ପ୍ରଯୋଜକ ବୀରକିଶୋର ମହାପାତ୍ରଙ୍କ ପରଲୋକ

କଟକ ଅଫିସ,୨୧।୯: ଓଡ଼ିଆ ଚଳଚ୍ଚିତ୍ର ଜଗତର ବର୍ଷୀୟାନ ଅଭିନେତା, ନିର୍ଦ୍ଦେଶକ, ପ୍ରଯୋଜକ ତଥା ନାଟ୍ୟକାର ବୀରକିଶୋର ମହାପାତ୍ର(୯୨)ଙ୍କର ଶନିବାର ରାତିରେ ମଧୁସୂଦନ ନଗରସ୍ଥ ବାସଭବନରେ ପରଲୋକ ଘଟିଛି। ସେ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିିତ ଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ମହାପାତ୍ର ବୋର୍ଡ ଅଫ୍‌ ରେଭିନ୍ୟୁରେ ଉଚ୍ଚପଦସ୍ଥ କର୍ମଚାରୀ ରହିବା ସହ ଜଣେ ସଫଳ ମଞ୍ଚ କଳାକାର ଭାବେ ପ୍ରତିଷ୍ଠା ଲାଭ କରିଥିଲେ। ପ୍ରଶାନ୍ତ ନନ୍ଦଙ୍କ ଫିଲ୍ମ ‘ବାପା’ ଓ ‘ଗୋଲାମ ଗିରି’ରେ ସେ ଅଭିନୟ କରିଥିଲେ। କଟକ ଦୂରଦର୍ଶନରେ ପ୍ରସାରିତ କେତେକ ନାଟକରେ ଅଭିନୟ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ। ତାଙ୍କର ଅନେକ ରଚନା ମଧ୍ୟରୁ ‘କଚେରି ଛକ ଓ ଅନ୍ୟାନ୍ୟ ନାଟକ’ ପୁସ୍ତକ ପାଠକୀୟ ଆଦୃତି ପାଇଛି। ସେ ୧୯୯୯ରେ ‘ମା ପରି କିଏ ହେବ’ ସିନେମା ନିର୍ମାଣ କରି ପ୍ରଶଂସା ସାଉଁଟିି ଥିଲେ। ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ପୁତ୍ର ହୃଦୟ ବିହାରୀ ମହାପାତ୍ର, ପୁତ୍ରବଧୂ କଲ୍ୟାଣୀ, ନାତି ଚିରଞ୍ଜୀବୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ସତୀଚଉରା ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପୁତ୍ର ହୃଦୟ ମୁଖାଗ୍ନି ଦେଇଥିଲେ।