ବଲାଙ୍ଗୀର,୧୪ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବିଜୁ ଛାତ୍ର ଜନତା ଦଳ ସଭାପତି ସୁମନ ନନ୍ଦଙ୍କୁ ପୋଲିସ ଗିରଫ କରିଛି । ଏବିଭିପି ଛାତ୍ର ପ୍ରତିନିଧିଙ୍କୁ ଅପହରଣ କରାଯିବା ମାମଲାକୁ ନେଇ ତାଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ସୁମନ ନନ୍ଦଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଘଟଣାକୁ ନେଇ ବ୍ୟାପକ ଉତ୍ତେଜନା ଦେଖାଯାଇଛି । ବିଜେଡି କର୍ମୀମାନେ ଗିରଫ ପ୍ରତିବାଦରେ ଟାଉନ୍ ଥାନାକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଭାଜପା ବିରୁଦ୍ଧରେ ସ୍ଲୋଗାନ ଦେଇ ରାସ୍ତା ରୋକ୍ କରିବା ସହ ଥାନା ଘେରାଉ କରିଛନ୍ତି ।
ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବା ସହ ଥାନା ସମ୍ମୁଖରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ରହିଛନ୍ତି । ଆଇନ୍ ଶୃଙ୍ଗଳା ପରିସ୍ଥିତିକୁ ଆଖିଆଗରେ ରଖି ଟାଉନ୍ ଥାନା ପୋଲିସ ବ୍ୟାରିକେଟ୍ ବ୍ୟବସ୍ଥା କରିଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ରାଜେନ୍ଦ୍ର କଲେଜ ଛକ ଯାଏ ସ୍ଥାନେ ସ୍ଥାନେ ପୋଲିସ ମୁତୟନ ହୋଇଛନ୍ତି ।