ମହାପ୍ରଭୁଙ୍କ ଆଶୀର୍ବାଦ

ଜି ପବିତ୍ର ଶ୍ରୀଗୁଣ୍ଡିଚା। ଅନନ୍ୟ ଆମର ମହାପ୍ରଭୁ। ଅନନ୍ୟ ତାଙ୍କର ମାନବୀୟ ଲୀଳା। ନବଦିନାତ୍ମକ ଯାତ୍ରାରେ ବାହାରିବେ ମହାବାହୁ। ରତ୍ନ ସିଂହାସନ ଛାଡ଼ି ଜନ ସମୁଦ୍ର ଭିତରକୁ ଆସିବେ କାଳିଆ ସାଆନ୍ତ। ରତ୍ନବେଦୀରୁ ଜନ୍ମବେଦୀ, ବାହୁଡ଼ା, ସୁନାବେଶ, ଅଧରପଣା ଓ ନୀଳାଦ୍ରିବିଜେ। ବାଟରେ ମାଉସୀ ମା’ର ପୋଡ଼ପିଠା ଖାଇବେ। ନୀଳାଦ୍ରିବିଜେ ପୂର୍ବରୁ ରସଗୋଲା ଦେଇ ମା’ ଲକ୍ଷ୍ମୀଙ୍କର ମାନ ଭଞ୍ଜନ କରିବେ। ରଥଯାତ୍ରା ଓଡ଼ିଆ ଜନଜୀବନର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଏବଂ ଓଡ଼ିଆ ସଭ୍ୟତା, ସଂସ୍କୃତି ଓ ପରମ୍ପରାର ସବୁଠାରୁ ବଡ଼ ଘଟଣାକ୍ରମ।
ଜଣେ ସାଧାରଣ ଓଡ଼ିଆ ବିଶେଷଭାବରେ ଜଣେ ଆଦିବାସୀ ସମାଜର ବ୍ୟକ୍ତିବିଶେଷ ଭାବରେ ମହାପ୍ରଭୁଙ୍କର ଏହି ମହାନ ପରମ୍ପରାରେ ସାମିଲ ହେବାର ଖୁସିରେ ମୁଁ ଆତ୍ମବିଭୋର। ପହଣ୍ଡିବିଜେରୁ ରଥାରୂଢ଼ ହେବା ପର୍ଯ୍ୟନ୍ତ, ଗଜପତି ମହାରାଜାଙ୍କ ଛେରାପହଁରାଠାରୁ ଚାରମାଳ ଖୋଲା ହେବା ପର୍ଯ୍ୟନ୍ତ ଖୁବ୍‌ ନିକଟରୁ ମହାପ୍ରଭୁଙ୍କର ମହାଲୀଳା ଦେଖିବା ସହ ନିଜେ ରଥଟାଣିବାର ଖୁସି ମନରେ ଭକ୍ତି ଓ ସମର୍ପଣର ଭାବନା ତିଆରି କରୁଛି।
ମହାପ୍ରଭୁ ମୂଳତଃ ଆଦିବାସୀଙ୍କ ଦେବତା। ଶବରରାଜା ବିଶ୍ୱାବସୁଙ୍କ ଭକ୍ତି ଓ ନୈବେଦ୍ୟରେ ଅତ୍ୟନ୍ତ ପ୍ରୀତ। ଚକାଆଖିରେ ଆଖି ମିଳାଇ କୋଟିକୋଟି ଭକ୍ତଙ୍କ ଭଳି ମୋର ଭାବବିହ୍ବଳ ହେବାର ଅନେକ ଅନୁଭୂତି ଅଛି। ମୋଭଳି ଗରିବ-ଆଦିବାସୀ ପରିବାରରୁ ଆସିଥିବା ଜଣେ ସାଧାରଣ ଓଡ଼ିଆକୁ ମହାପ୍ରଭୁ ୪.୫ କୋଟି ଓଡ଼ିଆଙ୍କ ସେବାରେ ନିୟୋଜିତ କରିବାର ସୁଯୋଗ ଦେଇଛନ୍ତି। ଯୁଗେଯୁଗେ ଓଡ଼ିଶାର ଗଜପତି ପରମ୍ପରାରେ ରାଜା ସବୁବେଳେ ଝାଡୁଦାର ଓ ସେବକ ଭାବରେ ନିଜକୁ ପ୍ରସ୍ତୁତ କରି ସେଥିରୁ ଶାନ୍ତି ଓ ଆତ୍ମସନ୍ତୋଷ ପାଉଛନ୍ତି। ମହାପ୍ରଭୁଙ୍କର ଭକ୍ତଭାବରେ ଆଜିର ଏହି ପବିତ୍ର ଶ୍ରୀଗୁଣ୍ଡିଚା ଅବସରରେ ନିଜକୁ ୪.୫ କୋଟି ଓଡ଼ିଆଙ୍କ ସେବକ ଭାବରେ ମହାପ୍ରଭୁଙ୍କୁ ସାକ୍ଷୀରଖି ତାଙ୍କ ଚକା ଆଖିରେ ଆଖି ମିଳାଇ ନିଜକୁ ଜନସେବାରେ ସମର୍ପି ଦେବାର ଶପଥ ନେଉଛି। ମୁଁ ଜାଣିଛି ମହାପ୍ରଭୁ ଭକ୍ତର ଭଗବାନ।
ନିଜେ ମହାପ୍ରଭୁ ଜଗନ୍ନାଥ, ବଡ଼ଠାକୁର ବଳଭଦ୍ର କଳାଧଳା ଘୋଡ଼ା ଚଢ଼ି କାଞ୍ଚି ବିଜୟରେ ବାହାରିଥିଲେ। ମାଣିକ ଗଉଡୁଣୀର ହାତପରଷା ଦହି ଓ ଅର୍ଥ ନ ଥିବା ସ୍ଥିତିରେ ରତ୍ନମୁଦି ଦେଇଯିବା ଏହା ଓଡ଼ିଆଙ୍କ ଅଖଣ୍ଡ ଲୋକ ବିଶ୍ୱାସ। ଓଡ଼ିଆଙ୍କ ବିଶ୍ୱାସର ଅଦ୍ୱିତୀୟ ଦିଅଁ କଳାଠାକୁର ସାରା ଓଡ଼ିଶାବାସୀଙ୍କ ସମେତ ସାରା ବିଶ୍ୱବାସୀଙ୍କ ଉପରେ ଆଶୀର୍ବାଦ ବର୍ଷା କରନ୍ତୁ। ଆଜିର ଏହି ଶୁଭ ଅବସରରେ ତାଙ୍କର ଆଶିଷ ପ୍ରାର୍ଥନା କରୁଛି।
ମହାପ୍ରଭୁଙ୍କ ଭକ୍ତିର ଅର୍ଘ୍ୟ ଅର୍ପଣ କରୁକରୁ ଆମ ମାତୃଭୂମି ପବିତ୍ର ଭାରତବର୍ଷରେ ଆମ ରାଜ୍ୟ ଓଡ଼ିଶାର ଉତ୍ପତ୍ତି ଓ ଐତିହାସିକ ପୃଷ୍ଠଭୂମିଠାରୁ ନେଇ ସ୍ବତନ୍ତ୍ର ପ୍ରଦେଶ ଗଠନ, ସ୍ବାଧୀନତା ସଂଗ୍ରାମରେ ଯୋଗଦାନ ତଥା ସ୍ବାଧୀନୋତ୍ତର ଭାରତରେ ଓଡ଼ିଶାର ବିକାଶ ଯାତ୍ରାରୁ ଅନେକ ପ୍ରେରଣାଦାୟୀ ପ୍ରସଙ୍ଗ ମନରେ ନାଚି ଉଠୁଛି। ଇତିହାସରୁ ପ୍ରେରଣା ନେଇ ଓଡ଼ିଶାକୁ ପ୍ରଗତିର ଶୀର୍ଷରେ ପହଞ୍ଚାଇବା ପାଇଁ ସାରା ଓଡ଼ିଶାକୁ ଏକ କରି ଏବଂ ନୂଆ ଅଧ୍ୟାୟ ସୃଷ୍ଟି କରିବାରେ ମହାପ୍ରଭୁ ଓଡ଼ିଆ ଜାତିର ସହାୟକ ହେବେ ମୋର ମହାପ୍ରଭୁଙ୍କ ପାଖରେ ଏତିକି ପ୍ରାର୍ଥନା।
ମହାପ୍ରଭୁ ସମନ୍ବୟର ପ୍ରତୀକ। ସାରା ଦେଶ ଯେତେବେଳେ ସ୍ବାଧୀନତାର ଲଢ଼େଇ ଲଢୁଥିଲା, ଠିକ୍‌ ସେତିକିବେଳେ ଆମ ରାଜ୍ୟରେ ଦୁଇଟି ଲଢ଼େଇକୁ ଏକା ସାଙ୍ଗରେ ଓ ପରସ୍ପରର ସମନ୍ବୟରେ ଲଢ଼ାଯାଇଥିଲା। ବ୍ରିଟିଶ ଶାସନ ସମୟରେ ଓଡ଼ିଶାକୁ ଭାଷା ଆଧାରିତ ରାଜ୍ୟ କରିବା ପାଇଁ ଆମର ନେତୃତ୍ୱ ସଂଘର୍ଷ କରୁଥିଲା। ଆଞ୍ଚଳିକବାଦର ଲଢ଼େଇ ଭାବେ ପରିଚିତ ଭାଷା ଆଧାରିତ ରାଜ୍ୟ ପାଇଁ ସଂଘର୍ଷ କେବେ ବି ଆମ ଦେଶର ସ୍ବାଧୀନତା ପାଇଁ ବ୍ରିଟିଶ ସାମ୍ରାଜ୍ୟ ସହ ଲଢ଼େଇର ନେତୃତ୍ୱ ପରସ୍ପରର ବିରୋଧାତ୍ମକ ସ୍ଥିତିକୁ ଆସିବାର କୌଣସି ଉଦାହରଣ ନାହିଁ। ଉଗ୍ର ଆଞ୍ଚଳିକବାଦ, ନିଜ ଭାଷା ଓ ସ୍ଥାନୀୟ ସ୍ବତନ୍ତ୍ର ପରିଚୟ ଓ ଅସ୍ମିତାର ଗୌରବ ସହ ମହାଭାରତୀୟ ଚିନ୍ତାଧାରାରେ ସମପରିମାଣରେ ଉଦ୍‌ବୁଦ୍ଧ ହୋଇ ସମାନ୍ତରାଳ ଭାବରେ ଚାଲିବାର ଉଦାହରଣ ସାରା ଦେଶ ଆଗରେ ଆମ ରାଜ୍ୟ ହିଁ ପ୍ରସ୍ତୁତ କରିଛି।
ମହିଳା ସଶକ୍ତୀକରଣ, ଜାତିବାଦରୁ ଊର୍ଦ୍ଧ୍ୱରୁ ଉଠିବା ଏବଂ ସ୍ବଚ୍ଛତାର କଥା କାହିଁ କେଉଁ ୧୫ଶ ଶତାବ୍ଦୀରୁ ଜଗନ୍ନାଥ ସଂସ୍କୃତି ହିଁ ବିଶ୍ୱକୁ ବାର୍ତ୍ତା ଦେଇଛି। କବି ବଳରାମ ଦାସଙ୍କ ରଚିତ ଲକ୍ଷ୍ମୀପୁରାଣ ମା’ ଲକ୍ଷ୍ମୀଙ୍କ ପାଖରେ ମହାପ୍ରଭୁ ଦୋଷ ସ୍ବୀକାର କରିବା ଏବଂ କ୍ଷମା ପ୍ରାର୍ଥନା କରିବା ପ୍ରସଙ୍ଗର ଅବତାରଣା କରାଯାଇଛି। ମହାଲକ୍ଷ୍ମୀ ନିଜ ଇଚ୍ଛାରେ ବୁଲିବା ତଥା ତଥାକଥିତ ଜାତି ବିଭାଜନର ତଳେ ଥିବା ଶ୍ରୀୟା ଚାଣ୍ଡାଳୁଣୀର ଆତିଥ୍ୟ ନେବା ତାଙ୍କୁ ବରଦାନ ଦେବା ସହିତ ପରିବାର ବ୍ୟବସ୍ଥାରେ ଏହା ଗ୍ରହଣୀୟ ହେବା ଏହା ଓଡ଼ିଶା ମାଟିରୁ ସାରା ମାନବତାକୁ ବାର୍ତ୍ତା କହିଲେ କ’ଣ ଭୁଲ୍‌ ହେବ କି ?
ମହାପ୍ରଭୁଙ୍କ ମାନବ ସଭ୍ୟତାକୁ ମହାବାର୍ତ୍ତାର ଆଲୋଚନା ସମୟରେ ଆଜିବି ମହାପ୍ରଭୁଙ୍କର ମହାପ୍ରସାଦରେ ସମ୍ପୂର୍ଣ୍ଣ ସ୍ବଦେଶୀ ପଦାର୍ଥର ବ୍ୟବହାର ପରମ୍ପରା ରହିଛି। ଆଜି ବି ଆଳୁ, ଟମାଟୋ ବା ବିଲାତି ବାଇଗଣ ଆଦି ଶ୍ରୀମନ୍ଦିରରେ ବ୍ୟବହାର ହୋଇନାହିଁ। ଏହା ମାଧ୍ୟମରେ ମହାପ୍ରଭୁ ସ୍ବଦେଶୀ ହେବାର ବାର୍ତ୍ତା ଆମମାନଙ୍କୁ ଦେଇଛନ୍ତି ବୋଲି କ’ଣ କହି ହେବ ନାହିଁ ? ଯଦି ଆମ ମହାପ୍ରଭୁଙ୍କ ସେବାରେ କୌଣସି ବିଦେଶୀ ବସ୍ତୁ ଓ ସାମଗ୍ରୀ ଲାଗୁ ନାହିଁ ତେବେ ଆମେ ଆମ ଅଞ୍ଚଳ, ରାଜ୍ୟ ଓ ଦେଶର ପ୍ରସ୍ତୁତ ସାମଗ୍ରୀ ବ୍ୟବହାର କରି ଆମର ସ୍ଥାନୀୟ ଅର୍ଥନୀତିକୁ ମଜଭୁତ କରିବାରେ କ’ଣ ସହାୟକ ହୋଇପାରିବା ନାହିଁ ?
ଏକାଦଶ-ଦ୍ୱାଦଶ ଶତାବ୍ଦୀରେ ନିର୍ମିତ ଆଜିର ଆମର ଏହି ଶ୍ରୀମନ୍ଦିର ଆଜିବି ଢାଞ୍ଚାଗତ ଦୃଷ୍ଟିରୁ ଦୃଢ଼ ହୋଇଛି। ବିଶେଷଜ୍ଞମାନେ ଯେତେବେଳେ ଶ୍ରୀମନ୍ଦିରର ସ୍ଥାୟିତ୍ୱ ଓ ସୁରକ୍ଷା ନେଇ ସ୍ଥିତିକୁ ଆକଳନ କରୁଛନ୍ତି ୮୦୦-୯୦୦ ବର୍ଷର ପୁରୁଣା ଏହି ମନ୍ଦିରର ସ୍ଥାପତ୍ୟରେ ଆଶ୍ଚର୍ଯ୍ୟାନ୍ବିତ ହେଉଛନ୍ତି। ହଜାର ବର୍ଷ ପୂର୍ବେ ଏହି ଜାତିର ନିର୍ମାଣ କ୍ଷେତ୍ରରେ ଥିବା ବୈଜ୍ଞାନିକ ଆଧାରର ଏହା ପ୍ରମାଣ ନୁହେଁ ତ ଆଉ କ’ଣ?
ଏହି ଜାତିର ଯୁବପିଢ଼ି ଦିନେ ସାଧବ ପୁଅ ନାଁରେ ପୂରା ଦକ୍ଷିଣ-ପୂର୍ବ ଏସିଆ ଦେଶ ସମୂହରେ ବେପାର ବଣିଜ କରି ଆମ ରାଜ୍ୟକୁ ଧନଧାନ୍ୟରେ ପୂର୍ଣ୍ଣ କରିଥିଲେ। ଏ ସବୁର ଐତିହାସିକ ପୃଷ୍ଠଭୂମି ଉପରେ ଠିଆହୋଇ ଆମେ ଆତ୍ମବିଶ୍ୱାସର ସହ ପୁଣିଥରେ ବିଶ୍ୱବିଜୟ ପାଇଁ ବାହାରିବାର ସମୟ ଆସିଛି। ଆମ ଲକ୍ଷ୍ୟ ସାଧନ ପାଇଁ ଦୃଢ଼ ସଂକଳ୍ପର ସହ ଆଗେଇ ଚାଲିବାର ବେଳ ଆସିଛି।
କେତେଦିନ ଆମେ ଅନ୍ୟ ଉପରେ ଦୋଷ ଦେଇ ଆମ ଦାୟିତ୍ୱରୁ ମୁହଁ ଲୁଚାଇବା। ଆମେ ପିଲାଦିନୁ ଶୁଣି ଆସୁଛୁ ଆମ ରାଜ୍ୟ ପ୍ରାଚୁର୍ଯ୍ୟରେ ଭରପୂର ମାତ୍ର ଆମ ରାଜ୍ୟର ଜନତା ଗରିବ। ରାଜ୍ୟ ଧନୀ କିନ୍ତୁ ଜନତା ଗରିବ। ଆମ ମହାପ୍ରଭୁ ଆମକୁ ଅମାପ ଖଣିଜ ସମ୍ପଦ, ସୁଦୀର୍ଘ ବେଳାଭୂମି, ପ୍ରଚୁର ଜଙ୍ଗଲ ସମ୍ପଦ, ଜଳସମ୍ପଦ, ପରିଶ୍ରମୀ ଏବଂ ବୁଦ୍ଧିମାନ ମାନବ ସମ୍ବଳ ଦେଇଛନ୍ତି।
ଆମର ଅମାପ ସମ୍ପଦ ଆମକୁ ଗରିବୀରୁ ବାହାର କରି ଖାଲି ଭାରତରେ ନୁହେଁ ସମଗ୍ର ବିଶ୍ୱର ଆର୍ଥିକ ଦୃଷ୍ଟିରୁ ଗୋଟିଏ ଆଗୁଆ ଭୂଖଣ୍ଡ ଭାବରେ ଗଢ଼ିତୋଳିବାର ସମ୍ଭାବନା ଓ ସୁଯୋଗ ସୃଷ୍ଟି କରୁଛି। ଆମର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେବଳ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅନନ୍ୟ ଭକ୍ତ ନୁହନ୍ତି। ତାଙ୍କର ପୂର୍ବୋଦୟର ପରିକଳ୍ପନାର କେନ୍ଦ୍ରବିନ୍ଦୁ ହେଉଛି ଓଡ଼ିଶା । ବିକାଶର ଅନେକ ମାପଦଣ୍ଡରେ ଆମ ରାଜ୍ୟ ଓଡ଼ିଶା ଦେଶର ଅନ୍ୟାନ୍ୟ ରାଜ୍ୟ ତୁଳନାରେ ପଛରେ ଥାଇପାରେ। ମାତ୍ର ମହାପ୍ରଭୁ ଶ୍ରୀଜଗନ୍ନାଥ ଆମ ରାଜ୍ୟରେ ଯେତିକି ସମ୍ଭାବନା ଓ ସୁଯୋଗ ଦେଇଛନ୍ତି ତାହା ଆମ କାହା ପାଖରେ ନାହିଁ।
ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ଆମର ମହିଳା, କୃଷକ, ଯୁବକ ଓ ଗରିବଙ୍କ ଦ୍ରୁତ ବିକାଶ ପାଇଁ ସମୟବଦ୍ଧ ଭାବରେ ଯୋଜନା କାର୍ଯ୍ୟକାରୀ କରି ସେମାନଙ୍କ ଜୀବନ ମାନରେ ତୁରନ୍ତ ପରିବର୍ତ୍ତନ ଆଣିବା ପାଇଁ ମୁଁ ମୋ ସରକାରର ସଂକଳ୍ପ ଦୋହରାଉଛି। ଆଦିବାସୀ, ଦଳିତ, ଅନ୍ୟାନ୍ୟ ପଛୁଆବର୍ଗ, ଦୁର୍ଗମ ଓ ଅପହଞ୍ଚ ଅଞ୍ଚଳର ବାସିନ୍ଦା ଆମ ଶାସନ ବ୍ୟବସ୍ଥାରେ ବିକାଶର ପ୍ରଥମ ହକ୍‌ଦାର। ସବ୍‌କା ସାଥ୍‌, ସବ୍‌କା ବିକାଶ,ସବ୍‌କା ବିଶ୍ୱାସ ଓ ସବ୍‌କା ପ୍ରୟାସ ଆମ ଶାସନ ବ୍ୟବସ୍ଥାର ମୂଳମନ୍ତ୍ର।
ଆଜି ପବିତ୍ର ଶ୍ରୀଗୁଣ୍ଡିଚାରେ ମହାପ୍ରଭୁଙ୍କ ଆଶିଷ ଭିକ୍ଷା କରୁଛି। ଓଡ଼ିଆ ଜାତିକୁ ପୁଣିଥରେ ତା’ର ହୃତଗୌରବ ଫେରାଇ ଆଣିବା ପାଇଁ ନୂଆପିଢ଼ି ମନରେ ଉତ୍ସାହ, ସଂଘର୍ଷ ଓ ସଫଳ ହେବାର ଜିଦି ଭରି ଦିଅନ୍ତୁ ଏତିକି ପ୍ରାର୍ଥନା।

ମୋହନ ଚରଣ ମାଝୀ
ମୁଖ୍ୟମନ୍ତ୍ରୀ, ଓଡ଼ିଶା ସରକାର
ଜୟ ଜଗନ୍ନାଥ


Enter your email to get our daily news in your inbox.

All Right Reserved By Dharitri.Com

୨୪ ବର୍ଷ ଦେଶସେବା କରି ଘରକୁ ଫେରିଲେ ଯବାନ: ବାଜବାଣ, ନାଚଗୀତରେ ଦୁଲୁକିଲା ଦାଣ୍ଡ

କେନ୍ଦୁଝର,୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ୨୪ ବର୍ଷ ଧରି ଦେଶସେବା କରି ଅବସର ପରେ ଗାଁକୁ ଫେରିଲେ ଯବାନ। ଏଥିପାଇଁ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।…

ଦାରିଙ୍ଗବାଡ଼ିରେ କାୟାକଳ୍ପର ୩ ଜଣିଆ ଟିମ୍‌, ଅବ୍ୟବସ୍ଥା ଦେଖି…

ଦାରିଙ୍ଗବାଡ଼ି,୪ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବୁଧବାର ୩ ଜଣିଆ କାୟାକଳ୍ପ ଦଳ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରେ ଡାକ୍ତର ଶୁଭ୍ରାଂଶୁ ପ୍ରଧାନ, ମାନସ କୁମାର…

ଛାତ୍ରଙ୍କୁ ଲୁହା ଛଡ଼ରେ ମୁଣ୍ଡରେ ପିଟିଲେ ଅନ୍ୟ ଜଣେ ଛାତ୍ର, ରକ୍ତାକ୍ତ…

ରାୟଗଡ଼ା,୪ା୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ସ୍ଥିତ ସରକାରୀ ଆଇଟିଆଇର ଜଣେ ଛାତ୍ରକୁ ଆଉ ଜଣେ ଛାତ୍ର ଲୁହା ରଡ଼୍‌ରେ ପିଟି ରକ୍ତାକ୍ତ କରିଥିବା ନେଇ ରାୟଗଡ଼ା…

ସିପିଆଇ ଶାଖା ସମ୍ମିଳନୀ, ସମସ୍ୟା ସମାଧାନ ପାଇଁ ଆନ୍ଦୋଳନ ନିଷ୍ପତ୍ତି  

ଦିଗପହଣ୍ଡି,୪ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ପୋଡ଼ାବାଡ଼ି ଗ୍ରାମରେ ବୁଧବାର ସିପିଆଇର ଶାଖା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କମ୍ରେଡ. ବିଶିକେଶନ…

ସିକେ ନାଇଡୁ ଟ୍ରଫି: ଓଡ଼ିଶା-ବେଙ୍ଗଲ ମୁକାବିଲା

ବରଗଡ଼,୪ା୨(ପ୍ରେମାନନ୍ଦ ଖମାରୀ): ଆସନ୍ତା ୬ତାରିଖରୁ ବରଗଡ଼ କ୍ରିଷ୍ଣା ବିକାଶ କ୍ରିକେଟ୍‌ ଗ୍ରାଉଣ୍ଡରେ  ଓଡ଼ିଶା-ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ବୟସ ସି.କେ. ନାଇଡୁ ଟ୍ରଫିର ଇଲାଇଟ୍‌ ଗ୍ରୁପ…

ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ, ମୃତଦେହ ଜବତ

ଦିଗପହଣ୍ଡି,୪ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଜକରାପଲ୍ଲୀ ଗ୍ରାମରେ ଯୌତୁକ ପାଇଁ ସନ୍ଧ୍ୟା ବିଷୋୟୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି…

‘ମନବଳ ଦୃଢ଼ ହେଲେ ହାରିବ କ୍ୟାନସର’

ବରଗଡ଼,୪ା୨(ପ୍ରେମାନନ୍ଦ ଖମାରୀ): ବିଶ୍ୱ କର୍କଟ ଦିବସ ଅବସରରେ ବୁଧବାର ବରଗଡ଼ ଫାଇଟର୍ସ ଗ୍ରୁପ୍‌ ପକ୍ଷରୁ ଏକ କର୍କଟ ସଚେତନତା ପଦଯାତ୍ରା ଓ ସଭା ଆୟୋଜିତ ହୋଇଯାଇଛି। ଏହି…

ବାପାଙ୍କୁ ଥଣ୍ଡା ପାନୀୟରେ ପାଇଖାନା ସଫା ଏସିଡ୍‌ ମିଶାଇ ପିଇବାକୁ ଦେଲେ ପୁଅ, ପରେ ପନିକିରେ ଗଳାକାଟି…

ବିଷମକଟକ,୪ା୨(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ସହରର ବ୍ରାହ୍ମଣ ସାହି ଅଞ୍ଚଳରେ ଘଟିଥିବା ଏକ ନିର୍ମମ ହତ୍ୟାକାଣ୍ଡ ସାରା ଅଞ୍ଚଳକୁ ଚକିତ କରିଦେଇଛି। ନିଜ ବାପାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri