ପାଟନା,୨୦।୮: ବିହାର ସରକାର ସୋସିଆଲ ମିଡିଆ କ୍ରିଏଟରଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । ରାଜ୍ୟ କ୍ୟାବିନେଟ୍ ବିହାର ସୋସିଆଲ ମିଡିଆ ନୀତିରେ ନୂଆ ସଂଶୋଧନକୁ ମଞ୍ଜୁରୀ ଦେଇଛି । ଏହା ଅନୁସାରେ ସରକାରଙ୍କ ଯୋଜନା ଓ ଉପଲବ୍ଧି ଉପରେ ଭିଡିଓ ତିଆରି କରୁଥିବା ଯୋଗ୍ୟ କ୍ରିଏଟରମାନେ ଗୋଟିଏ ଭିଡିଓରୁ ସର୍ବାଧିକ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପାଇପାରିବେ । ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତିକୁ ମଞ୍ଜୁରୀ ମିଳିଛି।
ନୂଆ ନୀତି ଅନୁସାରେ, ବିହାର ସରକାରଙ୍କ ଯୋଜନା ଓ ଉପଲବ୍ଧି ଉପରେ ତିଆରି ଭିଡିଓକୁ ୩୦ ଦିନ ମଧ୍ୟରେ ମିଳିଥିବା ଭ୍ୟୁଜ୍ ଆଧାରରେ ଟଙ୍କା ଦିଆଯିବ । ପ୍ରତି ୧ ଲକ୍ଷ ଭ୍ୟୁଜ୍ ପାଇଁ ୧୦ ହଜାର ଟଙ୍କା ଅତିରିକ୍ତ ଭାବେ ଦିଆଯିବ। ତେବେ ଗୋଟିଏ ଭିଡିଓ ପାଇଁ ସର୍ବାଧିକ ପେମେଣ୍ଟ ସୀମା ୧ ଲକ୍ଷ ଟଙ୍କା ରହିଛି। ଅର୍ଥାତ୍, କୌଣସି ଭିଡିଓ ୧୦ ଲକ୍ଷ ଭ୍ୟୁଜ୍ ପାଇଲେ କ୍ରିଏଟରଙ୍କୁ ସର୍ବାଧିକ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିପାରିବ। ତେବେ କେବଳ ଭିଡିଓ ଭାଇରାଲ ହେଲେ ଟଙ୍କା ମିଳିବ ନାହିଁ । ସରକାରଙ୍କ ନିର୍ଦ୍ଧାରିତ ନିୟମ ଓ ସର୍ତ୍ତ ପୂରଣ କରିବାକୁ ପଡ଼ିବ । ଏଥିପାଇଁ କ୍ରିଏଟରଙ୍କ ଏମ୍ପାନେଲମେଣ୍ଟ ପ୍ରକ୍ରିୟା ରହିବ । ସରକାରଙ୍କ ତାଲିକାରେ ସାମିଲ ଓ ଯୋଗ୍ୟ କ୍ରିଏଟରମାନେ ହିଁ ଏହି ସୁବିଧା ପାଇପାରିବେ। ସରକାର କ୍ରିଏଟରଙ୍କ ପେଜ୍, ହ୍ୟାଣ୍ଡଲ୍ ଓ ଚ୍ୟାନେଲର ଫଲୋଅର୍ସ ଏବଂ ଭ୍ୟୁଜ୍କୁ ସମୟ ସମୟରେ ଯାଞ୍ଚ କରିବେ ।
ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଡିଜିଟାଲ ମାଧ୍ୟମରେ ସରକାରୀ ଯୋଜନା ଓ ଉପଲବ୍ଧିର ସୂଚନାକୁ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବା। ଏହା ସହ ରାଜ୍ୟର ଯୁବପିଢ଼ି ଓ ଡିଜିଟାଲ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ ରୋଜଗାର ଏବଂ ଆୟର ନୂଆ ସୁଯୋଗ ସୃଷ୍ଟି କରିବା ମଧ୍ୟ ଏହି ନୀତିର ଉଦ୍ଦେଶ୍ୟ। ଏହି ବ୍ୟବସ୍ଥା ସମ୍ପର୍କରେ ସୂଚନା ଓ ଜନସମ୍ପର୍କ ବିଭାଗ ଖୁବଶୀଘ୍ର ବିସ୍ତୃତ ନୋଟିଫିକେସନ୍ ଜାରି କରିବ । କେଉଁ ପ୍ରକାରର କଣ୍ଟେଣ୍ଟକୁ ମାନ୍ୟତା ମିଳିବ, ଆବେଦନ କିପରି କରିବାକୁ ପଡ଼ିବ, ଭ୍ୟୁଜ୍ କିପରି ଯାଞ୍ଚ ହେବ ଏବଂ ପଞ୍ଜୀକରଣର ନିୟମ କ’ଣ ରହିବ ନୋଟିଫିକେସନ୍ ପରେ ଏସବୁ ସ୍ପଷ୍ଟ ହେବ । ବିହାର ସରକାରଙ୍କ ଏହି ନୂଆ ନୀତି ଡିଜିଟାଲ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ ଆୟର ଏକ ନୂଆ ସୁଯୋଗ ଭାବେ ଦେଖାଯାଉଛି।