ପାଟନା,୨।୧୧: ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ୯୪ଟି ଆସନରେ ମତଦାନ ମଙ୍ଗଳବାର କରାଯିବ। ଏସବୁ ଆସନ ମଧ୍ୟରୁ ୫୦ ଏବେ ଏନ୍ଡ଼ିଏ ଦଖଲରେ ରହିଛି। ସେହିପରି ୪୧ ଆସନ ମହାମେଣ୍ଟ ଖାତାରେ ରହିଛି। ୨୦୧୫ ବିଧାନସଭା ନିର୍ବାଚନରେ ଆର୍ଜେଡି, ଜେଡ଼ିୟୁ ଏବଂ କଂଗ୍ରେସ ମହାମେଣ୍ଟ ଏସବୁ ଆସନର ୯୦ ମଧ୍ୟରୁ ୭୦ରେ ବିଜୟ ଲାଭ କରି ଭାଜପାକୁ କଡ଼ା ଆହ୍ବାନ ଦେଇଥିଲା। ତେବେ ୫ ବର୍ଷ ପରେ ଏବେ ରାଜନୈତିକ ମାନଚିତ୍ର ବଦଳି ଯାଇଛି। ଏବେ ଜେଡ଼ିୟୁ ଭାଜପା ସହିତ ମିଶି ନିର୍ବାଚନ ଲଢୁଛି। ଅପରପକ୍ଷରେ ଏଲ୍ଜେପି ଏବଂ ଭାଜପା ମଧ୍ୟ ଗୁପ୍ତ ବୁଝାମଣା ହୋଇଥିବା ନେଇ ଚର୍ଚ୍ଚା ହେଉଛି। ଏସବୁ ଆସନରେ ଆର୍ଜେଡ଼ିର ୫୬ ପ୍ରାର୍ଥୀ, ଭାଜପାର ୪୬, ଜେଡ଼ିୟୁର ୪୩ ଏବଂ କଂଗ୍ରେସର ୨୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ସେହିପରି ସିପିଆଇ-ଏମ୍ଏଲ୍ର ୬, ସିପିଆଇର ୪, ସିପିଏମ୍ର ୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ।