ଖାଲଖମାରେ ଭର୍ତ୍ତି ବିଜିପୁର ଟ୍ୟାଙ୍କ ରୋଡ

ବ୍ରହ୍ମପୁର ଅଫିସ,୧୨ା୬: ବ୍ରହ୍ମପୁର ସହରରେ ରାସ୍ତାର ଉନ୍ନତିକରଣ ପାଇଁ ବ୍ରହ୍ମପୁର ମହାନଗର ନିଗମ (ବିଇଏମସି) ପଦକ୍ଷେପ ଗ୍ରହଣ କରୁଛି। ସୁବାରାଓ ଛକଠାରୁ ସେଣ୍ଟ ଭିନସେଣ୍ଟ୍‌ ସ୍କୁଲ ଛକ ଓ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ଛକ, ଅନ୍ନପୂର୍ଣ୍ଣା ମାର୍କେଟଠାରୁ ଭିଶାଲ ମେଗା ମାର୍ଟ, ଜ୍ୟୋତି ପେଟ୍ରୋଲ ପମ୍ପଠାରୁ ଗାନ୍ଧୀନଗର ଛକ, ଗାନ୍ଧୀନଗର ଉପର ଓ ତଳ ରାସ୍ତା, ୫୯ ନଂ ଜାତୀୟ ରାଜପଥଠାରୁ ଭେଙ୍କେଟଶ୍ୱର ଏବଂ କପିଳେଶ୍ୱର ମନ୍ଦିର ରାସ୍ତା ସ୍ମାର୍ଟ ରାସ୍ତାରେ ରୂପାନ୍ତରିତ କରାଯାଇଛି। ବିଇଏମସି ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷରେ ୪୪୦ ମିଟର ପିଚୁ ରାସ୍ତା, ୧୧,୪୭୯ ମିଟର କଂକ୍ରିଟ ରୋଡ, ୬୫୮୩ ପେଭର ରାସ୍ତା ଓ ୨୯୦ ମିଟର କଚା ରାସ୍ତା ଓ ୨୧,୫୪୯ ମିଟର ଡ୍ରେନ ନିର୍ମାଣ କରାଯାଇଛି। ଏଥିନିମନ୍ତେ ୨୨କୋଟି ୧୩ ଲକ୍ଷ ୮୨ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ସୂଚନା ରହିଛି। ହେଲେ ଏପରି ବହୁ ଗୁରୁତ୍ୱପୂର୍ଣ୍ଣ ଓ ଜନଗହଳି ପୂର୍ଣ୍ଣ ଅଞ୍ଚଳର ମୁଖ୍ୟ ରାସ୍ତା ରହିଛି ଯାହାର ଉନ୍ନତି ଲାଗି କାୈଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ଦେଖିବାକୁ ମିଳିଛି। ବିଜିପୁର ଟ୍ୟାଙ୍କ ରୋଡ ଏହାର ଜ୍ୱଳନ୍ତ ଉଦାହରଣ। ଏହି ରାସ୍ତା ଖାଲଖମାରେ ଭର୍ତ୍ତି ହୋଇଛି।
ବିଜିପୁର ଟ୍ୟାଙ୍କ ରୋଡଟି ଷ୍ଟେଶନ ରାସ୍ତା ସମେତ କଂଗ୍ରେସ ଭବନ ଛକକୁ ସଂଯୋଗ କରିଥାଏ। ସହର ମଧ୍ୟରେ ଏହା ଏକ ମୁଖ୍ୟରାସ୍ତା କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ରାସ୍ତା ଦେଇ ବିଜିପୁର, ଗୋସାଣୀ ନୂଆଗାଁ ଓ ଗାନ୍ଧୀନଗର ବାସିନ୍ଦା ମଧ୍ୟ ଯାତାୟାତ କରନ୍ତି। କିନ୍ତୁ ଦୀର୍ଘ ଦିନ ଧରି ଏହି ରାସ୍ତାର ମରାମତି କ୍ଷେତ୍ରରେ ନିଗମ ପକ୍ଷରୁ କାୈଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ରାସ୍ତାର ଗୋଟିଏ ପାର୍ଶ୍ୱରେ ଖାଲଖମା ହୋଇ ପାଣି ଜମି ରହୁଛି। ବର୍ଷାଦିନେ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିବା ସହ ନିକଟସ୍ଥ ଫଳ ବଜାରରେ ପ୍ରବେଶ କରୁଥିବା ବ୍ୟବସାୟୀମାନେ କହିଛନ୍ତି। ପାଣି ଯୋଗୁ ଅନେକ ସମୟରେ ଦୋକାନ ବନ୍ଦ କରୁଥିବା ସେମାନେ କହିଛନ୍ତି। ତେବେ ବିଇଏମସି ପକ୍ଷରୁ ୨୦୨୩-୨୪ ଆର୍ଥିକ ବଜେଟରେ ନେତାଜୀ ସୁବାଷ ବୋଷ ପ୍ରତିମୂର୍ତ୍ତିଠାରୁ ବିଜିପୁର ଫଳ ମାର୍କେଟ ଓ ବିଜିପୁର ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ୪ କୋଟି ଟଙ୍କା ବ୍ୟୟରେ ସ୍ମାର୍ଟ ରାସ୍ତା ନିର୍ମାଣ ପାଇଁ ଯୋଜନା କରାଯାଇଥିଲା। କିନ୍ତୁ ଯୋଜନା କାର୍ଯ୍ୟକାରୀ କ୍ଷେତ୍ରରେ ଏଯାବତ କାୈଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ସ୍ଥାନୀୟ ବାସିନ୍ଦା ଓ ବ୍ୟବସାୟୀମାନେ କହିଛନ୍ତି। ସ୍ଥାନୀୟ କର୍ପୋରେଟର ନରସିଂହ ସେଠୀ କହିଛନ୍ତି, ଏ ବାବଦରେ ବିଇଏମସି କମିଶନରଙ୍କୁ ଅବଗତ କରାଯାଇଛି। ରାସ୍ତା ପ୍ରଶସ୍ତିକରଣ ପାଇଁ କେତେକ କ୍ଷେତ୍ରରେ ଜବରଦଖଲ ଉଚ୍ଛେଦ କରାଯିବ। ଏହାପରେ ସ୍ମାର୍ଟ ରାସ୍ତା ନିର୍ମାଣ କ୍ଷେତ୍ରରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବିଇଏମସି ପକ୍ଷରୁ କୁହାଯାଇଥିବା ସେ କହିଛନ୍ତି।