Categories: ବାଣିଜ୍ୟ

ଟେଲିକମ କମ୍ପାନୀଗୁଡିକୁ ବଡ ଆଶ୍ୱସ୍ତି;୧୦ ବର୍ଷରେ ପଇଠ କରିବେ ଏଜିଆର୍‌ ଦେୟ

ନୂଆଦିଲ୍ଲୀ,୨।୯: ଆଡ୍‌ଜଷ୍ଟେଡ୍‌ ଗ୍ରସ ରେଭେନ୍ୟୁ (ଏଜିଆର୍‌) ମାମଲାରେ ଟେଲିକମ କମ୍ପାନୀଙ୍କୁ ବଡ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ମଙ୍ଗଳବାର ଏହି ମାମଲାର ଶୁଣାଣି କରି କମ୍ପାନୀଗୁଡିକୁ ୧୦ ବର୍ଷ ସମୟ ଦେଇଛନ୍ତି। ଏହି ଅବଧି ମଧ୍ୟରେ ଟେଲିକମ କମ୍ପାନୀଗୁଡିକ ଏଜିଆର୍‌ ଦେୟ ବାବଦକୁ କେନ୍ଦ୍ର ସରକାରଙ୍କୁ ୧.୫ ଲକ୍ଷ କୋଟି ଟଙ୍କା ପଇଠ କରିବେ। ଜଷ୍ଟିସ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏଜିଆର୍‌ ମାମଲାର ଶୁଣାଣି କରିଛନ୍ତି। ୨୦୩୧ ସୁଦ୍ଧା କମ୍ପାନୀଗୁଡିକ ଦେୟ ପଇଠ କରି ସେମାନଙ୍କ ବକେୟା ରାଶି ସୁଝି ଦେବାକୁ ସର୍ବୋଚ୍ଚ ନ୍ୟାୟାଳୟ ଅନୁମତି ପ୍ରଦାନ କରିଛନ୍ତି। ଟେଲିକମ କମ୍ପାନୀଙ୍କୁ ୨୦ ବର୍ଷ ସମୟ ଦେବା ଲାଗି କେନ୍ଦ୍ର ସରକାର ଆବେଦନ କରିଥିଲେ। ହେଲେ ସୁପ୍ରିମକୋର୍ଟ ୧୦ ବର୍ଷ ମହଲତ ଦେଇଛନ୍ତି। ଚଳିତ ଆର୍ଥତ୍କ ବର୍ଷ ଶେଷ ସୁଦ୍ଧା ମୋଟ ଦେୟର ୧୦% ପ୍ରଦାନ କରିବାକୁ କମ୍ପାନୀଙ୍କୁ ନିର୍ଦ୍ଦେଶ ରହିଛି। କୋଭିଡ ପାଇଁ ୨୦୨୧ ମାର୍ଚ୍ଚ ସୁଦ୍ଧା ଏହି ଅର୍ଥ କମ୍ପାନୀ ପ୍ରଦାନ କରିପାରିବେ। ଦେୟ ପଇଠ ନେଇ କମ୍ପାନୀଗୁଡିକର ଏମ୍‌ଡି ତଥା ସିଇଓ ବ୍ୟକ୍ତିଗତ ଗ୍ୟାରେଣ୍ଟିର ଏକ ଲିଖିତ ଦସ୍ତାବିଜ ନ୍ୟାୟାଳୟଙ୍କୁ ପ୍ରଦାନ କରିବେ। କିସ୍ତି ପଇଠ କରିବାକୁ ସକ୍ଷମ ନ ହେଲେ ଅଦାଲତ ଅବମାନନା ସହ ବିଳମ୍ବ ଦେୟ ଏବଂ ଜରିମାନା ମଧ୍ୟ ପ୍ରଦାନ କରିବେ। ଦେବାଳିଆ କମ୍ପାନୀଗୁଡିକର ସ୍ପେକ୍ଟ୍ରମ ବିକ୍ରି ପ୍ରସଙ୍ଗ ଉପରେ ସର୍ବୋଚ୍ଚ ନ୍ୟାୟାଳୟ କିଛି ଶୁଣାଣି କରିନାହାନ୍ତି। ଏହା ଉପରେ ଏନ୍‌ସିଏଲ୍‌ଟି ଶୁଣାଣି କରିବେ ବୋଲି ଜଣାପଡିଛି। ମାର୍ଚ୍ଚ ୧୭ ସୁଦ୍ଧା ସରକାରଙ୍କୁ ଏଜିଆର୍‌ ଦେୟ ପଇଠ କରିବାକୁ ସୁପ୍ରିମକୋର୍ଟ ଟେଲିକମ କମ୍ପାନୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ କିଛି ପରିମାଣରେ ଦେୟ କମ୍ପାନୀଗୁଡିକ ନିଜେ ଆକଳନ କରି ପ୍ରଦାନ କରିଛନ୍ତି। ସୁପ୍ରିମକୋର୍ଟ ଆଶ୍ୱସ୍ତି ପ୍ରଦାନ କରି ନ ଥିଲେ ଭୋଡାଫୋନ ଆଇଡିଆ ସବୁଠାରୁ ବେଶି କ୍ଷତିଗ୍ରସ୍ତ ହୋଇଥାନ୍ତା। ଏହି କମ୍ପାନୀ ବର୍ତ୍ତମାନ ସୁଦ୍ଧା ୭୮୫୪ କୋଟି ଟଙ୍କା ପ୍ରଦାନ କରିସାରିଛି। ଏହା ଉପରେ ମୋଟ ୫୦ ହଜାର କୋଟି ଟଙ୍କାର ବକେୟା ରହିଛି। ୧୮ ହଜାର କୋଟି ଟଙ୍କା ଦେୟ ପ୍ରଦାନ କରିଥିବା ଭାରତୀ ଏୟାରଟେଲ ସୂଚନା ପ୍ରଦାନ କରିଛି। ଏହା ଆଉ ୨୫୯୭୬ କୋଟି ଟଙ୍କା ସରକାରଙ୍କୁ ପ୍ରଦାନ କରିବ।

Share