ସମ୍ବଲପୁର,୨୫।୫(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଚାରମାଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣର ପର୍ଦ୍ଦାଫାଶ କରିିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏକ ସ୍ବତନ୍ତ୍ର ପୋଲିସ ଦଳ ଚାରମାଳ ଥାନା ଅନ୍ତର୍ଗତ ଖୋଖୋ ଛକ ନିକଟରେ ଚାଉ କରି ଦୁଇଟି ଭାରିଯାନ(ଟ୍ରକ ଓ ଟିପର)ରେ ବେଆଇନ ଭାବେ ଚାଲାଣ ହେଉଥିବା ପ୍ରାୟ ୨୬୦ କେଜି ଗଞ୍ଜେଇ ସହିତ ଏକ ବନ୍ଧୁକ ଓ ୫ଟି ଜୀବନ୍ତ ଗୁଳି ଜବତ କରିଛି। ଏହା ସହିତ ଗଞ୍ଜେଇ ପରିବହନରେ ବ୍ୟବହୃତ ଟ୍ରକ(ଏନଏଲ-୦୧-ଏଇ-୩୦୦୮) ଏବଂ ଟିପର୍(ଓଡି-୧୫-ଏଇ-୧୭୧୦)କୁ ପୋଲିସ ଜବତ କରିଛି। ଏଥିରେ ସମ୍ପୃକ୍ତ ଜଣେ ଅଭିଯୁକ୍ତ ଟ୍ରକ ଚାଳକ ବୌଦ୍ଧର ଜଗନ ମହାକୁ ପୋଲିସ ଗିରଫ କରିଛି।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଚାରମାଲ ଦେଇ ବୌଦ୍ଧରୁ ବିପୁଳ ମାତ୍ରାରେ ଗଞ୍ଜେଇ ଚୋରା ଚାଳାଣ ହେଉଥିନା ସମ୍ପର୍କରେ ଚାରମାଲ ଥାନାକୁ ଖବର ମିଳିଥିଲା । ଉକ୍ତ ସୂଚନା ପାଇ ଚାରମାଳ ଥାନା ଅଧିକାରୀ ଇନ୍ସପେକ୍ଟର ବେଦପ୍ରକାଶ ନନ୍ଦଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ପୋଲିସ ଦଳ ଖୋଖୋ ଛକ ନିକଟରେ ଛକି ରହିଥିଲେ । ସୋମବାର ସକାଳେ ଏହି ରାସ୍ତା ଦେଇ ଯାଉଥିବା ଉକ୍ତ ଭାରୀଯାନ ଦ୍ୱୟକୁ ସନ୍ଦେହରେ ଅଟକାଇ ପୋଲିସ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ଉଭୟ ଭାରୀଯାନରେ ଥିବା ସ୍ବତନ୍ତ୍ର ଭାବେ ନିର୍ମିତ ସିକ୍ରେଟ ଚ୍ୟାମ୍ବରରେ ଗଞ୍ଜେଇଥିବା ଦେଖିବାକୁ ପାଇଥିଲେ। ଏହାବାଦ ମାଜିଷ୍ଟ୍ରେଟ ଓ ସାକ୍ଷୀଙ୍କ ଉପସ୍ଥିତିରେ ଉଭୟ ଭାରୀଯାନରୁ ଗଞ୍ଜେଇ ଜବତ କରାଯାଇାଥିଲା । ଅଧିକ ଯାଞ୍ଚ କରାଯିବାରୁ ଟ୍ରକ୍ରେ ଲୁକାୟିତ ଭାବେ ଥିବା ଏକ ଦେଶୀ ବନ୍ଧିକ ଓ ୫ ରାଉଣ୍ଡ ଜୀବନ୍ତ ଗୁଳିକୁ ମଧ୍ୟ ପୋଲିସ ଜବତ କରିଥିଲା । ପ୍ରଥମେ ପୋଲିସକୁ ଦେଖି ଅଭିଯୁକ୍ତମାନେ ଫେରାର ହେବାକୁ ଉଦ୍ୟମ କରି ଜଣେ ସଫଳ ହୋଇଥିବା ବେଳେ ପୋଲିସ କେବଳ ଅଭିଯୁକ୍ତ ଜଗନଙ୍କୁ ଧରିବାରେ ସକ୍ଷମ ହୋଇଥିଲା । ଏହାକୁ ନେଇ ଚାରମାଲ ଥାନାଉରେ କେସ ନମ୍ବର ୯୩/୨୦୨୬ ଅବକାରୀ ଓ ଅସ୍ତ୍ରଶସ୍ତ୍ର ନିଷେଧ ଆଇନ୍ରେ ମାମଲା ରୁଜୁ କରି ସୋମବାର ଅଭିଯୁକ୍ତଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି । ତେବେ ଏହି ଆନ୍ତଃରାଜ୍ୟ ଚୋରା ଚାଲାଣ ରାକଟର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି ଏବଂ ଏଥିରେ ସାମିଲ ଥିବା ଅନ୍ୟ ଫେରାର ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି ।