ଗଞ୍ଜାମ,୧୫।୯(ଅଖିଳ ତରାଇ): ଗଞ୍ଜାମ ଥାନା ଅଧୀନରେ ବାଇକ ଚୋରିର ଘଟଣା ବୃଦ୍ଧି ପାଉଥିବାରୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ସୋମବାର ବିଳମ୍ବିତ ରାତିରେ ଦୁଇଟି ବାଇକ ଚୋରି ହୋଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୁଇଁତଳା ଗ୍ରାମ ନିକଟ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଏକ ଦୋକାନ ନିକଟରୁ ସୁନୀଲ କୁମାର ବେହେରାଙ୍କର ଆପାଚି ବାଇକ (ନମ୍ବର: ଓଡ଼ି୦୭ଏଏନ ୬୬୬୩) ଚୋରି ହୋଇଯାଇଛି। ଏହି ଘଟଣାରେ ଗଞ୍ଜାମ ଥାନାରେ କେସ ନମ୍ବର ୩୨୪/୨୫ ରୁଜୁ କରାଯାଇଛି। ସେହିପରି ଲକ୍ଷ୍ମୀପୁର ଗ୍ରାମରେ ପି. ଦେବରାଜ ରେଡ୍ଡୀଙ୍କ ଘର ସମ୍ମୁଖରୁ ଗ୍ଲାମର୍ ବାଇକ (ନମ୍ବର: ଓଡ଼ି୦୭ ୧୭୬୪) ମଧ୍ୟ ଚୋରି ହୋଇଯାଇଛି।
ଏହା ପୂର୍ବରୁ ଗତ ଜୁଲାଇ ମାସରେ ଲକ୍ଷ୍ମୀ ବସ୍ର ଚାଳକ ଗୋବିନ୍ଦ ଦାସଙ୍କର ଗ୍ଲାମର୍ ବାଇକ (ନମ୍ବର: ଓଡ଼ି୦୭କେ ୪୬୦୭) ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପାର୍କିଂରେ ରଖାଯାଇଥିବା ଅବସ୍ଥାରେ ଚୋରି ହୋଇଯାଇଥିଲା। ଗୋବିନ୍ଦ ଯାତ୍ରୀ ନେବାକୁ ବସ ପାଖକୁ ଯାଇଥିବା ବେଳେ ଫେରିବା ସମୟରେ ବାଇକ ଗାୟବ ହୋଇଥିବା ଦେଖି ଥାନାରେ ଅଭିଯୋଗ କରିଛନ୍ତି। ଏହି ଘଟଣାଗୁଡ଼ିକ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି।
ଚୋରିର ମୂଳକାରଣ ହେଉଛି ଅଞ୍ଚଳରେ ସିସିଟିଭିର ଅଭାବ। ବଜାରରେ ଲାଗିଥିବା ସିସି କ୍ୟାମେରାଗୁଡ଼ିକ କାର୍ଯ୍ୟକ୍ଷମ ନୁହେଁ, ଏବଂ ପୁଇଁତଳାର ଦୋକାନଗୁଡ଼ିକରେ କ୍ୟାମେରା ନ ଥିବାରୁ ଦୁର୍ବୃତ୍ତମାନଙ୍କୁ ସୁଯୋଗ ମିଳୁଛି।
ଗଞ୍ଜାମ ଥାନାର ଆଇଆଇସି ସୁମିତ୍ରା ପାତ୍ର ବାରମ୍ବାର ବଜାରର କ୍ୟାମେରା ମରାମତି କରିବାକୁ ଏବଂ ଦୋକାନୀମାନଙ୍କୁ କ୍ୟାମେରା ସ୍ଥାପନ କରିବାକୁ ପରାମର୍ଶ ଦେଇଛନ୍ତି। କିନ୍ତୁ ଏହାର କାର୍ଯ୍ୟକାରିତା ନହେବାରୁ ଚୋରମାନେ ନିର୍ଭୟରେ କାର୍ଯ୍ୟ କରୁଛନ୍ତି। ଆଇଆଇସି କହିଛନ୍ତି, ସିସିଟିଭିର ଅଭାବରେ ତଦନ୍ତରେ ବହୁ ବାଧା ଉପୁଜୁଛି। ଏହାକୁ ଶୀଘ୍ର ସମାଧାନ କରିବା ଆବଶ୍ୟକ। ପୋଲିସ ତଦନ୍ତ ଜାରି ରଖିଛି, କିନ୍ତୁ ସ୍ଥାନୀୟ ବାସିନ୍ଦାମାନେ ରାତ୍ରି ପାଟ୍ରୋଲିଂ ବୃଦ୍ଧି ଏବଂ ସିସିଟିଭି ସ୍ଥାପନର ଦାବି କରୁଛନ୍ତି। ଏହି ଘଟଣାଗୁଡ଼ିକ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥାର ଦୁର୍ବଳତାକୁ ଉଜାଗର କରିଛି। ପ୍ରଶାସନ ଏବଂ ସ୍ଥାନୀୟ ବ୍ୟବସାୟୀମାନେ ମିଳିମିଶି ଏହି ସମସ୍ୟାର ସମାଧାନ କରିବା ଉଚିତ୍। ଅନ୍ୟଥା ଚୋରିର ଘଟଣା ଆହୁରି ବୃଦ୍ଧି ପାଇବାର ଆଶଙ୍କା ରହିଛି।
Dharitri – Odisha’s No.1 Odia Daily


