ଗଛକୁ ପିଟିଲା ବାଇକ୍‌: ଜଣେ ମୃତ, ୨ ଆହତ

କାଶୀପୁର,୧୫।୬: ରାୟଗଡା ଜିଲା କାଶୀପୁର ଥାନା ଅଧିନ ନଳାଚୂଆଁ ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହାତ ହୋଇଛନ୍ତି। ମୃତକ ଜଣଙ୍କ ହେଲେ ଲାଜ୍ଜିଂଗଡ ଅଞ୍ଚଳର ସୁନମ ଶୁଭଶ୍ରୀ ମହାନ୍ତି (୨୨) ବୋଲି ସୂଚନା ମିଳିଛି। ଉକ୍ତ ଦୁର୍ଘଟଣାର ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ପ୍ରଥମେ କାଶୀପୁର ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ମଧ୍ୟରୁ ରୋସନ ଦାସ (୨୭)ଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ କାଶୀପୁର ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାଏକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିବା ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି। ଅନ୍ୟ ଜଣେ ଆହତ କରିଶ୍ମା ମହାନ୍ତି (୨୦) କାଶୀପୁର ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ସମସ୍ତଙ୍କ ଘର କଳାହାଣ୍ଡି ଜିଲା ଲାଜ୍ଜିଂଗଡ ଅଞ୍ଚଳର ବୋଲି ସୂଚନା ମିଳିଛି।
ଘଟଣାରୁ ପ୍ରକାଶ ଯେ, ଆଜି ସକାଳେ ୩ ଜଣ ଏକ ବାଇକ ଯୋଗେ କାଶୀପୁରରୁ ମାଣ୍ଡିବିଶି ଅଭିମୁଖେ ଯାଉଥିବା ସମୟରେ ଚାଳକ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱ ଏକ ଗଛକୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକେ ଆହତ ମାନଙ୍କୁ ଉଦ୍ଧାର କରି କାଶୀପୁର ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କାଶୀପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ପରିବାର ଲୋକଙ୍କୁ ଖବର ଦେଇଥିଲା।