‘ସେବା ଏଜେଣ୍ଡାରୁ ବିଜେଡି ହଟିନାହିଁ’

ପୁରୀ ଅଫିସ/ ଭୁବନେଶ୍ୱର (ବ୍ୟୁରୋ),୨୭ା୧୨:ମା’ମାନେ ଆଗେଇ ଆସନ୍ତୁ। ଦାୟିତ୍ୱ ନିଅନ୍ତୁ। ସେମାନଙ୍କ ଆଶୀର୍ବାଦ ରହିଲେ ୨୫ କି ୫୦ ନୁହେଁ, ବିଜେଡି ଶହେବର୍ଷ ଓଡ଼ିଶା ଲୋକଙ୍କ ସେବା କରି ଚାଲିବ। ଶଙ୍ଖଚିହ୍ନ ସବୁବେଳେ ଓଡ଼ିଆ ସ୍ବାଭିମାନର ଜୟ ନାଦ କରିଚାଲିଥିବ ବୋଲି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ବିଜେଡି ଏକ ସାମାଜିକ ଆନ୍ଦୋଳନ। ଓଡ଼ିଶାବାସୀଙ୍କ ଆଶା, ବିଶ୍ବାସ ଓ ସ୍ବାଭିମାନକୁ ଆଗେଇ ନେବାର ଗୋଟେ ଆନ୍ଦୋଳନ। ଏହି ଆନ୍ଦୋଳନରେ ପ୍ରତ୍ୟେକ ଘର ଅଂଶୀଦାର ହୋଇ ସ୍ବପ୍ନର ଓଡ଼ିଶା ଗଠନ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ କରିଛନ୍ତି।
ସୋମବାର ପୁରୀ ତାଳବଣିଆଠାରେ ବିଜେଡିର ୨୫ବର୍ଷ ପୂର୍ତ୍ତି ସମାରୋହରେ ଦଳୀୟ କର୍ମୀଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ସାଢ଼େ ୪ କୋଟି ଜନତା ୨୫ ବର୍ଷ ଧରି ତାଙ୍କର ସେବା କରିବା ପାଇଁ ସୁଯୋଗ ଦେଇଥିବାରୁ ସେମାନଙ୍କ ପାଖରେ ସେ ଋଣୀ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବିଜେଡି ସବୁଠାରୁ ସଫଳ ଆଞ୍ଚଳିକ ଦଳ ବୋଲି ଅନ୍ୟ ପାର୍ଟିର ନେତାମାନେ ପାର୍ଲାମେଣ୍ଟରେ, ବିଭିନ୍ନ ମିଟିଂରେ ତାଙ୍କୁ କହିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ବିଜେଡି ଲୋକଙ୍କ ବିଶ୍ବାସକୁ ଭିତ୍ତିକରି ଲୋକଙ୍କ ସେବାରେ ବହୁତ ବର୍ଷ ହେଲା କାମ କରିଚାଲିଛି। ଯଦି ଆମେ ବିଚାର କରିବା କି କେଉଁ କାରଣ ପାଇଁ ବିଜେଡି ଲୋକଙ୍କ ଆଶୀର୍ବାଦ ବର୍ଷ ବର୍ଷ ଧରି ପାଇପାରିଛି। ତା’ହେଲେ କିଛି ନିର୍ଦ୍ଦିଷ୍ଟ ଦିଗ ବା କାରଣ ବାହାରିବ। ପ୍ରଥମତଃ ଗୋଟିଏ ଆଞ୍ଚଳିକ ଦଳର ମୁଖ୍ୟଙ୍କ କର୍ତ୍ତବ୍ୟ ହେଉଛି ରାଜ୍ୟବାସୀଙ୍କୁ ଆଖିରେ ରଖି ତାଙ୍କ ସେବାକୁ କେବଳମାତ୍ର ଏଜେଣ୍ଡା ରଖିକି କାମ କରିବା। ବିଜେଡି କେବେ ବି ଏହି ଏଜେଣ୍ଡାରୁ ହଟିନାହିଁ। ରାଜ୍ୟ ଓ ରାଜ୍ୟବାସୀ, ଓଡ଼ିଶାର ସ୍ବାର୍ଥ, ଓଡ଼ିଶାର ଉନ୍ନତି, ଓଡ଼ିଶାର ଗୌରବ, ଓଡ଼ିଶାର ଭାଷା, ଓଡ଼ିଶାର ସଂସ୍କୃତି, ଓଡ଼ିଆର ସ୍ବାଭିମାନ ପାଇଁ ବିଜେଡି କାମ କରିଆସୁଛି। ଦ୍ବିତୀୟ ହେଲା ବିଜୁବାବୁଙ୍କ ଆଦର୍ଶ। ବିଜୁବାବୁ ଜଣେ ନେତା ନ ଥିଲେ। ତାଙ୍କ ସମୟଠାରୁ ବହୁ ଆଗରେ ଥିବା ସେ ଜଣେ ବାସ୍ତବବାଦୀ ଓ ସମ୍ପୂର୍ଣ୍ଣ ଭବିଷ୍ୟଦ୍ରଷ୍ଟା। ତାଙ୍କର ପ୍ରତ୍ୟେକ ରକ୍ତବିନ୍ଦୁରେ ଓଡ଼ିଶାର ଉନ୍ନତି ଓ ସ୍ବାଭିମାନ ଭର୍ତ୍ତି ହୋଇ ରହିଥିଲା। ସେଇ ମହାନ୍‌ ଜନନାୟକ ଯେଉଁ ରାସ୍ତା ଦେଖାଇଛନ୍ତି, ସେହି ରାସ୍ତାରେ ତାଙ୍କ ନାମରେ ଗଠିତ ଦଳ କାମ କରୁଛି ଓ ଆଗକୁ ମଧ୍ୟ କରିବ। ତୃତୀୟ ହେଲା ସ୍ବଚ୍ଛ ଓ ନିର୍ମଳ ଶାସନ। ଓଡ଼ିଶାର ଉନ୍ନତି, ଓଡ଼ିଶାବାସୀଙ୍କ ଉନ୍ନତି। ଏହାଛଡ଼ା ବିଜେଡିର ଦ୍ବିତୀୟ ସ୍ବାର୍ଥ କିଛି ନାହିଁ। ଚତୁର୍ଥ ହେଲା ମହିଳା ସଶକ୍ତୀକରଣ। ୨୦୦୦ ମସିହାରୁ ଓଡ଼ିଶାବାସୀ ଆମକୁ ଆଶୀର୍ବାଦ କରିଆସିଛନ୍ତି, ସେବେଠାରୁ ମା’ମାନଙ୍କ ସଶକ୍ତୀକରଣକୁ ଆମେ ଗୁରୁତ୍ୱ ଦେଇଆସିଛୁ। ଆମର ଦୃଢ଼ ବିଶ୍ବାସ, ମା’ମାନଙ୍କ ଉନ୍ନତି ହିଁ ଓଡ଼ିଶାକୁ ଆଗକୁ ନେଇଯିବ। ସେଥିପାଇଁ ମିଶନ ଶକ୍ତି ଆଜି ମହିଳା ସଶକ୍ତୀକରଣ ଦିଗରେ ଗୋଟିଏ ଗଣଆନ୍ଦୋଳନରେ ପରିଣତ ହୋଇଛି। ମା’ମାନେ ସଶକ୍ତ ହେଲେ ପରିବାର, ରାଜ୍ୟ ଓ ଦେଶ ସଶକ୍ତ ହେବ। ଗୋଟେ ନ ହେଲେ ଅନ୍ୟଟି ହେବନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି ଯେ, ଓଡ଼ିଶାର ଉନ୍ନତିରେ ଯେଉଁମାନଙ୍କର ବିଶ୍ବାସ ଅଛି ଏବଂ ଓଡ଼ିଶା ମା’ର ସେବା କରିବାକୁ ଚାହୁଁଛନ୍ତି, ସେମାନେ ସମସ୍ତେ ବହୁସଂଖ୍ୟାରେ ଆସି ବିଜୁ ଜନତା ଦଳରେ ସାମିଲ ହୁଅନ୍ତୁ। ସେ ପେସାଦାର ହୁଅନ୍ତୁ, ସାମାଜିକ କର୍ମୀ, କଳାକାର କିମ୍ବା କ୍ରୀଡ଼ା କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି, ଚାଷୀ କିମ୍ବା ସେ ଯିଏ ବି ହୁଅନ୍ତୁ ଅଥବା ଯେକୌଣସି କ୍ଷେତ୍ରରେ ଥାଆନ୍ତୁ, ବିଶେଷକରି ଯୁବପିଢ଼ି ଯେଉଁମାନେ ନୂଆ ଓଡ଼ିଶାର ସ୍ବପ୍ନ ଦେଖୁଛନ୍ତି
ସେବା ଏଜେଣ୍ଡାରୁ…
ସେମାନେ ବିଜେଡିରେ ସାମିଲ ହୁଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଆହ୍ବାନ କରିଛନ୍ତି। ଏ ଦଳ ଓଡ଼ିଶାର ଦଳ। କାରଣ ଜାତୀୟ ଦଳର ଏଜେଣ୍ଡା ଜାତୀୟ ରାଜନୀତିରେ ହିଁ ରହିବ। ସେମାନଙ୍କ ଏଜେଣ୍ଡାରେ ଓଡ଼ିଶା କେବେ ବି ଫୋକସରେ ରହିବ ନାହିଁ। କେବଳ ବିଜୁ ଜନତା ଦଳ ହିଁ ଓଡ଼ିଶାର ଉନ୍ନତି କରିପାରିବ। ଏହି ଦଳ ଲୋକଙ୍କ ବିଶ୍ବାସର ପାତ୍ର ହୋଇଛି। ବିଜେଡି କେବେବି ଜଣେ ୨ ଜଣଙ୍କ ଉପରେ ନିର୍ଭର କରିନାହିଁ। ଭବିଷ୍ୟତରେ ମଧ୍ୟ କରିବ ନାହିଁ। ବିଜେଡି ଲାଗି ସବୁବର୍ଗର ଉନ୍ନତି ଗୁରୁତ୍ୱପୂର୍ଣ୍ଣ। ସେ ଆଦିବାସୀ, ଦଳିତ, ଖ୍ରୀଷ୍ଟିଆନ କି ମୁସ୍‌ଲିମ ହୁଅନ୍ତୁ। ସମସ୍ତଙ୍କର ଉନ୍ନତି ହେଲେ ଓଡ଼ିଶାର ଉନ୍ନତି ସମ୍ଭବ। ବିଜେଡି ସବୁବେଳେ ମାଲକାନଗିରିରୁ ମୟୂରଭଞ୍ଜ, ବରଗଡ଼ରୁ ପୁରୀ ପର୍ଯ୍ୟନ୍ତ ସବୁ ଗାଁ, ସହର ଓ ଅଞ୍ଚଳର ଉନ୍ନତି ପାଇଁ କାମ କରିଆସିଛି। ଦ୍ରୁତ ଅଭିବୃଦ୍ଧି ଓ ଆଞ୍ଚଳିକ ଅସମତା ଦୂର କରିବା ଆମର କର୍ତ୍ତବ୍ୟ। ବିଜେଡି କୌଣସି ଗୋଟିଏ ଗୋଷ୍ଠୀ କିମ୍ବା ଗୋଟିଏ ଅଞ୍ଚଳ ବା ଧର୍ମ ପାଇଁ ନୁହେଁ, ସମଗ୍ର ଓଡ଼ିଶା ଲାଗି ଛିଡ଼ାହୋଇଛି। ଓଡ଼ିଶାର ଯାହା ଯାହା ସମସ୍ୟା ରହିଛି ତାକୁ ଦୃଷ୍ଟିରେ ରଖି ପେସାଦାର ଭାବେ ଆମ ଦଳ କାମ କରୁଛି। ବନ୍ୟା, ବାତ୍ୟା ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ସାରା ପୃଥିବୀରେ ସୁନାମ କରିଛି। ଖାଦ୍ୟ ନିରାପତ୍ତା ପାଇଁ ଆମେ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିଲୁ। ଏବେ ଆମେ ଅନ୍ୟ ରାଜ୍ୟକୁ ଚାଉଳ ପଠାଉଛୁ। ରାଜ୍ୟର ଭିତ୍ତିଭୂମି ଏବଂ ସ୍ବଚ୍ଛ ଶାସନକୁ ଦେଖି ବହୁ ନିବେଶକ ଆମ ପାଖକୁ ଆସୁଛନ୍ତି। ପିଲାମାନଙ୍କୁ ଚାକିରି ମିଳିବ। ରାଜ୍ୟର ଉନ୍ନତି ହେବ। ପ୍ରତ୍ୟେକ ଜୀବନ ଆମ ପାଇଁ ମୂଲ୍ୟବାନ୍‌। ସେଥିପାଇଁ କୋଭିଡ୍‌ ମହାମାରୀ ସମୟରେ ଟେଷ୍ଟିଂରୁ ଚିକିତ୍ସା ସବୁ ମାଗଣାରେ ଦିଆଗଲା। ଓଡ଼ିଶା ଅନ୍ୟ ରାଜ୍ୟଗୁଡ଼ିକୁ ଅକ୍ସିଜେନ ଯୋଗାଣ କଲା। ବିଏସ୍‌କଓ୍ବୋଇ ଭଳି କ୍ରାନ୍ତିକାରୀ ସ୍କିମ୍‌ ଲାଗୁ କରାଗଲା। ଆମର ପ୍ରତିବଦ୍ଧତା ହେଉଛି ପ୍ରତ୍ୟେକ ଜୀବନ ମୂଲ୍ୟବାନ୍‌। ତାକୁ ଭିତ୍ତିକରି କାମ କରୁଛୁ। ଦେଶ ବିଦେଶରେ ଆମ ସରକାର ଓ ଆମ ଗଭର୍ନାନ୍ସ ମଡେଲକୁ ସମସ୍ତେ ପ୍ରଶଂସା କରୁଛନ୍ତି। ଏହା ଏକ ପେସାଦାର ବାହକ ସରକାର। ଏହା ୫-ଟି ନୀତିରେ ଚାଲୁଛି। ଲୋକମାନଙ୍କ ଆକାଂକ୍ଷା ଓ ଆବଶ୍ୟକତା ପ୍ରତି ସରକାର ଅତ୍ୟନ୍ତ ସମ୍ବେଦନଶୀଳ। ମୋ ସରକାର ଅଭିନବ କାର୍ଯ୍ୟକ୍ରମରେ ଲୋକମାନେ ସେମାନଙ୍କର ମତାମତ ଦେଉଛନ୍ତି। ମୁଁ ଯାହା ବି କହିଲି ସେସବୁ ଗୋଟେ ପଟରେ କିନ୍ତୁ ତାକୁ ଲୋକଙ୍କ ପାଖକୁ ପହଞ୍ଚାଇବା ଏବଂ ଲୋକଙ୍କ ହୃଦୟକୁ ଛୁଇଁବାର ଦାୟିତ୍ୱ ନେଇଛନ୍ତି ବିଜେଡି କର୍ମୀମାନେ। ବିଜୁ ପରିବାରର ଲକ୍ଷ ଲକ୍ଷ କର୍ମୀ ହେଉଛନ୍ତି ବିଜେଡିର ଆତ୍ମା। ଆପଣମାନେ ଶକ୍ତି ଦେଉଛନ୍ତି ବିଜେଡିକୁ। ଆପଣମାନେ କ୍ଷେତ୍ରସ୍ତରରେ ବିରୋଧୀଙ୍କ ମୁକାବିଲା କରୁଛନ୍ତି। ଆମ ଦଳର ବାର୍ତ୍ତାକୁ ଲୋକଙ୍କ ପାଖରେ ପହଞ୍ଚାଇବାରେ ସକ୍ଷମ ହୋଇଛନ୍ତି। ଆଉ ୧୨ ବର୍ଷ ପରେ ଓଡ଼ିଶା ଗଠନର ୧୦୦ ବର୍ଷ ପାଳନ କରାଯିବ। ୨୦ ବର୍ଷ ଆଗରୁ ଓଡ଼ିଶା କୋଉଠି ଥିଲା, ଆଜି କୋଉଠି ଅଛି। ମୁଁ ସେ କଥା କହିବା ଦରକାର ନାହିଁ। ଆପଣମାନେ, ସାରା ବିଶ୍ବ ତାହା ଜାଣିଛି ଓ ଦେଖୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସ୍ମରଣ କରି ଆରମ୍ଭ କରିଥିଲେ। ସେ କହିଥିଲେ ଜୟ ଜଗନ୍ନାଥ। ଜଗନ୍ନାଥ ଧାମ ଶ୍ରୀକ୍ଷେତ୍ରକୁ ମୁଁ ଆପଣମାନଙ୍କୁ ସ୍ବାଗତ କରୁଛି। ନବବର୍ଷ ଆପଣଙ୍କ ଓ ଆପଣମାନଙ୍କ ପରିବାର ପାଇଁ ଶୁଭମୟ ହେଉ। ଏହା କହିବା ବେଳେ ସଭାସ୍ଥଳ କରତାଳିରେ କମ୍ପି ଯାଇଥିଲା।
ମଧ୍ୟାହ୍ନ ୧୨ଟା ୧୭ ମିନିଟ୍‌ରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ତାଳବଣିଆଠାରେ ଅବତରଣ କରିଥିଲା। ମୁଖ୍ୟମନ୍ତ୍ରୀଙ୍କ ଆଗମନ ଜାଣିବା ପରେ ଉପସ୍ଥିତ ବିଜେଡି କର୍ମୀଙ୍କ ମଧ୍ୟରେ ଉତ୍ସାହ ଭରିଯାଇଥିଲା। ନବୀନ ପଟ୍ଟନାୟକ ଜିନ୍ଦାବାଦ୍‌ରେ ସଭାସ୍ଥଳକୁ କମ୍ପାଇ ଦେଇଥିଲେ। ମହିଳାମାନେ ହୁଳହୁଳି ପକାଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ପହଞ୍ଚିବା ବେଳକୁ ସଭାସ୍ଥଳ ଲୋକାରଣ୍ୟ ହୋଇଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଝଲକ ପାଇବାକୁ ପ୍ରତିଯୋଗିତା ଆରମ୍ଭ ହୋଇ ଯାଇଥିଲା। କେତେକ ସ୍ଥାନରେ ଧସ୍ତାଧସ୍ତି ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାପୂର୍ବରୁ ଅର୍ଥାତ୍‌ ସକାଳ ୭ରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ବିଜେଡି କର୍ମୀମାନେ ରାଲି କରି ତାଳବଣିଆସ୍ଥିତ ସଭା ସ୍ଥଳକୁ ଆସିଥିଲେ। ବ୍ୟାନର, ପୋଷ୍ଟର ଧରି ମନ୍ତ୍ରୀ, ବିଧାୟକ ଓ ନେତାମାନଙ୍କର କର୍ମୀମାନେ ଆସିଥିଲେ। ରାସ୍ତାରେ ନାହିଁ ନ ଥିବା ଭିଡ଼ ହୋଇଥିଲା। ଏପରି କି ଘଣ୍ଟା ଘଣ୍ଟା ଧରି ଯାନବାହନଗୁଡିକ ରାସ୍ତାରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା। ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ ପୂର୍ବରୁ ବିଜେଡିର ବରିଷ୍ଠ ନେତା ମହେଶ୍ୱର ମହାନ୍ତି, ସୌମ୍ୟରଞ୍ଜନ ପଟ୍ଟନାୟକ, ସୁଦାମ ମାର୍ଣ୍ଡି, ପ୍ରମିଳା ମଲ୍ଲିକ, ଦେବୀ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ପ୍ରସନ୍ନ ପାଟଶାଣୀ ପ୍ରମୁଖ ଉଦ୍‌ବୋଧନ ଦେଇ ବିଜୁବାବୁଙ୍କ ଆଦର୍ଶ ଓ ନବୀନଙ୍କ ପରାମର୍ଶରେ କାର୍ଯ୍ୟ କରିବାକୁ କର୍ମୀମାନଙ୍କୁ ଆହ୍ବାନ କରିଥିଲେ। ରାଜ୍ୟ ସଭା ସଦସ୍ୟ ମୁନ୍ନା ଖାଁ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri