ଅମରପାଲି,୧।୩(ପୀତାମ୍ବର ସାହୁ): ବୀରମହାରାଜପୁର-ଅମରପାଲି ରାସ୍ତାର ମୁର୍ଷୁଣ୍ଢୀ ବିଦ୍ୟୁତ ଗ୍ରୀଡ ସମ୍ମୁଖରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଛି । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଯୁବକ ଗୁରୁତର ହୋଇ ପଡିଛନ୍ତି । ମୃତକ ଜଣକ ହେଲେ ସମ୍ବଲପୁର ଜିଲା ରେଢାଖୋଲ ଥାନା ଅନ୍ତର୍ଗତ ତ୍ରିବଣପୁର ପଞ୍ଚାୟତ ଅରଖକୁଦ ଗ୍ରାମର ଲବଣୀ ପ୍ରଧାନଙ୍କ ପୁଅ କୃଷ୍ଣଚନ୍ଦ୍ର ପ୍ରଧାନ( ୨୭) ବୋଲି ଜଣା ପଡିଛି ।
ସୂଚନା ଅନୁସାରେ, ରବିବାର ଦିନ କୃଷ୍ଣଚନ୍ଦ୍ର ଓ ତାଙ୍କ ଗ୍ରାମର ଆଉ ଜଣେ ଯୁବକ ସରୋଜ ପ୍ରଧାନ(୨୮) ଏକ ବାଇକରେ ତାଙ୍କ ଭଉଣୀ ଘର ବାସୁଦେବପୁରରୁ ବୀରମହାରାଜପୁରକୁ ଯାଇଥିଲେ । ଏହି ସମୟରେ ମୁର୍ଷୁଣ୍ଢୀ ଗ୍ରାମର ଜଣେ ଯୁବକ ଏକ ବାଇକରେ ବିପରୀତ ଦିଗରୁ ଆସୁଥିଲେ । ବୀରମହାରାଜପୁର – ଅମରପାଲି ରାସ୍ତାର ମୁର୍ଷୁଣ୍ଢୀ ନିକଟସ୍ଥ ବିଦ୍ୟୁତ ଗ୍ରୀଡ ସମ୍ମୁଖରେ ଉଭୟ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା।
ଫଳରେ ସମସ୍ତେ ଗାଡିରୁ ଛିଟିକି ପଡ଼ିଥିଲେ । ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ ସମସ୍ତଙ୍କୁ ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ । ମାତ୍ରେ ସେଠାରେ ଡାକ୍ତର କୃଷ୍ଣଚନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ ।

