ମୋହନା,୨୧।୧୦(ମନ୍ମଥ ମିଶ୍ର): ଗଞ୍ଜେଇର ବେଆଇନ ପରିବହନ ବିରୋଧରେ ଅଡ଼ବା ପୋଲିସକୁ ବଡ଼ ସଫଳତା ମିଳିଛି। ଗାଡ଼ି ଯାଞ୍ଚ ସମୟରେ ୭୫ କିଲୋଗ୍ରାମ ଗଞ୍ଜେଇ ଜବତ କରିବା ସହ ୬ ଜଣଙ୍କୁ ଗିରଫ କରିଛି ପୋଲିସ। ଏହି ଘଟଣାରେ ଗଞ୍ଜେଇ ପରିବହନରେ ବ୍ୟବହୃତ ଦୁଇଟି କାର୍ ମଧ୍ୟ ଜବତ କରାଯାଇଛି। ଜବତ ଗଞ୍ଜେଇର ବଜାର ମୂଲ୍ୟ ୭ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଉଛି।
ପୋଲିସ ସୂଚନା ଅନୁଯାୟୀ, ଏସଆଇ ସୌମ୍ୟ ରଞ୍ଜନ ବରାଳଙ୍କ ନେତୃତ୍ୱରେ ଅଡ଼ବା ପୋଲିସ ଟିମ ଏନଏଚ-୩୨୬ର ଖାରୀଗୁଡ଼ା ନିକଟ ଭୀମଦଳି ଘାଟି ଅଞ୍ଚଳରେ ରାତ୍ରିକାଳୀନ ପାଟ୍ରୋଲିଂ ସହ ଗାଡ଼ି ଯାଞ୍ଚ କରୁଥିଲା। ଏହି ସମୟରେ ମହାରାଷ୍ଟ୍ରରେ ପଞ୍ଜୀକୃତ ଦୁଇଟି କାର୍ ଦ୍ରୁତ ଗତିରେ ଆସୁଥିବା ପୋଲିସ ଦେଖିଥିଲା।
କାର୍ ଦୁଇଟି ହେଲା ମାରୁତି ସୁଜୁକି ସ୍ବିଫ୍ଟ ଡିଜାୟର (MH-12-ML-0745) ଏବଂ ମାରୁତି ସୁଜୁକି ବାଲେନୋ (MH-23-AS-1005)। ପୋଲିସକୁ ଦେଖି କାର୍ରେ ଥିବା ବ୍ୟକ୍ତିମାନେ ନିକଟସ୍ଥ ଜଙ୍ଗଲ ଆଡ଼କୁ ଖସିଯିବାକୁ ଉଦ୍ୟମ କରିଥିଲେ। ତେବେ ପୋଲିସ ସେମାନଙ୍କୁ ପିଛା କରି ଉଭୟ କାର୍ରୁ ୬ ଜଣଙ୍କୁ କାବୁ କରିଥିଲା। କାର୍ ଦୁଇଟିର ଯାଞ୍ଚ ସମୟରେ ଗଞ୍ଜେଇ ଥିବା ସନ୍ଦେହରେ ୩ଟି ପ୍ଲାଷ୍ଟିକ ଜରି ବ୍ୟାଗ ଜବତ କରାଯାଇଥିଲା। କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ରାଜେନ୍ଦ୍ର ପ୍ରସାଦ ଭୂୟାଁଙ୍କ ଉପସ୍ଥିତିରେ ନିୟମ ଅନୁଯାୟୀ ତଲାସି ଓ ଓଜନ କରାଯାଇଥିଲା। ବ୍ୟାଗ୍ର ଓଜନ ବାଦ ଦେବା ପରେ ଗଞ୍ଜେଇର ପରିମାଣ ୭୫ କିଲୋଗ୍ରାମ ହୋଇଥିଲା। ଗଞ୍ଜେଇ ସହ ଉଭୟ କାର୍ ଏବଂ ଅଭିଯୁକ୍ତମାନଙ୍କ ବ୍ୟକ୍ତିଗତ ତଲାସିରୁ ମିଳିଥିବା ଅନ୍ୟାନ୍ୟ ସାମଗ୍ରୀକୁ ମଧ୍ୟ ପୋଲିସ ଜବତ କରିଛି।
ଏହି ଘଟଣାରେ ଗିରଫ ହୋଇଥିବା ୬ ଜଣ ଅଭିଯୁକ୍ତ ମହାରାଷ୍ଟ୍ରର ବୋଲି ଜଣାପଡ଼ିଛି। ସେମାନେ ହେଲେ,ଗଣେଶ ସିରସତ (୨୬) ,ବାଲାଜୀ ଯୋଗୀରାଜ ଯାଦବ (୪୨), ମହେଶ ଫେଡ଼ (୩୨), ସିଦ୍ଧେଶ୍ୱର ଗଙ୍ଗାଧର କେନ୍ଦ୍ରେ (୪୦), ସନ୍ତୋଷ ଦାଗୁଡୁବା ମସ୍କେ (୫୦) ଏବଂ ଶିବଶଙ୍କର ଅନ୍ନା ସାହେବ ମୁଣ୍ଡେ (୨୮)
ଏହି ଘଟଣାରେ ଅଡ଼ବା ଥାନାରେ କେସ ନଂ-୨୦୮/୨୬ରେ ମାମଲା ରୁଜୁ କରାଯାଇଛି। ଗିରଫ ୬ ଅଭିଯୁକ୍ତଙ୍କୁ ଆଇନ ଅନୁଯାୟୀ ଅଦାଲତକୁ ପଠାଯାଇଛି। ଜବତ ଗଞ୍ଜେଇ କେଉଁଠାରୁ ଆସିଥିଲା, ଏହାର ଗନ୍ତବ୍ୟସ୍ଥଳ କେଉଁଠି ଥିଲା ଏବଂ ଏହି ବେଆଇନ କାରବାର ପଛରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେନେଇ ପୋଲିସ ତଦନ୍ତ ଜାରି ରଖିଛି। ଅଡ଼ବା ଥାନା ଅଧିକାରୀ ସନ୍ତୋଷ ବିଷୋୟୀ ଏହି ସୂଚନା ଦେଇଛନ୍ତି।