କଂଗ୍ରେସ ଟିକେଟରେ ଦୁଇଥର ଜିତିଥିଲେ ବିଜୁବାବୁ

ବ୍ରହ୍ମପୁର ଅଫିସ,୧୭।୪: ବିଶିଷ୍ଟ ରାଜନେତା ସ୍ବର୍ଗତ ବିଜୁ (ବିଜୟାନନ୍ଦ) ପଟ୍ଟନାୟକ ଗଞ୍ଜାମ ଜିଲାରୁ ଦୁଇଥର କଂଗ୍ରେସ ବିଧାୟକ ଏବଂ ଥରେ ଆସିକା ଲୋକ ସଭା କ୍ଷେତ୍ରରୁ ଜନତା ଦଳରୁ ଏମ୍‌ପି ହୋଇଥିଲେ। ରବିବାର ତାଙ୍କ ୨୫ତମ ଶ୍ରାଦ୍ଧ ବାର୍ଷିକୀରେ ଜିଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ବିଜେଡି ପକ୍ଷରୁ ସ୍ମୃତିଚାରଣ ସହ ରକ୍ତଦାନ ଶିବିର ଆୟୋଜନ କରାଯାଇଛି। ଭଞ୍ଜନଗର ନିକଟ ନୂଆଗଁାରେ ତାଙ୍କୀ ପୈତୃକ ବାସଭବନ ରହିଛି। ତେବେ ଜୀବନ କାଳରେ ଥରେ ମଧ୍ୟ ତାଙ୍କ ପାଦ ପଡ଼ି ନ ଥିବା ପୁରୁଣାକାଳିଆ ଲୋକଙ୍କଠାରୁ ଜଣାପଡ଼ିଛି। ସେହି ଘରକୁ ବିଜୁ ସ୍ମୃତି ଭବନରେ ପରିଣତ କରାଯିବାକୁ ବିଭିନ୍ନ ମହଲରୁ ମତପ୍ରକାଶ ପାଇଛି। ତାଙ୍କ ନଁାରେ ଗଠିତ ଆଞ୍ଚଳିକ ରାଜନୈତିକ ଦଳ ଦୀର୍ଘ ୨୨ ବର୍ଷ ହେବ କ୍ଷମତାସୀନ ହୋଇଥିବାରୁ ସ୍ମୃତି ଭବନ ପାଇଁ ତ୍ୱରିତ ପଦକ୍ଷେପ ନେବାକୁ ଗୁରୁତ୍ୱ ଦିଆଯାଇଛି।
ନିର୍ବାଚନୀ ତଥ୍ୟାନୁସାରେ ସ୍ବାଧୀନତା ପରବର୍ତ୍ତୀ ୧୯୫୧-୫୨ ପ୍ରଥମ ବିଧାନସଭା ନିର୍ବାଚନରେ ବିଜୁ ପଟ୍ଟନାୟକ ଗଞ୍ଜାମ ଜିଲାର ଜଗନ୍ନାଥପ୍ରସାଦ ନିର୍ବାଚନମଣ୍ଡଳୀରୁ କଂଗ୍ରେସ ଟିକେଟରେ ଲଢ଼ିଥିଲେ। ତାଙ୍କ ନିକଟତମ କମ୍ୟୁନିଷ୍ଟ ପ୍ରାର୍ଥୀ ଅନନ୍ତ ଚରଣ ରାଉତଙ୍କୁ ପରାସ୍ତ କରି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ବିଜୁ ୯୫୫୨ ଏବଂ ଅନନ୍ତ ୪୨୭୨ ଭୋଟ ପାଇଥିଲେ। ୨୦୦୪ ପର୍ଯ୍ୟନ୍ତ ଜଗନ୍ନାଥପ୍ରସାଦ ଆସନ ଥିଲା। ୨୦୦୯ ନିର୍ବାଚନ ବେଳେ ସୀମା ନିର୍ଦ୍ଧାରଣ ଓ ପୁନର୍ଗଠନ ପ୍ରକ୍ରିୟାରେ ଉଚ୍ଛେଦ ହେଲା। ସେହି କ୍ଷେତ୍ରରେ ଥିବା ଜଗନ୍ନାଥପ୍ରସାଦ ବ୍ଲକ ଭଞ୍ଜନଗରରେ ଏବଂ ବୁଗୁଡ଼ା ବ୍ଲକକୁ ବର୍ତ୍ତମାନର ପୋଲସରା ନିର୍ବାଚନ ମଣ୍ଡଳୀରେ ମିଶାଇ ଦିଆଯାଇଛି।
ସେହିପରି ୧୯୫୭ ନିର୍ବାଚନରେ ବିଜୁବାବୁ ସୋରଡ଼ା ବିଧାନସଭା କ୍ଷେତ୍ରରୁ କଂଗ୍ରେସରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତାଙ୍କ ନିକଟତମ ଗଣତନ୍ତ୍ର ପରିଷଦ ପ୍ରାର୍ଥୀ ତ୍ରିଲୋଚନ ଦାସଙ୍କୁ ପରାସ୍ତ କରିଥିଲେ। କଂଗ୍ରେସକୁ ୮୬୨୦ ଏବଂ ଗଣତନ୍ତ୍ର ପରିଷଦକୁ ୫୬୨୫ ଭୋଟ ମିଳିଥିଲା। ସୋରଡ଼ାରେ ତତ୍କାଳୀନ ପିଏସ୍‌ପି (ପ୍ରଜା ସୋସିଆଲିଷ୍ଟ ପାର୍ଟି)ରୁ ଭଗବାନ ଗୌଡ଼ ପ୍ରାର୍ଥୀ ହୋଇଥିଲେ। ତାଙ୍କୁ ୪୭୯୯ ଭୋଟ ମିଳିଥିବାରୁ ତୃତୀୟ ସ୍ଥାନରେ ଥିଲେ। ଅନ୍ୟ ସ୍ବାଧୀନ ପ୍ରାର୍ଥୀମାନେ ଶୋଚନୀୟ ଭାବେ ହାରିଥିଲେ। ଗଞ୍ଜାମର ସୋରଡ଼ା ଓ ଜଗନ୍ନାଥପ୍ରସାଦରୁ ବିଧାୟକ ହେବା ପୂର୍ବରୁ ଓ ପରେ ବିଜୁ ରାଜ୍ୟର ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ଭିନ୍ନ ଭିନ୍ନ ଦଳରୁ ଲଢ଼ି କେଉଁଠି ଜିତିଥିଲେ ତ ଆଉ କେଉଁଠି ପରାଜିତ ହୋଇଥିଲେ।
ପରବର୍ତ୍ତୀ କାଳରେ ୧୯୯୬ ଲୋକ ସଭା ନିର୍ବାଚନରେ ସେ ଆସିକା କ୍ଷେତ୍ରରୁ ଜନତା ଦଳ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଥିଲେ। କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମଚନ୍ଦ୍ର ରଥଙ୍କୁ ପରାସ୍ତ କରି ଏମ୍‌ପି ହୋଇଥିଲେ। ସେହି ନିର୍ବାଚନରେ ବିଜୁ କଟକ ଲୋକ ସଭା ଆସନରୁ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଦୁଇଟି ଯାକରେ ଜିତିବା ପରେ କଟକ ଛାଡ଼ି ଆସିକାକୁ ରଖିଥିଲେ।