ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହେଲା ବାଇକ୍‌

ଖଲ୍ଲିକୋଟ,୧୫ା୧(ଡି.ଏନ.ଏ.): ଖଲ୍ଲିକୋଟ ଥାନା ନିକଟରେ ରବିବାର ଏକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।

ମିଳିଥିବା ସୂଚନା ମୁତାବକ, ରବିବାର ଏକ ବାଇକ୍‌ ଯୋଗେ ୨ ଜଣ ଯୁବକ ଖଲ୍ଲିକୋଟରୁ କେଶପୁର ଯାଉଥିଲେ। ଖଲ୍ଲିକୋଟ ଥାନା ନିକଟରେ ବାଇକ୍‌ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହୋଇଯାଇଥିଲା। ଫଳରେ ୨ ଯୁବକ ତଳେ ପଡ଼ି ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ ଆହତ ଦ୍ୱୟଙ୍କୁ ଉଦ୍ଧାର କରି ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲା। ସେଠାରେ ବାଇକ୍‌ ଆରୋହୀ ପିଣ୍ଟୁ ଦାସ(୨୪)ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଗୋପା ଦାସ(୨୨) ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଏନେଇ ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ତଦନ୍ତ କରୁଛି।