ଗଞ୍ଜାମ ବ୍ଲକ ଅକ୍ତିଆର କଲା ବିଜେଡି

ଗଞ୍ଜାମ,୧୨ା୩(ଡି.ଏନ୍‌.ଏ.): ପଞ୍ଚାୟତ ସମିତି ପାଇଁ ଶନିବାର ଅଧ୍ୟକ୍ଷା ପଦବୀ ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜେଡି ପ୍ରାର୍ଥିନୀ ଶ୍ରୀମତୀ ଶର୍ମିଷ୍ଠା ପ୍ରଧାନ ୧୫ ଜଣ ସମିତି ସଭ୍ୟ ମଧ୍ୟରୁ ୧୦ ଜଣ ସମିତିସଭ୍ୟଙ୍କ ଭୋଟ୍‌ ପାଇଛନ୍ତି। ଅନ୍ୟପକ୍ଷରେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପା ପ୍ରାର୍ଥିନୀ ଦୀପାଳି ନାୟକ ୫ ଖଣ୍ଡ ଭୋଟ୍‌ ପାଇଥିବା ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ସେ ପାଲଙ୍ଗ ପାଞ୍ଚାୟତର ସମିତିସଭ୍ୟା ଭାବେ ନିର୍ବାଚିତ ହୋଇଥିଲେ। ସେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥ ପାଇହାନଙ୍କ ସ୍ତ୍ରୀ। ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଜିଲାପରିଷଦ ସଭ୍ୟ ସନାତନ ବେହେରା କୃତଜ୍ଞତା ଜଣାଇଛନ୍ତି। ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ବିଜୟୀ ଘୋଷଣା ହେବା ପରେ ନବନିର୍ବାଚିତ ଅଧ୍ୟକ୍ଷାଙ୍କୁ ବିଜେଡି ନେତା ଓ କର୍ମୀ ବିରାଟ ଶୋଭାଯାତ୍ରାରେ ପାଛୋଟି ନେଇଥିଲେ।

ପୋଲସରା ବିଡିଓ ସୁରଞ୍ଜନ ସାହୁ ନିର୍ବାଚନ ଦାୟିତ୍ୱରେ ରହିଥିବା ବେଳେ ତହସିଲଦାର ଅରୁଣ କୁମାର ନାୟକ ମାଜିଷ୍ଟ୍ରେଟ ଦାୟିତ୍ୱରେ ରହିଥିଲେ। ଗଞ୍ଜାମ ଥାନାଧିକାରୀ ଶୁଭେନ୍ଦୁ କୁମାର ସାହୁ, ରମ୍ଭା ଥାନାଧିକାରୀ ଦୀପ୍ତିରଞ୍ଜନ ବେହେରାଙ୍କ ସମେତ ପୋଲିସ ଟିମ୍‌ ଆଇନ ସୁରକ୍ଷା ନେଇ ସଜାଗ ଥିଲେ।