କାର୍ଯ୍ୟକାରୀ ହେଲା ଜନ୍ମ, ମୃତ୍ୟୁ ସଂଶୋଧନ ଆଇନ

ନୂଆଦିଲ୍ଲୀ,୨।୧୦: ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ (ସଂଶୋଧନ) ଆଇନ, ୨୦୨୬ ଗୁରୁବାରଠାରୁ ଦେଶରେ ଲାଗୁ ହୋଇଛି । ଏଥିରେ ନିର୍ଦ୍ଧାରିତ ସମୟସୀମା ପରେ ଜଣାଯାଇଥିବା ଜନ୍ମ ଓ ମୃତ୍ୟୁର ପଞ୍ଜୀକରଣ ପାଇଁ ଅଧିକ କଡ଼ା ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏହାର ଉଦ୍ଦେଶ୍ୟ ହେଉଛି ପରିଚୟ ଜାଲିଆତି ରୋକିବା ଓ ଠିକ୍‌ ତଥ୍ୟ ସୁନିଶ୍ଚିତ କରିବା।
ସଂଶୋଧିତ ଆଇନ ଅନୁଯାୟୀ, ଘଟଣା ଘଟିବାର ଏକ ବର୍ଷରୁ ଅଧିକ ସମୟ ପରେ ଏବଂ ଦୁଇ ବର୍ଷ ପରେ ସୂଚନା ଦିଆଯାଇଥିବା ମାମଲାଗୁଡ଼ିକ ପାଇଁ ପୃଥକ୍‌ ପ୍ରକ୍ରିୟା ଲାଗୁ ହେବ।
ଜନ୍ମ କିମ୍ବା ମୃତ୍ୟୁର ଏକ ବର୍ଷ ପରେ କିନ୍ତୁ ଦୁଇ ବର୍ଷ ମଧ୍ୟରେ ସୂଚନା ଦିଆଯାଇଥିବା ମାମଲାଗୁଡ଼ିକର ପଞ୍ଜୀକରଣ ପାଇଁ ଜିଲା ମାଜିଷ୍ଟ୍ରେଟ, ସବ୍‌-ଡିଭିଜନାଲ ମାଜିଷ୍ଟ୍ରେଟ କିମ୍ବା ଘଟଣା ଘଟିଥିବା ସ୍ଥାନର ଅଧିକାରୀ ସ୍ଥାନୀୟ ଜିଲା ମାଜିଷ୍ଟ୍ରେଟ୍‌ଙ୍କ ଦ୍ୱାରା ଅଧିକୃତ ଜଣେ ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍‌ଙ୍କ ଆଦେଶ ଆବଶ୍ୟକ ହେବ। ସୂଚନା ଦିଆଯାଇଥିବା ଜନ୍ମ କିମ୍ବା ମୃତ୍ୟୁର ଠିକ୍‌ ଯାଞ୍ଚ କରିବା ଏବଂ ନିର୍ଦ୍ଧାରିତ ଦେୟ ପୈଠ କରିବା ପରେ ହିଁ ଏହି ଆଦେଶ ଜାରି କରାଯାଇପାରିବ।
ଘଟଣା ଘଟିବାର ଦୁଇ ବର୍ଷରୁ ଅଧିକ ସମୟ ପରେ ଜଣାଯାଇଥିବା ମାମଲାଗୁଡ଼ିକ ପାଇଁ ଅଧିକ କଡ଼ା ପ୍ରକ୍ରିୟା ଲାଗୁ ହେବ। ଏଭଳି ଜନ୍ମ କିମ୍ବା ମୃତ୍ୟୁ ବର୍ତ୍ତମାନ କେବଳ ସେହି ଅଞ୍ଚଳର ଅଧିକାରୀ ଥିବା ଜଣେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଦ୍ୱାରା ଜାରି କରାଯାଇଥିବା ଆଦେଶ ଆଧାରରେ ହିଁ ପଞ୍ଜୀକୃତ ହୋଇପାରିବ। ଏହି ପଞ୍ଜୀକରଣ ପାଇଁ ମଧ୍ୟ ସୂଚନାର ଠିକ୍‌ ଯାଞ୍ଚ ଓ ନିର୍ଦ୍ଧାରିତ ଦେୟ ପୈଠ କରିବା ଆବଶ୍ୟକ ବୋଲି ଜଣେ ଅଧିକାରୀ କହିଛନ୍ତି।
ଏହି ସଂଶୋଧନଗୁଡ଼ିକ ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ଆଇନ, ୧୯୬୯ର ଧାରା ୧୩ର ଉପ-ଧାରା (୩) କୁ ବଦଳାଉଛି ଏବଂ ଏକ ନୂତନ ଉପ-ଧାରା (୩କ)କୁ ଯୋଡ଼ୁଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନରେ ଥିବା ଭାରତର ରେଜିଷ୍ଟ୍ରାର୍‌ ଜେନେରାଲ୍‌ଙ୍କ କାର୍ଯ୍ୟାଳୟ ସେପ୍ଟେମ୍ବର ୧୬ର ଏକ ଗେଜେଟ ବିଜ୍ଞପ୍ତି ମାଧ୍ୟମରେ ସଂଶୋଧିତ ଆଇନର କାର୍ଯ୍ୟକାରିତା ବିଷୟରେ ସୂଚିତ କରିଛନ୍ତି। ବିଜ୍ଞପ୍ତିରେ ଉଲ୍ଲେଖ ଅଛି ଯେ, ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ (ସଂଶୋଧନ) ଆଇନ, ୨୦୨୬ ର ଧାରା ୧ ର ଉପ-ଧାରା (୨) ଅନ୍ତର୍ଗତ କ୍ଷମତାର ପ୍ରୟୋଗ କରି ଏହି ବ୍ୟବସ୍ଥାଗୁଡ଼ିକ ଲାଗୁ ହେବାର ତାରିଖ ଭାବେ ଅକ୍ଟୋବର ୧, ୨୦୨୬ କୁ ନିର୍ଦ୍ଧାରିତ କରାଯାଇଥିଲା।

 

Dharitri – Odisha’s No.1 Odia Daily

Share