କେନାଲ ଗାର୍ଡ ଓ୍ବାଲରେ ପିଟି ହୋଇ ବାଇକ ଆରୋହୀ ମୃତ

ହିଞ୍ଜିଳିକାଟୁ ୩୦।୧(ଡି.ଏନ.ଏ.): ହିଞ୍ଜିଳି ଥାନା ଅନ୍ତର୍ଗତ ସୋମପୁର ଏବଂ ପୋଚିଲିମା ଗ୍ରାମ ମଧ୍ୟ ରାସ୍ତାରେ କେନାଲ ଗାର୍ଡ ଓ୍ବାଲରେ ପିଟି ହୋଇ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଆସିକା ଥାନା ଅନ୍ତର୍ଗତ ପଢାଳ ଗ୍ରାମର ବାବୁଲା ନାଇକଙ୍କ ପୁଅ ସାଗର ନାଇକ (୨୨ )।

ସୂଚନାଯୋଗ୍ୟ, ରବିବାର ସାଗର ରାଜ୍ୟ ବାହାରୁ ଫେରି ହିଞ୍ଜିଳିକାଟୁ ନିକଟ ସୋମପୁର ଗ୍ରାମ ଭଉଣୀ ଘରକୁ ଆସିଥିଲେ। ସୋମପୁରଠାରୁ ଗୋଲାପଲ୍ଲି ବାଇକରେ ଯାଉଥିବା ବେଳେ ପୋଚିଲିମା ଆଇଟିଆଇ ନିକଟରେ ଏକ କେନାଲ କାନ୍ଥକୁ ଧକ୍କା ଦେଇ ତଳକୁ ଖସିପଡିଥିଲେ। କେନାଲ ଗାର୍ଡ ୱାଲ ସହ ପିଟି ହେବା ଫଳରେ ସାଗର ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ସୋମବାର ପୂର୍ବାହ୍ନରେ ସ୍ଥାନୀୟ ବାସିନ୍ଦା ବାଇକ ସହ ଆରୋହୀ ପଡିଥିବା ଦେଖି ହିଞ୍ଜିଳି ଥାନାକୁ ଖବର ଦେଇଥିଲେ। ହିଞ୍ଜିଳି ପୋଲିସ ଓ ହିଞ୍ଜିଳିକାଟୁ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ବାଇକକୁ ପୋଲିସ ଜବତ କରିଛି। ଏ ନେଇ ହିଞ୍ଜିଳି ଥାନାରେ ୬୩/୨୩ ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ ସୂଚନା ଦେଇଛନ୍ତି।