ଲାଞ୍ଜିଗଡ,୧୧ା୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ସିନ୍ଧିଭଟା ଗ୍ରାମରୁ ଛେଳି ଚୋରି ଅଭିଯୋଗରେ ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଫଟାପଡ଼ା ଗ୍ରାମର ବେଣୁଧର ଜାଲ (୩୭), ସିଙ୍ଗଝରଣ ଗ୍ରାମର ପ୍ରଦିପ ନାଏକ (୪୨), ହରେକୃଷ୍ଣ ଦୁର୍ଗା (୪୦) ଓ ତିରଯୋଡି ଗ୍ରାମର କ୍ଷୀରସିନ୍ଧୁ ହରିଜନ (୩୦)। ସୂଚନାକ୍ରମେ ଅଭିଯୁକ୍ତମାନେ ଗୁରୁବାର ବୋଲେରୋରେ ଛେଳି ଭର୍ତ୍ତି କରି ନେଉଥିବା ବେଳେ ସେହି ଗ୍ରାମର ରବି ମାଝୀ ଦେଖି ଗ୍ରାମବାସୀଙ୍କୁ ଜଣାଇଥିଲେ। ଏହା ଶୁଣି ଆଦ୍ରାଇ ମାଝୀ କେତେଜଣଙ୍କୁ ସାଙ୍ଗରେ ଧରି ବୋଲେରୋ ପିଛା କରିବା ସହ ମାଳତିପଦର ଗ୍ରାମର ଲୋକଙ୍କୁ ଜଣାଇଥିଲେ। ଫଳରେ ମାଳତୀପଦର ଗ୍ରାମବାସୀ ଟ୍ରାକ୍ଟର ଦ୍ୱାରା ରାସ୍ତା ଅବରୋଧ କରି ବୋଲେରୋ ସହ ଅଭିଯୁକ୍ତମାନଙ୍କୁ କାବୁ କରି ବିଜେପୁର ଥାନା ପୋଲିସକୁ ଖବର ଦେଇଥିଲେ। ଖବର ପାଇ ବିଜେପୁର ଥାନାଧିକାରୀ ବିଶ୍ୱମ୍ବର କଁହର ପୋଲିସ ଦଳ ସହିତ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ୪ ଜଣ ଏବଂ ସେମାନେ ବ୍ୟବହୃତ ବୋଲେରୋ ଥାନାକୁ ଆଣି ତଦନ୍ତ କରିଥିଲେ। ଏ ନେଇ ଥାନାରେ ଏକ ମାମଲା (ନଂ.୧୩/୨୫) ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ କଁହର ପ୍ରକାଶ କରିଛନ୍ତି।


