ଦାରିଙ୍ଗବାଡି,୧୩।୭, (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବନାଞ୍ଚଳକୁ ମିଳିଛି ବଡ଼ ସଫଳତା। ଜଙ୍ଗଲରୁ କାଠ ଗଣ୍ଡି କାଟି ଚୋରୀ କରୁଥିବା ଅଭିଯୋଗରେ ବନ ବିଭାଗ ୪ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ନୟାଗଡ଼ ଜିଲା ଶରଣକୁଳ ଥାନା ଅଞ୍ଚଳର ଅରକ୍ଷିତ ପରିଡା ଏବଂ ରଞ୍ଜିତ ସ୍ବାଇଁ ଗିରଫ ହୋଇଥିବା ବେଳେ ଅନ୍ୟ ଦୁଇଜଣ ସ୍ଥାନୀୟ ଅଞ୍ଚଳର କବି ଚନ୍ଦ୍ର ବଡ଼ମାଝି ଏବଂ ଅଶୋକ ବଡ଼ସେଠ ବୋଲି ଦାରିଙ୍ଗବାଡି ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀନାରାୟଣ ପଣ୍ଡା କହିଛନ୍ତି। ସେମାନଙ୍କ ଠାରୁ ଲକ୍ଷାଧିକ ଟଙ୍କାର ୧୮ ଖଣ୍ଡ ମୂଲ୍ୟବାନ ବଡ଼ ବଡ଼ ଶାଳ କାଠକୁ ଜବତ କରାଯିବା ସହ ଗୋଟିଏ ଲେଖାଏଁ ଜେସିବି, ଟ୍ରକ ଓ ବୋଲେରୋ ସମେତ ୨ ଟି ବାଇକକୁ ବନ ବିଭାଗ ଜବତ କରିଛି। ଏନେଇ ବନ ବିଭାଗ ମାମଲା ନଂ (୩୫ /୨୦୨୬/୨୭) ରୁଜୁ କରି ଅଧିକ ତଦନ୍ତ ଚଳାଇଛି। ପ୍ରକାଶ ଯେ ବାଲିଗୁଡା ଏସିଏଫ ମନୋରଞ୍ଜନ ବାଗଙ୍କ ନେତୃତ୍ୱରେ ଦାରିଙ୍ଗବାଡି ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀନାରାୟଣ ପଣ୍ଡାଙ୍କ ସମେତ ବାଲିଗୁଡ଼ା , କେ.ନୂଆଗାଁ,ତୁମୁଡିବନ୍ଧ ଏବଂ ଦାରିଙ୍ଗବାଡି ବନାଞ୍ଚଳର ବନ କର୍ମଚାରି ମିଳିତ ରାତ୍ରି ପାଟ୍ରୋଲିଂ କରୁଥିବା ସମୟରେ, ବୁଡ଼ାଗୁଡା ସେକ୍ସନର କୁର୍ତ୍ତମଗଡ଼ ଆରଏଫ ଭିତରେ ବେଆଇନ ଭାବେ ଶାଳ କାଠ ଗଣ୍ଡି କାଟି ତାକୁ ଏକ ଟ୍ରକରେ ଜେସିବି ମାଧ୍ୟମରେ ଲୋଡ଼ କରିବା ସମୟରେ ବନ ବିଭାଗ ମାଡି ବସିଥିଲା। ଘଟଣାଟି ଶନିବାର ବିଳମ୍ବିତ ରାତ୍ରିର ବୋଲି ବିଭାଗ ପକ୍ଷରୁ କୁହାଯାଇଛି।