ବାଇକ୍‌-ସ୍କୁଟି ମୁହାଁମୁହିଁ: ଚାଲିଗଲା ୫ ଜୀବନ, ଜଣେ ଗୁରୁତର

ଗଞ୍ଜାମ,୧୯ା୧: ଗଞ୍ଜାମ ଜିଲା ସୋରଡ଼ା ଥାନା ନିକଟ କେଶରୀପାଟଣା ଗାଁ ଡ୍ରାପ୍‌ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଇକ୍‌ ଓ ସ୍କୁଟି ମୁହାଁମୁହିଁ ଧକ୍କା ହେବାରୁ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି।

ମୃତକମାନେ ହେଲେ ଗୋପାଳପୁର ଶାସନ ଗ୍ରାମର ମହେନ୍ଦ୍ର ନାୟକ, ସାନ ସୋରଡ଼ା ଗ୍ରାମର ରଜନୀ ଗୌଡ଼, ଅସୁରବନ୍ଧ ଗ୍ରାମର ଶ୍ରୀକାନ୍ତ ଗୌଡ଼, ଦୁଲାଡ଼ ଗ୍ରାମର ମନୋଜ ଡାକୁଆ ଓ ଜୟନ୍ତ ବାଡ଼ତ୍ୟା। ଗୁରୁତର ଦୁଲାଡ଼ର ପୂର୍ଣ୍ଣ ଗୌଡ଼ଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ସୂଚନାଯୋଗ୍ୟ, ଗୁରୁବାର ବିଳମ୍ବିତ ରାତିରେ ପୂର୍ଣ୍ଣ, ମନୋଜ, ଶ୍ରୀକାନ୍ତ ଗୋଟିଏ ବାଇକ୍‌ରେ ନିଜ ଗାଁ ଦୁଲାଡ଼ ଅଭିମୁଖେ ଯାଉଥିବା ସମୟରେ ବିପରୀତ ଦିଗରୁ ଏକ ସ୍କୁଟିରେ ମହେନ୍ଦ୍ର, ରଜନୀ, ଜୟନ୍ତ ସୋରଡ଼ା ଆସୁଥିଲେ। ଏହି ସମୟରେ ବାଇକ୍‌ ସହ ସ୍କୁଟିର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଅଗ୍ନିଶମ ବାହିନୀ ଅନ୍ୟ ଗୁରୁତରଙ୍କୁ ଉଦ୍ଧାର କରି ସୋରଡ଼ା ମେଡିକାଲରେ ଭର୍ତ୍ତି କରିଥିଲା। ତେବେ ସେଠାରେ ଦୁଇ ଜଣଙ୍କର ମୃତ୍ୟୁ ହାଇଛି। ଗୁରୁତର ପୂର୍ଣ୍ଣଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି।