ପାଲୁରୁ ସାହେବ କେନାଲ ଅବରୋଧ, ଦୁର୍ଦ୍ଦିନରେ ମତ୍ସ୍ୟଜୀବୀ

ଗଞ୍ଜାମ,୬ା୮(ଡି.ଏନ.ଏ.): ଗଞ୍ଜାମ ବ୍ଲକ ଅଧୀନରେ ଥିବା ପାଲୁରୁ ସାହେବ କେନାଲ ନୂତନ ପୋଡ଼ାମପେଟା ଓଡିଆର୍‌ପି ସାମୁଦ୍ରିକ ମତ୍ସ୍ୟଜୀବୀଙ୍କ ଗମନାଗମନ ସୁବିଧା ଦୃଷ୍ଟିରୁ ମୟୂରପଦା ଗ୍ରାମ ନିକଟରେ ଏକ ସେତୁ ନିର୍ମାଣ କାର୍ଯ୍ୟ ଚାଲୁରହିଛି। ଯାହାକୁ ନେଇ ଉକ୍ତ ସ୍ଥାନରେ ପ୍ରାୟ ୬ ମାସରୁ ଊର୍ଦ୍ଧ ଦିନ ହେବ ବାଲି ବସ୍ତା ରଖାଯାଇ କେନାଲକୁ ଅବରୋଧ କରାଯାଇଛି। ଏହା ଦ୍ୱାରା ଚିଲିକା ହ୍ରଦରେ ମାଛ ମାରି ଜୀବିକା ନିର୍ବାହ କରିଆସୁଥିବା ପାରମ୍ପରିକ ମତ୍ସ୍ୟଜୀବୀମାନଙ୍କ ପାଇଁ ଅଭିଶାପର କାରଣ ପାଲଟିଛି। ଯଦ୍ଦ୍ବାରାକି ଚିଲିକାରେ ମାଛ ମାରି ଜୀବିକା ନିର୍ବାହ କରିଆସୁଥିବା ୯୫ ପ୍ରତିଶତ ମତ୍ସ୍ୟଜୀବୀ ଜୀବିକା ହରାଇ ଦୁର୍ଦ୍ଦିନରେ କାଳ କାଟୁଥିବା ଅଭିଯୋଗ ହେଉଛି। ସେତୁର ଉତ୍ତର ଦିଗରେ ପ୍ରାୟ ୧୦ କିଲୋମିଟର ପର୍ଯ୍ୟନ୍ତ କେନାଲ ପରେ ଚିଲିକା ହ୍ରଦ ରହିଛି। ପ୍ରାୟ ୬ ମାସ ହେଲା କେନାଲ ଜଳ ନିଷ୍କାସିତ ନ ହୋଇ ସ୍ଥିର ହୋଇଯିବା ଫଳରେ କେନାଲ ଜଳ ବର୍ତ୍ତମାନ ନାଲି ପଡ଼ିଯିବା ସହ ବିଷାକ୍ତ ହୋଇଯାଇଥିବା ଲକ୍ଷ୍ୟ କରାଯାଇଛି। ଋଷିକୁଲ୍ୟା ମୁହାଣ ଅଞ୍ଚଳରେ ଜଳଜୀବ ଦେଉଥିବା ଅଣ୍ଡା କେନାଲ ଦେଇ ଚିଲିକା ହ୍ରଦକୁ ଯାଇପାରୁନାହିଁ। ଫଳରେ ଚିଲିକାରେ ମତ୍ସ୍ୟାଭାବ ଦେଖାଯାଇଛି। ଏଥିପାଇଁ ଅନ୍ୟ ରାଜ୍ୟରେ ସେମାନେ ଦାଦନ ଖଟୁଥିବା ଅଭିଯୋଗ କରିଛନ୍ତି ବ୍ଲକର ଗଜପତି ନଗର ଗ୍ରାମର ମତ୍ସ୍ୟଜୀବୀ ଗୌରହରି ବେହେରା। ଉକ୍ତ ଅବରୋଧ ଦ୍ୱାରା ଗଞ୍ଜାମ ବ୍ଲକର ଗଜପତି ନଗର, ଗୌରାଙ୍ଗ ପାଟଣା ରମ୍ଭା, ଖଲ୍ଲିକୋଟ ବ୍ଲକର ସାବୁଳିଆ, କେଶପୁର, ଲଙ୍ଗଳେଶ୍ୱର, ପୁରୀ ଜିଲା କୃଷ୍ଣପ୍ରସାଦଗଡ଼ ବ୍ଲକର କୁମାରପୁର, ପାଟନାସୀ ମଲେଶ୍ୱରୀ, ଖଳାମୁହଁ, ରସକୁଦୀ, ବାଲିନାସୀ, ହରିପୁର, ଶ୍ରୀରାମପୁର ପ୍ରମୁଖ ମତ୍ସ୍ୟଜୀବୀ କୁଳ ପ୍ରଭାବିତ ହୋଇଥିବା ଅଭିଯୋଗ ହେଉଛି। ନିର୍ମାଣ ପୂର୍ବରୁ ନିର୍ମାଣାଧୀନ ପୋଲ ନିକଟରେ ଗଳାଶଙ୍ଖ ସାହାଯ୍ୟରେ ଜଳ ନିଷ୍କାସନ ବିଭାଗୀୟ କର୍ତ୍ତୃପକ୍ଷ ବ୍ୟବସ୍ଥା କରିବା ନେଇ ପଦକ୍ଷେପ ନେବାର ଆବଶ୍ୟକତା ରହିଥିଲା ବୋଲି ମତ୍ସ୍ୟଜୀବୀ ପ୍ରକାଶ କରିଛନ୍ତି। ଚିଲିକାର ପାରମ୍ପରିକ ମତ୍ସ୍ୟଜୀବୀଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ତୁରନ୍ତ ପୋଲ ନିର୍ମାଣ କରାଯାଇ କେନାଲ ଅବରୋଧ ହଟାଇବାକୁ
ମତ୍ସ୍ୟଜୀବୀ କୁଳ ପକ୍ଷରୁ ଦାବି ହେଉଛି।