ଗଛକୁ ଧକ୍କା ଦେଲା ବାଇକ୍‌, ଚାଳକ ମୃତ

ଦିଗପହଣ୍ଡି,୭।୧୨(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଚୈତନ୍ୟପୁର କୁକୁଡାଫାର୍ମ ନିକଟରେ ବୁଧବାର ଏକ ଦୁର୍ଘଟଣା ଘଟିଛି। ଏହି ଦୂର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତ ବାଇକ୍‌ ଚାଳକ ଜଣକ ସିଦ୍ଧଖଣ୍ଡି ଗ୍ରାମର ରବି ନାୟକ(୨୦) ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ବୁଧବାର ସକାଳ ୧୦ଟା ୪୫ ମିନିଟ୍‌ରେ କୌଣସି ଏକ କାମରେ ବାଇକ୍‌ ଯୋଗେ ରବି ପଦ୍ମନାଭପୁରକୁ ଆସି ପୁଣି ନିଜ ଗ୍ରାମକୁ ଫେରୁଥିଲେ। ସେହି ସମୟରେ ଚୈତନ୍ୟପୁର କୁକୁଡାଫାର୍ମ ନିକଟରେ ଭାରସାମ୍ୟ ହରାଇ ରବି ରାସ୍ତା ପାର୍ଶ୍ୱରେ ଥିବା ଏକ ଗଛକୁ ଧକ୍କା ଦେଇଥିଲେ। ଗୁରୁତର ଅବସ୍ଥାରେ ବାଇକ୍‌ ଚାଳକଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଦିଗପହଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚିି ଉକ୍ତ ବାଇକ୍‌କୁ ଜବତ କରି ଘଟଣାର ତଦନ୍ତ ଚଳାଇଛି। ଏଥିସହ ଏକ ଦୁର୍ଘଟଣା ଜନିତ ମାମଲା ରୁଜୁ କରିବା ସହ ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଛି ବୋଲି ଥାନା ଅଧିକାରୀ ଦୀପ୍ତି ରଞ୍ଜନ ବେହେରା କହିଛନ୍ତି।