟ, ଅତିରିକ୍ତ ତହସିଲଦାର ଶରତ କୁମାର ଦେହୁରି, ସ୍ଥାନୀୟ ଥାନା ଅଧିକାରୀ ଗୀତାଞ୍ଜଳି ନାୟକ ପ୍ରମୁଖ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ। ଏହି ପରିପ୍ରେକ୍ଷୀରେ ଆନ୍ଦୋଳନକାରୀଙ୍କ ପକ୍ଷରୁ ୩ ଦଫା ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ପ୍ରଦାନ କରାଯାଇଥିଲା। ଉକ୍ତ ଦାବିଗୁଡ଼ିକ ସମ୍ପର୍କରେ କନ୍ଧମାଳ ଓ ଖୋର୍ଦ୍ଧା ଏସ୍‌ପିଙ୍କ ସହ ଆଲୋଚନା କରିବା ସହ ଏକ ଲିଖିତ ପତ୍ର ପ୍ରଦାନ କରିବି ବୋଲି ବାଲୁଗଁା ଏସ୍‌ଡିପିଓ ମାନସ ରଞ୍ଜନ ବାରିକ ଫୋନ ମାଧ୍ୟମରେ ପ୍ରତିଶ୍ରୁତି ଦେବା ପରେ ମଧ୍ୟାହ୍ନ ୧୨ଟାରେ ରାସ୍ତାରୋକୋ ପ୍ରତ୍ୟାହୃତ ହୋଇଥିଲା। ପରେ ଯାନବାହନ ଚଳାଚଳ ସ୍ବାଭାବିକ ହୋଇଥିଲା। ଶୋକାକୂଳ ପରିବେଶରେ ଗ୍ରାମ ଶ୍ମଶାନରେ ଏସ୍‌ଆଇ ବେହେରାଙ୍କ ମୃତଦେହ ସତ୍କାର କରାଯାଇଥିଲା।
ସୂଚନାଥାଉ କି, ଏସ୍‌ଆଇ ବେହେରା ଗତ ୯ ମାସ ତଳେ ଜି. ଉଦୟଗିରି ଥାନାରେ ଦାୟିତ୍ୱ ଗ୍ରହଣ କରିଥିଲେ। ସରକାରୀ କ୍ୱାର୍ଟର୍ସରେ ବେହରା ଏକା ରହୁଥିବା ବେଳେ ଗତ ଶନିବାର ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଖବରପାଇ ମୃତାଙ୍କ ମା’ ଉଷାରାଣୀ ବେହେରା ଓ ଦୁଇ ଭାଇ ଜି. ଉଦୟଗିରିରେ ପହଞ୍ଚିଥିଲେ। ବଡ଼ ଭାଇ ମନୋରଞ୍ଜନ ବେହେରା ତାଙ୍କ ଭଉଣୀଙ୍କ ଆତ୍ମହତ୍ୟା ପାଇଁ ଜି.ଉଦୟଗିରି ଆଇଆଇସିଙ୍କୁ ଦାୟୀ କରିଥିଲେ। ଉଷାରାଣୀଙ୍କ ଏତଲା ଅନୁଯାୟୀ ନଂ. ୧୩୦/୨୨ରେ ମାମଲା ରୁଜୁ ହୋଇଛି।