ଥୁଆମୂଳ ରାମପୁର,୧୧।୨(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଥୁଆମୂଳ ରାମପୁର-କାଶିପୁର ମୁଖ୍ୟ ରାସ୍ତା କୁମ୍ଭାରକାନି ଗ୍ରାମର ଗୌଡ଼ ପଡ଼ା ନିକଟରେ ମଟରସାଇକେଲ ଧକ୍କାରେ ମହିଳାଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି l
ପ୍ରାଥମିକ ସୂଚନାରୁ ଜଣାପଡିଛି ଯେ, କୁମ୍ଭାରକାନି ଗ୍ରାମର ସୁଦର୍ଶନ ନାଏକଙ୍କ ସ୍ତ୍ରୀ ସୁମିତ୍ରା ନାଏକ (୫୦) ଗାଁ ରାସ୍ତାରେ ଚାଲୁଥିବା ବେଳେ ଡୁମେର ପଦର ଗ୍ରାମର ଧନୀରାମ ମାଝୀ ଓ ସଙ୍କଳ ମାଝୀ ଦୁହେଁ ଏକ ହୁଣ୍ଡା ଏସପି (ଓଡି୦୮କ୍ୟୁ୨୬୦୮)ଗାଡ଼ି ଯୋଗେ ଥୁଆମୂଳ ରାମପୁରଠାରୁ କୁମ୍ଭାରକାନି ଦେଇ ନିଜ ଘର ଫେରୁଥିଲେ। ସେହି ସମୟରେ
ମହିଳା ଜଣଙ୍କୁ ପଛପଟୁ ଧକ୍କା ଦେଇ ଚାଳକ ଧନୀରାମ ମାଝୀ ଫେରାର ମାରିଥିବା ଜଣାପଡିଛି l
ଅନ୍ୟପକ୍ଷରେ ଆଉ ଏକ ବାଇକ ଆରୋହୀ ସଙ୍କଳ ମାଝୀ ମଧ୍ୟ ଗାଡ଼ିରୁ ଛିଟିକି ପଡ଼ି ଗୁରୁତର ହୋଇଥିଲେ। ପରେ ଗ୍ରାମର କିଛି ମୃତ ମହିଳା ଏବଂ ବାଇକ ଆରୋହୀ ଦୁହିଁଙ୍କୁ ଘଟଣା ସ୍ଥଳରୁ ଆମ୍ବୁଲାନ୍ସ ନମିଳିବାରୁ ବାଇକ ଯୋଗେ ଥୁଆମୂଳ ରାମପୁର ଗୋଷ୍ଟୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିବା ବାଟରେ ମହିଳା ଜଣଙ୍କ ମୃତ୍ୟୁବରଣ କରିଥିଲେ। ଡାକ୍ତରଖାନାରେ ପହଞ୍ଚିବା ପରେ ମଧ୍ୟ ଡାକ୍ତର ସମ୍ବିତ ବିଶାଳ ସୁମିତ୍ରାଙ୍କୁ ମୃତ ଘୋଷଣା କରିଥିଲେ।
ଅପରପକ୍ଷରେ ଗୁରୁତର ସଙ୍କଳଙ୍କୁ ପ୍ରାଥମିକ ଚିକିତ୍ସା କରାଯିବା ପରେ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟାଳୟକୁ ସ୍ଥାନାନ୍ତରିତ କରିବା ପାଇଁ ଡାକ୍ତର ପରାମର୍ଶ ଦେଇଥିବା ଜଣାପଡିଛି। ମୃତ ମହିଳାଙ୍କ ମୁହଁ ଫାଟିଥିବା ବେଳେ କାନ, ନାକ ପାଟିରୁ ରକ୍ତସ୍ରାବ ହେଉଥିବା ଯାହା ଡାକ୍ତର ସୂଚନା ଦେଇଥିଲେ। ଏନେଇ ମୃତ ମହିଳାଙ୍କ ପୁଅ ଶୁଭ ନାଏକ ଥୁଆମୂଳ ରାମପୁର ଥାନାରେ ଲିଖିତ ଅଭିଯୋଗ କରିଥିବାବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି କେସ ନଂ ୧୮/୨୫ ରେ ଏକ ମାମଲା ରୁଜୁ କରି ତଦନ୍ତ ଅଧିକାରୀ ଭାସ୍କର ଖୋସଲା ଅଧିକ ତଦନ୍ତ ଜାରି ରଖିଛନ୍ତି। ତେବେ ରାତି ହୋଇଥିଲା ତେଣୁ ଆଜି ମୃତ ମହିଳାଙ୍କ ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି l


