ଭୁବନେଶ୍ୱର, ୭।୧(ସୁନିତ୍ ମିଶ୍ର): ବାଣପୁରରେ ଆଦର୍ଶ ବିଦ୍ୟାଳୟ ଭିତ୍ତିପ୍ରସ୍ତର ସ୍ଥାପନ ସଭାରେ ଉଦ୍ବୋଧନ ଦେବା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବ ସରକାରରେ ୫-ଟି ସ୍କୁଲ ନାଁରେ ଦୁର୍ନୀତି ହୋଇଛି ବୋଲି ଦେଇଥିବା ମନ୍ତବ୍ୟ ଉପରେ ବିଜେଡି ତୀବ୍ର ପ୍ରତିକ୍ରିୟା ରଖିଛି। ମୁଖ୍ୟମନ୍ତ୍ରୀ ଓ ତାଙ୍କ ସରକାର କେବଳ ନିଜର ବିଫଳତାକୁ ଲୁଚାଇବାକୁ ଯାଇ ବାରମ୍ବାର ପୂର୍ବ ସରକାରଙ୍କ ବିଫଳତା ବା ଦୁର୍ନୀତି କଥା କହୁଛନ୍ତି। ମୋହନ ସରକାରଙ୍କ ଏହି ମିଛକୁ ରାଜ୍ୟବାସୀ ବୁଝିଗଲେଣି ବୋଲି ବିଜେଡି କହିଛି। ବିଜେଡି ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍ ବିବୃତିରେ ଦଳର ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି, ଗତ ୧୮ ମାସର ଶାସନରେ ସମସ୍ତ କ୍ଷେତ୍ରରେ ଭାଜପା ସରକାରଙ୍କ ବିଫଳତା ଶିଖର ଛୁଇଁଲାଣି। ବହୁ ବଡ଼ ବଡ଼ କଥା କହି ଓ ପୂର୍ବ ସରକାରଙ୍କ ନଁାରେ ବିଭିନ୍ନ ମିଥ୍ୟା ଅଭିଯୋଗ ଆଣି ଭାଜପା କ୍ଷମତା ହାତେଇବାକୁ ସକ୍ଷମ ହୋଇଥିଲା। ହେଲେ ଭାଜପା ସରକାରଙ୍କ ଅପାରଗପଣିଆ ଓ ବିଫଳତା ଏବେ ହାଟରେ ପଡ଼ି ଦାଣ୍ଡରେ ଗଡୁଛି। ରାଜ୍ୟକୁ ୧ ନମ୍ବର କରିବ ବୋଲି ଦାବିକରି କ୍ଷମତାକୁ ଆସିଥିବା ଭାଜପା ସରକାର ଏବେ ଅପାରଗତାରେ ଦେଶରେ ୧ ନମ୍ବର ହୋଇଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ବୋଲି ଲେନିନ୍ କହିଛନ୍ତି।


