ଭୁବନେଶ୍ୱର,୧୨ା୧(ଅନିଲ ଦାସ):କିର୍ମିରା ଅନାସ୍ଥା ଭୋଟରେ ପରାଜୟ ନିଶ୍ଚିତ ଜାଣି ଭାଜପା ନିର୍ବାଚନ ନ କରାଇ ଦେବା ପାଇଁ ଷଡ଼ଯନ୍ତ୍ର କରିଛି ବୋଲି ବିଜେଡି ଅଭିଯୋଗ କରିଛି। ଏଥିରେ ଓଡ଼ିଶା ଓ ଛତିଶଗଡ଼ ପୋଲିସକୁ ସାମିଲ କରାଯାଇଛି ବୋଲି ଶଙ୍ଖଭବନଠାରେ ଶନିବାର ଖବରଦାତା ସମ୍ମିଳନୀରେ ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ର ଓ ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ଦୀପାଳି ଦାସ କହିଛନ୍ତି। ଭାଜପା ସରକାର ପଞ୍ଚାୟତ ପ୍ରତିନିଧିଙ୍କୁ ପୋଲିସ ଦ୍ୱାରା ଜୋରଜବରଦସ୍ତ ଅଟକ ରଖି ସେମାନଙ୍କୁ ଅନାସ୍ଥା ଭୋଟରୁ ବିରତ ରଖିଥିଲେ। ନିର୍ବାଚିତ ପ୍ରତିନିଧିମାନେ ସ୍ବଇଚ୍ଛାରେ ଆସିଛନ୍ତି ବୋଲି ଲିଖିତ ଭାବେ ଜଣାଇଥିଲେ ମଧ୍ୟ ସେମାନଙ୍କୁ ଛାଡ଼ି ନ ଥିଲେ ବୋଲି ସେ କହିଛନ୍ତି। ଦୀପାଳି ପୁଣି କହିଛନ୍ତି, ପ୍ରଥମେ ସେମାନେ ଅନାସ୍ଥା ଭୋଟ ନ ହେଉ ବୋଲି ଚାହୁଁଥିଲେ। ସେଥିପାଇଁ କିର୍ମିରା ପଞ୍ଚାୟତର ଦୁଇ ତୃତୀୟାଂଶ ପଞ୍ଚାୟତ ପ୍ରତିନିଧି ଅନାସ୍ଥା ନୋଟିସ ଦେବାସତ୍ତ୍ୱେ ପ୍ରଶାସନ ଅନାସ୍ଥା ଭୋଟ କରିବା ପାଇଁ ଟାଳଟୁଳ ନୀତି ଅବଲମ୍ବନ କରୁଥିଲା। ଉଚ୍ଚ ନ୍ୟାୟାଳୟ ଏହି ମାମଲାରେ ହସ୍ତକ୍ଷେପ କରି ଜାନୁଆରୀ ୧୦ ସୁଦ୍ଧା ନିର୍ବାଚନ କରିବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ନିର୍ବାଚନ ଆସନ୍ନ ଜାଣି ଗୁଣ୍ଡାମାନଙ୍କ ଦ୍ୱାରା ପଞ୍ଚାୟତ ପ୍ରତିନିଧିମାନଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରାଯାଇଥିଲା ା ସମସ୍ତ ଉଦ୍ୟମ ବିଫଳ ହେବା ପରେ ପୋଲିସକୁ ଗୁଣ୍ଡା ଭୂମିକାରେ ନିୟୋଜିତ କରାଯାଇଥିଲା। ଲଇକେରା ଆଇଆଇସି ଆମ କଲ୍ୟାଣମଣ୍ଡପକୁ ବିନା ସର୍ଚ୍ଚୱାରେଣ୍ଟରେ କେତେକ ଅସାମାଜିକ ବ୍ୟକ୍ତିଙ୍କ ସହ ଯାଇ ସର୍ଚ୍ଚ କରିଥିଲେ, ଯେଉଁଥିରୁ ସରକାରରେ ଥିବା ଦଳର ଅସହାୟତା ସ୍ପଷ୍ଟ ବାରି ହୋଇପଡୁଛି। ପରେ ଓଡ଼ିଶା ପୋଲିସର ଏକ ଟିମ୍ ଛତିଶଗଡ଼ ଯାଇ ସେମାନଙ୍କୁ ଜୋରଜବରଦସ୍ତ ଅଟକ ରଖିଥିଲା ଓ ସେମାନଙ୍କୁ ଛତିଶଗଡ଼ ପୋଲିସକୁ ହସ୍ତାନ୍ତର କରିଥିଲା। ସେମାନଙ୍କୁ ଅଟକ ରଖାଯାଇଛି ବୋଲି ଜାଣିବା ପରେ ମୁଁ ମୋର ଭାଇ ବିଶାଲ ଦାସଙ୍କୁ ସେଠାକୁ ପଠାଇଥିଲି, କିନ୍ତୁ ପୋଲିସ ତାଙ୍କୁ ମଧ୍ୟ ଅଟକ ରଖିଥିଲା। ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ସେମାନଙ୍କୁ ଅଟକ ରଖାଯାଇଥିଲା। ଭାଜପା ପୋଲିସକୁ ହାତବାରିଶି କରି ଗଣତନ୍ତ୍ରକୁ ହତ୍ୟା କରିଛି। ଭାଜପାର ସତ୍ସାହସ ଥିଲେ ୨ଦିନ ଭିତରେ ନିର୍ବାଚନ କରନ୍ତୁ ବୋଲି ଦୀପାଳି କହିଛନ୍ତି ।
ଜନତା ଦଳର ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ର କହିଛନ୍ତି, ଦଳର ସଭାପତି ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଦଳ ତରଫରୁ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରିଛନ୍ତି। ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ନେତୃତ୍ୱରେ ଏହି ଟିମ୍ ଗଠିତ ହୋଇଛି ।
ଖୁବ୍ଶୀଘ୍ର ଏହି ଟିମ୍ ସେଠାକୁ ଯିବ ଏବଂ ସମଗ୍ର ଘଟଣାର ତଥ୍ୟ ସଂଗ୍ରହ କରି ଦଳର ସଭାପତିଙ୍କ ନିକଟରେ ଉପସ୍ଥାପନ କରିବ ବୋଲି ପାତ୍ର କହିଛନ୍ତି।


